କେନ୍ଦୁଝର: କେନ୍ଦୁଝର ଜୁଡ଼ିଆଘାଟିରେ ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଅନୁଗୁଳରୁ ଟାଟା ଯାଉଥିବା ସାଇବାବା ନାମକ ଏକ ଯାତ୍ରୀବାହୀ ବସ୍‌ ଜୁଡ଼ିଆଘାଟିରେ ବ୍ରେକ୍‌ଡାଉନ୍‌ ହୋଇ ଛିଡ଼ା ହୋଇଥିବା କଣ୍ଟେନରକୁ ଧକ୍କା ଦେଇଥିଲା। ଫଳରେ ବସ୍‌ ଡ୍ରାଇଭର ସମେତ ୫ଜଣ ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment

ଦୁଇଜଣ ଚିକତ୍ସିତ ହୋଇ ଡିସ୍‌ଚାର୍ଜ ହେବା ପରେ ଘରକୁ ଯାଇଛନ୍ତି। ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ହେଲେ ବିଜୟ କୁମାର ପାତ୍ର (୪୩), ଗୋମା କଣ୍ଡାଲକେଲ (୨୩), ମନୁ ନାୟକ (୩୫)। ସମସ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଡ୍ରାଇଭର ବିଜୟ କୁମାର ପାତ୍ରଙ୍କ କହିବା ଅନୁଯାୟୀ, ରାଜପଥର ଡାହାଣ ପାର୍ଶ୍ବରେ ଏକ କେଣ୍ଟନର ବ୍ରେକ୍‌ଡାଉନ୍‌ ହୋଇ ଛିଡ଼ା ହୋଇଥିଲା। ରାତିରେ ଜଣା ନ ପଡ଼ିବାରୁ ଦୁର୍ଘଟଣା ଘଟିଲା। କଣ୍ଟେନର ଛିଡା ହୋଇଥିବା ସ୍ଥାନରେ କୌଣସି ସତର୍କ ସୂଚନା ଦିଆଯାଇ ନଥିଲା ବୋଲି ବିଜୟ କହିଛନ୍ତି।