ବ୍ରହ୍ମପୁର / ଦିଗପହଣ୍ଡି : ବାହାନଗା ରେଳ ଦୁର୍ଘଟଣା ମନରୁ ନଯାଉଣୁ ସୋମବାର ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଦେଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ପାର୍ଶ୍ବରେ ଗତକାଲି ବିଳମ୍ବିତ ରାତିରେ କନ୍ୟାଯାତ୍ରୀ ମିନିବସ୍‌ (ଓଆର୍‌-୧୦ଏ-୬୮୭୫)କୁ ଏକ ଓଏସ୍‌ଆର୍‌ଟିସି ବସ୍ (ଓଡ଼ି-୦୨ ବିଭି ୧୯୩୮) ସାମ୍ନାପଟୁ ଧକ୍କା ଦେବାଫଳରେ ୨ ଶିଶୁ ଓ ୪ ମହିଳାଙ୍କ ସମେତ ୧୧ ଜଣ ପ୍ରାଣ ହରାଇଛନ୍ତି। ୭ ଜଣ ଗୁରୁତର ହୋଇଥିବା ବେଳେ ୬ ଜଣ ସାମାନ୍ୟ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୮ ଜଣ ସଦସ୍ୟ ଅଛନ୍ତି। ତନ୍ମଧ୍ୟରୁ ବାହା ହୋଇଥିବା କନ୍ୟାଙ୍କ ନିଜ ଦୁଇଭଉଣୀ ରହିଥିବା ବେଳେ ଅନ୍ୟ ଜଣେ ଦାଦାଙ୍କ ଝିଅ ରହିଛନ୍ତି। ସେହିପରି କନ୍ୟାଙ୍କ ଦୁଇଦାଦାଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଗୁରୁତର ଓ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

publive-image

ସୂଚନାନୁସାରେ, ସାନଖେମୁଣ୍ଡି ବ୍ଲକ୍‌ ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ମଝିଆ ଝିଅ ସୋନାଲିଙ୍କ ବାହାଘର ବ୍ରହ୍ମପୁର ବ୍ୟାଙ୍କ୍ କଲୋନି ବାପୁଜୀନଗରରେ ରହୁଥିବା ଉମେଶ ପ୍ରଧାନଙ୍କ ସହ ସ୍ଥିର ହୋଇଥିଲା। ପୂର୍ବ ଧାର୍ଯ୍ୟ ତାରିଖ ଅନୁସାରେ ଗତକାଲି ସକାଳେ ଖଣ୍ଡଦେଉଳି ଗ୍ରାମରେ ବୈଦିକ ରୀତିରେ ବାହାଘର ସମ୍ପୂର୍ଣ୍ଣ ହୋଇଥିଲା। ବାହାଘର ପରେ ସୋନାଲି ଶାଶୂଘରକୁ ବିଦାୟ ନେଇଥିଲେ। ଆଉ ସଂଧ୍ୟାରେ କନ୍ୟାଙ୍କ ପରିବାର ପକ୍ଷରୁ ପ୍ରାୟ ୨୮ଜଣ ସଦସ୍ୟ ଓ ବନ୍ଧୁବାନ୍ଧବ ଏକ ମିନିବସ୍‌ରେ ବ୍ରହ୍ମପୁର ବରଘରକୁ ଆସିଥିଲେ। ବରଘର ପକ୍ଷରୁ ହାତୀବନ୍ଧ ସାହିସ୍ଥିତ ଏକ କଲ୍ୟାଣମଣ୍ଡପରେ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ସମସ୍ତେ ହସଖୁସିରେ ସମୟ ବିତାଇଥିଲେ। ଭୋଜି ଖାଇସାରି ରାତିରେ ସେହି ମିନିବସ୍‌ରେ ଖଣ୍ଡଦେଉଳି ଅଭିମୁଖେ ବାହାରିଥିଲେ। ଏହିସମୟରେ ଦିଗପହଣ୍ଡି ଖେମୁଣ୍ଡି କଲେଜ ସାମ୍ନାରେ ବିଳମ୍ବିତ ରାତି ପ୍ରାୟ ୧୨ଟା ୫୦ ବେଳକୁ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓଏସ୍‌ଆର୍‌ଟିସି ବସ୍‌ (ଓଡି୦୨ ବିଭି ୧୯୩୮) ମିନିବସ୍‌କୁ ସମ୍ମୁଖ ପଟୁ ଶକ୍ତ ଧକ୍କା ଦେଇଥିଲା। କିଏ କିଛି ଜାଣିବା ଆଗରୁ, ଧକ୍କା ଖାଇ ମିନିବସ୍‌ଟି କିଛିଦୂର ଘୋଷାଡ଼ି ହୋଇ ରାସ୍ତାପାର୍ଶ୍ବକୁ ଓଲଟିପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା, ମିନିବସ୍‌ଟି ପ୍ରଚଣ୍ଡ ଶବ୍ଦ କରି ଓଲଟିପଡ଼ିଥିଲା। ଆଉ ଏହାର ଗୋଟିଏ ପାର୍ଶ୍ବ ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ୩ ଜଣ ବାହାରକୁ ଛିଟିକି ପଡ଼ିଥିଲେ। ମହିଳା ଓ ଶିଶୁଙ୍କ ସମେତ ଅନ୍ୟମାନେ ବସ୍ ଭିତରେ ଫସି ହୋଇରହିଥିଲେ। ଆର୍ତ୍ତନାଦ ଚିତ୍କାରରେ ପରିବେଶ ଫାଟିପଡ଼ିଥିଲା। ଦିଗପହଣ୍ଡି ପୁଲିସ ସମେତ ବ୍ରହ୍ମପୁର ସଦର ଥାନା ପୁଲିସ, ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସ୍ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍ ଭିତରେ ଚାପିହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ, ଦିଗପହଣ୍ଡି ଡାକ୍ତରଖାନାରେ ୭ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ମୃତକମାନେ ହେଲେ, ଖଣ୍ଡଦେଉଳି ଗାଁର ରମେଶ ପ୍ରଧାନ(୬୨), ସୀତାରାମ ପ୍ରଧାନ(୬୦) ଓ ତ୍ରିପତି ପ୍ରଧାନ (୪୮), ଭଞ୍ଜନଗର ଥାନା ମୁଜାଗଡ଼ର ସଞ୍ଜୟ ମେଦିନିରାୟ(୫୦), ସୁଜ୍ଞାନୀ କୁମାରୀ ପ୍ରଧାନ(୨୭) ଓ ତାଙ୍କ ପୁଅ ଦେବାଂଶ ପ୍ରଧାନ(୪), ଶିବାନୀ ପ୍ରଧାନ(୨୭) ଓ ତାଙ୍କ ପୁଅ ହାଭ୍ରିକ ପ୍ରଧାନ(୨), ରୁପାଲି ପ୍ରଧାନ (୨୦), ଗଡ଼ଗୋବିନ୍ଦପୁରର ସଙ୍ଗୀତା ଡାକୁଆ (୩୨) ଏବଂ ସିଙ୍ଗିପୁରର ଲିଟୁ ନାୟକ(୪୦)। ସେପଟେ ସୁଜ୍ଞାନୀଙ୍କ ସ୍ବାମୀ ଶୁଭେନ୍ଦୁ ପ୍ରଧାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନ, ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ପୂର୍ବତନ ସାଂସଦ ବିଧାୟକ ନିତ୍ୟାନନ୍ଦ ପ୍ରଧାନ ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

