ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ବିଲକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ, କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହେଲେ ଆହତ

କେନ୍ଦ୍ରାପଡ଼ା: କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଜଣେ ସ୍କୁଟି ଚାଳକଙ୍କୁ ବଂଚାଇବାକୁ ଯାଇ ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ରାସ୍ତାକଡ଼ରେ ଥିବା ବିଲକୁ ଓଲଟି ପଡ଼ିଛି । କିନ୍ତୁ ଖୁସିର କଥା ହେଲା ଯେ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ । କିଛି ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଜି ଅପରାହ୍ନରେ ଯାତ୍ରୀବାହୀ ବସ୍ (ପବନ ପୁତ୍ର ଓଆର ୦୪ ଏଫ-୧୧୨୫) କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲା । କିନ୍ତୁ ବସଟି କେନ୍ଦ୍ରାପଡ଼ାରେ ପହଂଚିବା ପୂର୍ବରୁ ଜମଧରସ୍ଥିତ ନର୍ସରୀ ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ନର୍ସରୀ ନିକଟରେ ନହଙ୍ଗ ନିବାସୀ ଭୀମ ଗୋଚ୍ଛାୟତ ଘରକୁ ଫେରୁଥିବା ବେଳେ ଅଚାନକ ବସ ସମ୍ମୁଖକୁ ଆସିଯାଇଥିଲେ । ବସର ଚାଳକ ଉପସ୍ଥିତ ବୁଦ୍ଧି ଲଗାଇ ବ୍ରେକ୍ ଦେଇ ଦେବାରୁ ଭୀମ ବସତଳେ ପଡ଼ିଯାଇଥିଲେ । କିନ୍ତୁ ସେ ମରଣ ମୁହଁରୁ ବର୍ତ୍ତି ଯାଇଥିଲେ । କିନ୍ତୁ ଭୀମ ତଳେ ପଡ଼ିଯିବାରୁ ସାମାନ୍ୟ ଆହତ ହୋଇଥିଲେ ।

ଭୀମ ଗୋଛାୟତ

ପ୍ରାପ୍ତ ସୂଚନା ଅନୁସାରେ ବସରେ ପାଖାପାଖି ୩୦ ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର