ଲୁହରେ ଭିଜିଲା ଡଙ୍କଲପାଡ଼ୁ: ଅଧା ରହିଗଲା ନିର୍ବନ୍ଧ, ଫିକା ପଡ଼ିଲା ଆୟୋଜନ

ଅଶୁଭ ସଂକେତ ଦେଇଥିଲା ନଡ଼ିଆ, ବସ୍‌ରେ ସେମିତି ପଡ଼ିଛି ନିର୍ବନ୍ଧ ସଜ

ନିର୍ବନ୍ଧ(ରିଂ ସେରିମନି) ପାଇଁ ପୁଅ ଘର ଲୋକେ କନ୍ୟା ଘରକୁ ବାହାରିଥିଲେ। ବସ୍‌ ‘ସିଲ୍‌କ୍‌ ସିଟି’ ଖଚାଖଚ୍‌ ଥିଲା। ୪୩ ପୁରୁଷ, ମହିଳା, ପିଲା ବନ୍ଧୁବାନ୍ଧବ ଲଗ୍ନଥାଳି ଧରି ଯିଏ ଯାହା ସିଟ୍‌ରେ ବସିଥିଲେ। ଅଣଓସାରିଆ ରାସ୍ତାରେ ହଠାତ୍‌ ବସ୍‌ ଅଟକିଗଲା। ଟିକେ ଆଗପଛ ହେଲା। ୧୧ କେ.ଭି. ତାରରେ ଲାଖି ଯାଇଥିଲା ବସ୍‌ ଛାତ କ୍ୟାରିଅର୍‌ ହୁକ୍‌। ବସ୍‌ର ସମଗ୍ର ବଡ଼ି କରେଣ୍ଟ୍‌ ଚାର୍ଜ ହୋଇଥିବା ଜାଣି ଡ୍ରାଇଭର୍‌ ସିଟ୍‌ରୁ ଡେଇଁ ପଳାଇଲା। ବରଯାତ୍ରୀ କିଛି ବୁଝିପାରୁ ନଥିଲେ। ଆଗ ସିଟ୍‌ରେ ବସିଥିବା ଚାରିଜଣ ମହିଳାଙ୍କ ଭିତରୁ ଦୁଇ ଜଣ ଉଠି ଓହ୍ଲାଇବାକୁ ଉଦ୍ୟତ ହେବା କ୍ଷଣି କରେଣ୍ଟ୍‌ ଲାଗି ଟଳି ପଡ଼ିଲେ। ତା’ପରେ ପଛ ସିଟ୍‌ରୁ ଆଉ ତିନିଜଣ ଉଠି ବସ୍‌ ଲୁହା ରେଲିଂ ଛୁଇଁଲା ମାତ୍ରେ ଝଟ୍‌କା ଖାଇ ପଡ଼ିଗଲେ। ବିଦ୍ୟୁତ୍‌ ପ୍ରବାହରେ ଶରୀରର ବିଭିନ୍ନ ଅଂଶ ସ୍ପାର୍କିଂ ହୋଇ ଜଳି ଯାଉଥିଲା। ଆରମ୍ଭ ହୋଇଗଲା ବିକଳ ଚିତ୍କାର, ଧାଁ ଧପଡ଼। କରେଣ୍ଟ୍‌ ଝଟ୍‌କାରେ ଜଣେ ପରେ ଜଣେ ପୋଡ଼ିଗଲେ। ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଉଦ୍ୟମ କରି ଝଟ୍‌କା ଖାଇ ଜାଣିଲେ ଉଚ୍ଚ ଶକ୍ତିସଂପନ୍ନ ବିଦ୍ୟୁତ୍‌ ପ୍ରବାହିତ ହେଉଛି। ସଂଯୋଗ ବିଚ୍ଛିନ୍ନ କରିବାକୁ ଉଦ୍ୟମ କଲେ, ତା’ପରେ କନିଷି ବିଦ୍ୟୁତ୍‌ ସେକସନ୍‌କୁ ଫୋନ୍‌ କଲେ। ସଂଯୋଗ କଟିବା ବେଳକୁ ପ୍ରାୟ ୪୦ ଜଣ ବିଦ୍ୟୁତ୍‌ ଝଟ୍‌କାରେ ଜଳି ଛଟପଟ ହେଉଥିଲେ। ଉଦ୍ଧାର କାର୍ଯ୍ୟ ଆରମ୍ଭ କଲା ବେଳକୁ ୬ ଜଣଙ୍କ ଜୀବନ ଦୀପ ଲିଭି ସାରିଥିଲା। ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେବା ବାଟରେ ଆଉ ତିନିଜଣ, କଟକରେ ଜଣେ ଏମିତି ୧୦ଟି ନିରୀହ ଜୀବନ ଚାଲିଗଲା। ୨୦ରୁ ଅଧିକ ଗୁରୁତରଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଗଲା। ସଂକଟାପନ୍ନ ୮ ଜଣ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ। ଆଜି ଗଞ୍ଜାମର ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡ଼ୁ ଗାଁ ଖୁସିରେ ଉଛୁଳି ପଡ଼ୁଥିଲା। କିଛିକ୍ଷଣ ମଧ୍ୟରେ ଲୁହରେ ଭିଜିଗଲା ସବୁକିଛି। ଏ ଦୁଃଖଦ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି।
ଉପସ୍ଥାପନା: ଉମାଶଙ୍କର ସାହୁ, ଲକ୍ଷ୍ମୀନାରାୟଣ ବେଜ, ସୁଦୀପ୍ତ ଷଡ଼ଙ୍ଗୀ

ଅଶୁଭ ସଂକେତ ଦେଇଥିଲା ନଡ଼ିଆ
ମାଙ୍ଗଳିକ କାର୍ଯ୍ୟରେ ବାହାରିବା ପୂର୍ବରୁ ଗାଡ଼ି ଆଗରେ ନଡ଼ିଆ ବାଡ଼େଇ ବାହରିଲେ ‌ଶୁଭ ବୋଲି ଧରାଯାଏ। ଠିକ୍‌ ସେହିପରି ଆଜି ଅଶୋକଙ୍କ ନିର୍ବନ୍ଧ ପାଇଁ ପରିବାରବର୍ଗ ବସ୍‌ରେ ବାହାରିବା ପୂର୍ବରୁ ନଡ଼ିଆ ବାଡ଼େଇଥିଲେ। ହେଲେ ନଡ଼ିଆଟି ଭାଙ୍ଗି ନଥିଲା। ଏହାକୁ ସମେସ୍ତ ଅଣଦେଖା କରି ଯାତ୍ରା ଆରମ୍ଭ କରିଥିଲେ। ସେପଟେ କିଛି ଲୋକ ନଡ଼ିଆ ନଭାଙ୍ଗିବା ଅଶୁଭ ବୋଲି କହିଥିଲେ। ଯାହାକି ସତ ହେଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ନଡ଼ିଆ ନଭାଙ୍ଗିବା ଯାତ୍ରା ପାଇଁ ଅଶୁଭ ସଂକେତ ଦେଇଥିଲା ବୋଲି କିଛି ଲୋକ କହିଛନ୍ତି। ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଲା।

ଅଧା ରହିଗଲା ନିର୍ବନ୍ଧ, ଫିକା ପଡ଼ିଲା ଆୟୋଜନ
ଆସନ୍ତା ୧୧ତାରିଖରେ ବାହାଘର ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିଲା। ଆଜି ନିର୍ବନ୍ଧ ଥିଲା। ସେଥିପାଇଁ ଅଶୋକଙ୍କ ପରିବାରବର୍ଗ ଝିଅ ଘରକୁ ବାହାରିଥିଲେ। ଝିଅଘରେ ବାହାଘର ବରଯାତ୍ରୀ ସଙ୍ଖୁଳିବା ସବୁ ପ୍ରସ୍ତୁତି ସରିଥିଲା। ଭୋଜି ପାଇଁ ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀ ଏବଂ ହଣ୍ଡା, ଟେଣ୍ଟ୍‌ ସାମଗ୍ରୀ ପହଞ୍ଚି ଯାଇଥିଲା। ଆଉ ମାତ୍ର ଦିନକ ପରେ ବେଶ୍‌ ଧୂମଧାମ୍‌ ହୋଇଥାନ୍ତା ବାହାଘର। ହେଲେ ସବୁ ଅଧୁରା ରହିଗଲା। ସବୁ ଆୟୋଜନ ଫିକା ପଡ଼ିଗଲା। ଯେଉଁଠି ଖୁସିର ମାହୋଲ୍‌ ଲାଗିଥିଲା ଏବେ ସେଠି ଶୋକାକୁଳ ପରିବେଶ।

ଏମ୍‌କେସିଜିରେ ନାହିଁ ବର୍ନ କେୟାର୍‌ ୟୁନିଟ୍‌
ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବର୍ନ କେୟାର୍‌ ୟୁନିଟ୍‌ ନଥିବାରୁ ନିଆଁରେ ପୋଡ଼ି ଆସୁଥିବା ରୋଗୀଙ୍କ ଚିକିତ୍ସା କରା ଯାଇପାରୁ ନାହିଁ। ସାମନ୍ୟ ପୋଡ଼ିଥିବା ରୋଗୀଙ୍କୁ ମଧ୍ୟ କଟକ ସ୍ଥାନାନ୍ତର କରାଯାଉଛି। ଆଜିର ଘଟଣାରେ ମଧ୍ୟ ପୋଡ଼ି ଆହତ ହୋଇଥିବା ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବିଗତ ଦିନରେ ମଧ୍ୟ ନିଆଁରେ ପୋଡ଼ି ଆସୁଥିବା ରୋଗୀଙ୍କୁ ବଡ଼ ଡାକ୍ତରଖାନାର ସାଧାରଣ ୱାର୍ଡ଼‌େର ଚିକିତ୍ସା କରାଯାଉଛି। ଆଜିର ଘଟଣା ପରେ ତୁରନ୍ତ ବଡ଼ ଡାକ୍ତରଖାନାରେ ବର୍ନ କେୟାର୍‌ ୟୁନିଟ୍‌ ପ୍ରତିଷ୍ଠା ପାଇଁ ଦାବି ଉଠିଛି।
ଚାଲିଗଲେ ଅଶୋକଙ୍କ ଦୁଇ ଭଉଣୀ
ଅଶୋକଙ୍କ ବିବାହ ସ୍ଥିର ହୋଇଥିବାରୁ ପରିବାରରେ ଖୁସିର ମାହୋଲ୍‌ ଥିଲା। ଏଥିରେ ଦୁଇ ଭଉଣୀ ମଧ୍ୟ ବେଶ୍‌ ଉତ୍ସାହିତ ଥିଲେ। ଭାଇର ନିର୍ବନ୍ଧରେ ଉଭୟ ସାମିଲ ହେବା ପାଇଁ ବସ୍‌ରେ ଅନ୍ୟ ସମ୍ପର୍କୀୟଙ୍କ ଗହଣରେ ଯାତ୍ରା କରିଥିଲେ। ବାହଘର ପୂର୍ବରୁ ଭାଉଜଙ୍କୁ ସାକ୍ଷାତ କରି ଶୁଭକାମନା ଜଣାଇବେ ବୋଲି ଆଶା ରଖିଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ବସ୍‌ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ୯ଜଣଙ୍କ ମୃତ୍ୟୁ ଘଟିଲା। ଏଥିରେ ଅଶୋକର ଦୁଇ ଭଉଣୀ ସଂଧ୍ୟା ଓ ମୋହିନୀଙ୍କ ମୃତ୍ୟୁ ଘଟିଲା। ଉଭୟଙ୍କ ମୃତ୍ୟୁ ପରେ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।


ପ୍ରଶାସନର ତତ୍ପରତା, ତ୍ବରିତ ପଦକ୍ଷେପ
ଘଟଣା ଘଟିବା ମାତ୍ରେ ପ୍ରାଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ଗୋଳନ୍ଥରା, କେ.ନୂଆଗାଁ, ଗୋପାଳପୁର ଓ ବ୍ରହ୍ମପୁରର ବିଭିନ୍ନ ଥାନାର ପୁଲିସ ଏବଂ ଦମକଳ ବାହିନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଏପଟେ ବଡ଼ ଡାକ୍ତରଖାନାରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ରହ୍ମପୁର ଏସ୍‌.ପି. ଉପସ୍ଥିତ ରହି ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିବା ସହିତ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ଏହି କାର୍ଯ୍ୟରେ ସ୍ଥାନୀୟ ସ୍ବେଚ୍ଛାସେବୀ ରାମ କୁମାର ପାତ୍ର ଓ ବିଜେଡି ଏବଂ ବିଜେପି କର୍ମୀମାନେ ମଧ୍ୟ ସହଯୋଗ କରିଥିଲେ। ଖବର ପାଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ବେହେରା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଚିକିଟି ବିଧାୟିକା ଉଷା ଦେବୀ, ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବିଜେପି ନେତା କାହ୍ନୁ ପତି ପ୍ରମୁଖ ପହଞ୍ଚି ଆହତଙ୍କ ଅବସ୍ଥା ବୁଝିଥିଲେ।

