ବସ୍‌ ଉପରେ ଓହଳିଥିଲା ମୃତ୍ୟୁ: ୧୧କେଭି ତାର ଲାଗି ୧୦ ଜଳିଗଲେ, ୧୮ ଗୁରୁତର

ଶବ ନେବା ପାଇଁ ଉତ୍ତେଜନା, ଶୋକର ଛାୟା, ଗାଁରେ କାନ୍ଦବୋବାଳି

ବ୍ରହ୍ମପୁର/ଗୋଳନ୍ଥରା/କଟକ: ନିର୍ବନ୍ଧ ପାଇଁ ବନ୍ଧୁବାନ୍ଧବଙ୍କୁ ନେଇ କନ୍ୟାଘରକୁ ଯାଉଥିଲେ ବରପକ୍ଷର ପରିବାର। ବସ୍‌ ଭିତରେ ଥିଲା ହସଖୁସିର ପରିବେଶ। ଆଉ କିଛି ସମୟ ପରେ ସମସ୍ତେ ପହଞ୍ଚି ଯାଇଥାନ୍ତେ କନ୍ୟାଘରେ। ଶଙ୍ଖ ହୁଳହୁଳିରେ କମ୍ପିଥାନ୍ତା ଗାଁ। ଭୋଜିଭାତର ମଜା ନେଇଥାନ୍ତେ ସମସ୍ତେ। ହେଲେ ବିଧିର ବିଧାନ ଥିଲା ଅଲଗା। ଗାଁ ମୁଣ୍ଡ ଛକରେ ଉପରୁ ଓହଳିଥିଲା ମୃତ୍ୟୁ ରୂପି ୧୧କେଭି ବିଦ୍ୟୁତ ତାର। ଏହି ତାର ସଂସ୍ପର୍ଶରେ ଆସି ପୂରା ବସ୍‌ଟିରେ କରେଣ୍ଟ୍‌ ଚାର୍ଜ ହୋଇଗଲା। ଆଉ ବସ୍‌ରେ ବସିଥିବା ୪୩ ଜଣଙ୍କ ଭିତରୁ ୧୦ଜଣ ଜୀବନ୍ତ ଦଗ୍ଧ ହୋଇଗଲେ। ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ୧୮ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୯ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ରାତିରେ ସେମାନଙ୍କ ମଧ୍ୟରୁ ଜ‌ଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଣ୍ଡରାଜପୁର ଗ୍ରାମରେ ଘଟିଛି ଏମିତି ଏକ ଛ‌ାତିଥରା ଅଘଟଣ। ଚାରିଆଡ଼େ ଖେଳି ଯାଇଛି ଶୋକର ଛାୟା। କାନ୍ଦବୋବାଳିରେ ଫାଟି ପଡ଼ୁଛି ବର ଓ କନ୍ୟା ଘର ଗାଁ। ହସ୍ପିଟାଲ ପରିସରରେ ନିଜ ଲୋକଙ୍କ ଶବ ଦେଖି ଧୈର୍ଯ୍ୟ ଧରି ପାରୁନାହାନ୍ତି ଆତ୍ମୀୟସ୍ବଜନ। ଏହି ଆକସ୍ମିକ ଦୁର୍ଘଟଣାରେ ବହୁ ପରିବାର ଉଜୁଡ଼ି ଯାଇଛି।

