ଘାଟିରେ ଝୁଲି ରହିଲା ବସ୍ : ମୃତ୍ୟୁର କୋଳରୁ ଉଠିଆସିଲେ ୪୩ ଛାତ୍ରଛାତ୍ରୀ

ଭଞ୍ଜନଗର/ଦାରିଙ୍ଗବାଡ଼ି : ସୂତାଖିଅରେ ଝୁଲିବା ଭଳି ଘାଟିରେ ଝୁଲୁଥିଲା ବସ୍ (ଓଡି-୦୨-ବିଜି-୪୪୧୧)। ମୃତ୍ୟୁର ଦ୍ବାରରେ ଥିଲେ ସବୁ ଯାତ୍ରୀ। ବସ୍‌ର ଦୁଇ ଚକ ଘାଟି ତଳକୁ ଖସି ପଡ଼ିଥିବା ବେଳେ ଆଉ ଦୁଇଟି ଚକ ରାସ୍ତା ଉପରେ ଥିଲା। ଝୁଲନ୍ତା ଅବସ୍ଥାରେ ବସ୍‌ ଭିତରେ ଫସିଥିବା ଯାତ୍ରୀଙ୍କ ଆର୍ତ୍ତ ଚିତ୍କାର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। କାରଣ ବସ୍ ଆଗକୁ ପଛକୁ ଯେତିକି ହଲୁଥିଲା, ସେତିକି ମୃତ୍ୟୁର ଭୟ ଘାରିଥିଲା। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଠିକଣାସମୟରେ ଅଗ୍ନିଶମ ବାହିନୀ ଓ ପୁଲିସର ମିଳିତ ଅପରେସନ୍‌ ମାଧ୍ୟମରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଥିଲା। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ଗାଜଲବାଡ଼ି ଘାଟିରେ ଏଭଳି ଛାତିଥରା ଘଟଣା ସାରା ରାଜ୍ୟରେ ଆଜି ଆଲୋଡ଼ନ ସୃଷ୍ଟି କରିଛି। ତେବେ, ଦାରିଙ୍ଗବାଡ଼ି ଓ ସୋରଡ଼ା ଅଗ୍ନିଶମ ବାହିନୀ ଏବଂ ସୋରଡ଼ା ପୁଲିସର ଅକ୍ଲାନ୍ତ ଉଦ୍ୟମ ‌ତଥା ଦୀର୍ଘ ୪ ଘଣ୍ଟାର ଅପରେସନ୍ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଆଉ ପୁଣି ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି। ସୋରଡ଼ା ପୁଲିସ ଦ୍ବାରା ଅନ୍ୟ ଏକ ବସ୍‌ର ବନ୍ଦୋବସ୍ତ କରାଯାଇ ସମସ୍ତ ଯାତ୍ରୀଙ୍କୁ ଭୁବନେଶ୍ବରକୁ ପଠାଇଦିଆଯାଇଥିବା ନେଇ ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ତେବେ, ଆଜି ସନ୍ଧ୍ୟାରେ ବସ୍‌ଟିକୁ କ୍ରେନ୍ ସାହାଯ୍ୟରେ ଉଠାଯାଉଥିବା ‌ସମୟରେ ଏହାର ତାର ଛିଣ୍ଡିଯାଇଥିଲା। ଫଳରେ ବସ୍‌ଟି ତଳକୁ ଖସିବା ସହ କ୍ରେନ୍ ମଧ୍ୟ ଓଲଟିପଡ଼ିଥିଲା। ତେବ‌େ ଡ୍ରାଇଭର୍ ଅଳ୍ପ‌କେ ବର୍ତ୍ତିଯାଇଛନ୍ତି।

ମିଳିଥିବା ସୂଚନାନୁସାରେ, ଭୁବନେଶ୍ବର ସହିଦନଗରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ୪୩ ଛାତ୍ରଛାତ୍ରୀ ବଣଭୋଜି ପାଇଁ ଦାରିଙ୍ଗବାଡ଼ି ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳ‌େ ସେମାନେ ଫେରୁଥିବା ସମୟରେ କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟିର ୯ ନମ୍ବର ବୁଲାଣି ଠାରେ ଚାଳକ ବସ୍‌କୁ କାଟିପାରି ନଥିଲେ। ଫଳରେ ଏହା ଭାରସାମ୍ୟ ହରାଇ ଘାଟି ତଳକୁ ଖସୁଥିଲା। କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇ ବ୍ରେକ୍ ମାରିଦେବାରୁ ସୌଭାଗ୍ୟବଶତଃ ଆଗ ଚକ ଦୁଇଟି ଘାଟି ତଳକୁ ରହିଥିବା ବେଳେ ପଛଚକ ଉପର ରାସ୍ତାରେ ରହିଥିଲା। ତେବ‌େ ଗାଡ଼ିଟି ଝୁଲନ୍ତା ଅବସ୍ଥାରେ ଥିବା କାରଣରୁ ସମସ୍ତେ ବଞ୍ଚାଅ…ବଞ୍ଚାଅ ବୋଲି ଚିତ୍କାର କରିଥିଲେ। ଗାଡ଼ିଟି ଆସ୍ତେ ଆସ୍ତେ ଝୁଲି ତଳକୁ ଖସିଯିବା ଭୟ ଘାରିଥିଲା।

ଖବର ପାଇ ସଂଗେ ସଂଗେ ଦାରିଙ୍ଗବାଡ଼ି ଓ ସୋରଡ଼ା ଅଗ୍ନିଶମ ବାହିନୀ ଏବଂ ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏକ ଦଉଡ଼ି ଯୋଗେ ବସ୍‌ଟିକୁ ଟଣାଯାଇଥିଲା। ତେବେ ପ୍ରତିଟି ସେକେଣ୍ଡ୍ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍ ଥିଲା। ଏହାପରେ ରାତିରେ ଅନ୍ୟ ଏକ ବସ୍‌ ‌ଯୋଗେ ସମସ୍ତଙ୍କୁ ଭୁବନେଶ୍ବର ପଠାଯାଇଥିବା ସୂଚନା ମିଳିଛି। ପୁଲିସ ଓ ଅଗ୍ନିଶମବାହିନୀର ମିଳିତ ଅପରେସନ୍‌କୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର