ନରସିଂହପୁର: ପୁଅର ବିବାହ ଶୋଭାଯାତ୍ରାରେ ବରଯାତ୍ରୀ ବସ୍ ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳରେ। ଚତରାପଦା ଗ୍ରାମରେ ଆଜି ବରାଯାତ୍ରୀ ଶୋଭାଯାତ୍ରାରେ ବାହାରୁଥିଲା ବେଳେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଅନ୍ୟପଟେ, ଦୁର୍ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ୪ ଘଣ୍ଟା ଧରି ନରସିଂହପୁର-ଅନୁଗୁଳ ମୁଖ୍ୟରାସ୍ତାକୁ ଅବରୋଧ କରିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।
ନରସିଂହପୁର ଥାନା ଅନ୍ତର୍ଗତ ଚତରାପଦା ଗ୍ରାମର ବିମ୍ବାଧର ନାୟକ(୫୫)ଙ୍କ ପୁଅ ବବୁଲ ନାୟକଙ୍କର ଆଜି ବିବାହ ଥିଲା। ଏଥିପାଇଁ ଅପରାହ୍ଣ ପ୍ରାୟ ସାଢ଼େ ୧ଟାରେ ବରପିତା ବିମ୍ବାଧର ବରଯାତ୍ରୀଙ୍କୁ ନେଇ କନ୍ୟାଘର କାନପୁର ଥାନା ତଗିଲୋ ଗ୍ରାମକୁ ବାହାରିଥିଲେ। ଚତରାପଦା ଗ୍ରାମରେ ଶୋଭାଯାତ୍ରା ଚାଲିଥିଲା ବେଳେ ହଠାତ୍ ବରଯାତ୍ରୀ ବସ୍ ବିମ୍ବାଧରଙ୍କ ଉପରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ନରସିଂହପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଜଣାପଡ଼ିବା ପରେ ବିବାହ ଉତ୍ସବ ବନ୍ଦ ହୋଇଯାଇଥିଲା। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ପଠାଇ ଥିଲା। ସ୍ଥାନୀୟ ବିଧାୟକ ବିଜୟ କୁମାର ଦଳବେହେରା ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଅନ୍ୟପଟେ, ବରପିତାଙ୍କ ମୃତ୍ୟୁ ଘଟଣା ପ୍ରଚାରିତ ହେବା ପରେ କ୍ଷତିପୂରଣ ଦାବି ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଚତରାପଦା ନିକଟରେ ବରଯାତ୍ରୀ ଗାଡ଼ିକୁ ଅଟକ ରଖିବା ସହିତ ନରସିଂହପୁର-ଅନୁଗୁଳ ମୁଖ୍ୟରାସ୍ତାକୁ ଟାୟାର୍ ଜାଳି ଅବରୋଧ କରିଥିଲେ। ଫଳରେ ଅପରାହ୍ଣ ୪ଟାରୁ ରାତି ୭ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ସ୍ଥାନୀୟ ତହସିଲଦାର ମନୋଜ କୁମାର ମାଝୀ, ନରସିଂହପୁର ଥାନା ଆଇଆଇସି ବିକ୍ରମକେଶରୀ ଜେନାଙ୍କ ସମେତ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଗ୍ରାମବାସୀ ଓ ମୃତକଙ୍କ ପରିବାରକୁ ବୁଝାଶୁଝା କରିଥିଲେ। ପରିବାରକୁ ରେଡ୍କ୍ରସ୍ ପାଣ୍ଠିରୁ ୧୦ହଜାର ଟଙ୍କା ଓ ବସ ମାଲିକ ୫୦ ହଜାର ଟଙ୍କା ସହାୟତାରାଶି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିବା ଆଇଆଇସି ଶ୍ରୀ ଜେନା ସୂଚନା ଦେଇଛନ୍ତି।