publive-image

ଏହି ଛାତିଥରା ଘଟଣାକୁ ନେଇ ଉଭୟ ଖଣ୍ଡଦେଉଳି ଓ ମୁଜାଗଡ଼ ଗ୍ରାମରେ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟିପଡ଼ିଥିଲା। ବାହାଘର ଖୁସିର ମାହୋଲ ନିମିଷକରେ ଦୁଃଖରେ ପରିଣତ ହୋଇଥିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ସମସ୍ତ ଶବ ବ୍ୟବଚ୍ଛେଦ ସହିତ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।

ଅନ୍ୟପକ୍ଷରେ, ପରିବହନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗଞ୍ଜାମ ଆରଟିଓ ମାନସ ରଂଜନ ସାହୁ କହିଛନ୍ତି, ମିନିବସ୍‌ର ଯାତ୍ରୀ ପରିବହନ ପରମିଟ୍‌ ଓ ଇନ୍‌ସ୍ୟୁରାନ୍ସ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ, ଗାଡ଼ିର ଫିଟ୍‌ନେସ୍‌ ଥିଲା। କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ଅଧିକ ତଦନ୍ତ ଚାଲିଥିବା ଆର୍‌ଟିଓ କହିଛନ୍ତି।

ସେହିପରି ମୃତାହତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଅଣାଯିବା ପରେ ଭୋର୍‌ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସ୍‌.ପି.ଡା.ଶରବଣା ବିବେକ ଏମ୍‌, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ୍‌ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ପ୍ରମୁଖ ପହଞ୍ଚି ଚିକିତ୍ସା ସେବା ବୁଝିଥିଲେ। ସେହିପରି ସକାଳେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବ୍ଲକ୍‌ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ମେୟର ସଂଘମିତ୍ରା ଦଳାଇ ପ୍ରମୁଖ ନେତୃବୃନ୍ଦ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତାରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୩ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ମାଗଣା ଓ ସବୁପ୍ରକାର ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।