ମୃତକମାନେ ହେଲେ ଚିକିଟି ବ୍ଲକ ଡଙ୍କଲପାଡ଼ୁ ଗ୍ରାମର ବି. ଚେନ୍ନେୟା ରେଡ୍ଡିଙ୍କ ପତ୍ନୀ ବି. ଏରେମ୍ମା ରେଡ୍ଡି(୩୮), ବି. ଗୁଡ଼ିଆଙ୍କ ପତ୍ନୀ ବି. ଆଚିଆମ୍ମା(୬୫), ସି.ଏଚ୍ କାମରାଜୁ ରେଡ୍ଡି(୬୫), ବି. ନୀଳକଣ୍ଠଙ୍କ ପତ୍ନୀ ବି. ମୋହିନୀ(୪୦), ବି. ରାମେୟା(୫୫), ସି.ଏଚ୍‌ ଗୋପାଳ ରେଡ୍ଡିଙ୍କ ପତ୍ନୀ ସି.ଏଚ୍‌ ତୁଳସୀଆମ୍ମା(୩୭), ଗୋପଳ ସାହୁଙ୍କ ଝିଅ ସନ୍ତୋଷିନୀ ସାହୁ(୧୫), ତାରିଣେୟା ରେଡ୍ଡି(୫୭) ଓ ବଡ଼ଚନ୍ଦନବାଡ଼ ଗ୍ରାମର କେ. ପାପେୟା ରେଡ୍ଡିଙ୍କ ପତ୍ନୀ କେ. ସଂଧ୍ୟା(୩୫)। ସେହିପରି କଟକ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଥିବା ୯ ଜଣ ଗୁରୁତରଙ୍କ ମଧ୍ୟରୁ ୟୁ. ଦେବରାଜ ରେଡ୍ଡି (୧୧) ନାମକ ଜଣେ ବାଳକର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ୮ଜଣ ଡଙ୍କଲପାଡ଼ୁ ଗ୍ରାମର ହୋଇଥିବା ବେଳେ ସେମାନଙ୍କ ଭିତରେ ବରର ଦୁଇ ଭଉଣୀ ମଧ୍ୟ ଅଛନ୍ତି। ବଡ଼ ଡାକ୍ତରଖାନାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର, ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି। ଚିକିଟି ବ୍ଲକ ଡଙ୍କଲପାଡ଼ୁ ଗ୍ରାମର ୟୁ. ସନ୍ୟାସୀଙ୍କ ପୁଅ ଅଶୋକଙ୍କ ବାହାଘର ଚିକରଡ଼ାର ବୁଲୁ ରେଡ୍ଡିଙ୍କ ଝିଅ ସହିତ ସ୍ଥିର ହୋଇଥିଲା। ଆଜି ନିର୍ବନ୍ଧ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଥିବାରୁ ଅଶୋକଙ୍କ ପରିବାର ବର୍ଗ ଏବଂ ବନ୍ଧୁବାନ୍ଧବ ଏକ ବସ୍‌(ଓଆର୍‌୦୭ଟି ୧୪୪୧)ରେ ଅପରାହ୍‌ଣରେ ଚିକରଡ଼ା ଅଭିମୁଖେ ବାହାରିଥିଲେ। ବସ୍‌ଟି ମେଣ୍ଡରାଜପୁର ଛକ ଦେଇ ଯିବା ସମୟରେ ହଠାତ୍‌ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ବସ୍‌ ଛାତ ଉପର କ୍ୟାରିୟର୍‌ ହୁକ୍‌ରେ ଲାଖି ଯାଇଥିଲା। ବସ୍‌ରେ ବିଦ୍ୟୁତ ତାର ଲାଗି ଯାଇଛି ବୋଲି ଡ୍ରାଇଭର୍‌ କହିବା ପରେ ଆତଙ୍କ ଖେଳି ଯାଇଥିଲା। ସମସ୍ତେ ଭୟଭୀତ ହୋଇ ଜୀବନ ରକ୍ଷା ପାଇଁ ସମସ୍ତେ ଧାଁ ଧପଡ଼ ହୋଇ ବସ୍‌ରୁ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲେ। ପ୍ରଥମେ କାମରାଜୁ ବସ୍‌ରୁ ଓହ୍ଲାଇବା ପାଇଁ ଉଦ୍ୟମ କରିଥିଲେ। ସେ ଖାଲି ପାଦରେ ଥିବାରୁ ତଳେ ଗୋଡ଼ ରଖିବା କ୍ଷଣି ତାଙ୍କ ଶରୀର ପୋଡ଼ି ଯାଇଥିଲା। ଏହା ଦେଖି ବସ୍‌ ଭିତରେ ଥିବା ଅନ୍ୟ ଯାତ୍ରୀମାନେ ଜୀବନ ବିକଳରେ ବସ୍‌ ଝରକା ଦେଇ ଡେଇଁ ପଡ଼ିଥିଲେ। ସେହିପରି କିଛି ଛୋଟ ପିଲାମାନଙ୍କୁ ମଧ୍ୟ ଝରକା ଦେଇ ବାହାରକୁ ଫିଙ୍ଗି ଦେଇଥିଲେ। ଏହା ଦେଖି ରାସ୍ତା କଡ଼ରେ ଥିବା ସ୍ଥାନୀୟ ବ୍ୟକ୍ତି ଦେବେନ୍ଦ୍ର ସାହୁ, ଜିତୁ ରେଡ୍ଡି, ଲୋକନାଥ ବେହେରା, ଶ୍ରୀନିବାସ ସେଠୀ ବସ୍‌ ଭିତରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଦେବେନ୍ଦ୍ର ଓ ଜିତୁ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତ୍ରିନାଥ ରାଓ ନାମକ ଜଣେ ଦୋକାନୀ ବସ୍‌ରେ ଲାଗିଥିବା ୧୧ କେଭି ତାର ହଟାଇବା ପାଇଁ ଚେ‌ଷ୍ଟା କରି ଆହତ ହୋଇଥିଲେ। ତରବର ହୋଇ ଖାଲି ପାଦରେ ବସ୍‌ରୁ ଓହ୍ଲାଉଥିବା ବେଳେ ମାଟି ଛୁଇଁବା କ୍ଷଣି ଯାତ୍ରୀମାନେ ଜଳି ଯାଉଥିଲେ। କିଛି ପୁରୁଷ ଓ ମହିଳା ଅର୍ଦ୍ଧଦଗ୍ଧ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିଲେ। ସେମାନଙ୍କ ସମ୍ପର୍କୀୟ ନିକଟରେ ବସି କାନ୍ଦୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ପରେ କନିଷି ବିଦ୍ୟୁତ ସେକ୍‌ସନ୍‌କୁ ଫୋନ୍‌ କରା ଯାଇଥିଲା। ତୁରନ୍ତ ବିଭାଗୀୟ କର୍ମଚାରୀମାନେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ। ତେବେ ସେତେବେଳକୁ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା। ଖବର ପାଇ ଦମକଳ ବାହିନୀ, ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲା।

ଆହତମାନଙ୍କୁ ୫ଟି ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ବଡ଼ ଡାକ୍ତରଖାନାରେ ମୃତକଙ୍କ ସମ୍ପର୍କୀୟମାନେ ବିନା ବ୍ୟବଚ୍ଛେଦରେ ଶବ ନେଇଯିବାକୁ ଜିଦ୍‌ କରିଥିଲେ। ଯାହାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ତେବେ ଏସ୍‌.ପି. ଏବଂ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ ହୋଇଥିଲା। ଏହାପରେ ବଡ଼ ଡାକ୍ତରଖାନା ଏଫ୍‌ଏମ୍‌ଟି ବିଭାଗରେ ୯ଜଣଙ୍କ ଶବ ବ୍ୟବଚ୍ଛେଦ କରା ଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ମର ଶରୀରଗୁଡ଼ିକୁ ଡଙ୍କଲପାଡ଼ୁ ଗ୍ରାମକୁ ନିଆ ଯାଇଥିଲ। ଶବ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଗାଁ। ଆଉ ଶୋକକୁଳ ପରିବେଶରେ ଶବଗୁଡ଼ିକୁ ଦାହ କରାଯାଇଥିଲା।

ସମ୍ବନ୍ଧିତ ଖବର