ଏକାଠି ଜଳିଲା ୮ ଜୁଇ
ବିଦ୍ୟୁତ ସଂସ୍ପର୍ଶରେ ଆସି ଡଙ୍କଲପାଡ଼ୁ ଗ୍ରାମର ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚନ୍ଦନବାଡ଼ର ଜଣକର ମୃତ୍ୟୁ ଘଟିଛି। ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ମର ଶରୀର ଗାଁକୁ ନିଆଯାଇଛି। ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ବର୍ଗଙ୍କ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଗାଁ। ପୂରା ଗାଁ ଏକତ୍ରିତ ହୋଇ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଶ୍ମଶାନକୁ ଯାଇଥିଲେ। ରାତିରେ ଡଙ୍କଲପାଡ଼ୁ ଗାଁ ଶ୍ମଶାନରେ ଏକାଠି ୮ଜଣଙ୍କ ଜୁଇ ଜଳିଛି।

ସାଉଥ୍‌କୋର ଅବହେଳାକୁ ଦାୟୀ
ଫାଇଲିନ୍‌ ପରଠୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରଞ୍ଜାମ ବିପଦସଂକୁଳ ଅବସ୍ଥାରେ ରହିଛି। ସେହିପରି ଖୁଣ୍ଟ ଗୁଡ଼ିକ ନଇଁ ପଡ଼ିଥିବା ବେଳେ ବିଦ୍ୟୁତ ତାର ତଳକୁ ଓହଳି ରହିଛି। ମେଣ୍ଡରାଜପୁର ଗାଁରେ ମଧ୍ୟ ଫାଇଲିନ୍‌ ପରଠୁ ବିଦ୍ୟୁତ ତାରଗୁଡ଼ିକ ତଳକୁ ଓହଳି ରହିଛି। ତାହା ମରାମତି କରିବା ପାଇଁ ଦାବି କଲେ ସାଉଥ୍‌କୋ କର୍ତ୍ତୃପକ୍ଷ କାମଚଳା ବ୍ୟବସ୍ଥା କରୁଥିଲେ। କିନ୍ତୁ ସ୍ଥାୟୀ ସମାଧାନ କରାଯାଉ ନଥିଲା। ଯାହା ଫଳରେ ଏହି ଆକସ୍ମିକ ଦୁର୍ଘଟଣା ଘଟିଲା। ଏଥିପାଇଁ ଲୋକେ ସାଉଥ୍‌କୋକୁ ଦାୟୀ କରିଛନ୍ତି।

ବସ୍‌ରେ ସେମିତି ପଡ଼ିଛି ନିର୍ବନ୍ଧ ସଜ
ନିର୍ବନ୍ଧ ପାଇଁ ପ୍ରସ୍ତୁତ ହୋଇଥିଲା ଭଳିକି ଭଳି ଭାର। ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ, ଫଳ, ମିଠା, ନଡ଼ିଆ ରହିଥିଲା। ନୂଆ ବୋହୂ ପାଇଁ ଶାଢ଼ି, ଶଙ୍ଖା, ସିନ୍ଦୁର, ଫୁଲ ନିଆଯାଇଥିଲା। ସମସ୍ତେ ସଜ ଥାଳି ଧରି ଖୁସିରେ ଯାଉଥିଲେ। ବେଶ୍‌ ଜାକଜମକରେ ହୋଇଥାନ୍ତା ନିର୍ବନ୍ଧ। ହେଲେ ବିଦ୍ୟୁତ ତାର ସବୁ କିଛି ଉଜାଡ଼ି ଦେଲା। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ବ୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସବୁ କିଛି ଛିନ୍‌ଛତ୍ର ହୋଇ ଯାଇଥିଲା। ହେଲେ ଅକ୍ଷତ ରହିଥିଲା ନିର୍ବନ୍ଧ ସଜ। ତାହା ଘରୁ ଆଣିବା ବେଳକୁ ଯେମିତି ଥିଲା ଘଟଣା ପରେ ମଧ୍ୟ ସେମିତି ରହିଥିଲା।

ସମ୍ବନ୍ଧିତ ଖବର