କାଞ୍ଜିପାଣିରେ ବରଯାତ୍ରୀ ବସ୍ ଓଲଟିବା ଘଟଣା‌: ମୃତ୍ୟୁସଂଖ୍ୟା ୨କୁ ବଢ଼ିଲା, ୨୫ ଆହତ

କେନ୍ଦୁୁଝର: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି-ତେଲକୋଇ ପୂର୍ତ୍ତ ରାସ୍ତାର ବାରବାଙ୍କ କୁସୁମ ଘାଟିରେ ଏକ ବରଯାତ୍ରୀ ବସ୍‌ ଓଲଟି ପଡ଼ିବାରୁୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ‌ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି। ମୃତକ ଦୁୁଇଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ଗ୍ରାମର ଅନୀଲ ମହାରଣା(୨୮) ଏବଂ ସୁନ୍ଦରଗଡ଼ ଜିଲ୍ଲା ବନ୍ଦମୁଣ୍ଡା ଥାନା ଅନ୍ତର୍ଗତ ବନ୍ଦମୁଣ୍ଡା ଗ୍ରାମର ବ୍ରଜମୋହନ ମହାନ୍ତି(୩୫)। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କୁ କଟକ ନେବା ବାଟରେ କାମାକ୍ଷାନଗରଠାରେ ମୃତ୍ୟୁ ଘଟିଛି। ଆହତମାନଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ନେହା ସଫାରି ନାମକ ଏକ ଘରୋଇ ବସ୍‌(ଓଡି୧୪ଏ- ୦୧୯୩) ଗତକାଲି ସନ୍ଧ୍ୟାରେ ରାଉରକେଲା ବନ୍ଦମୁଣ୍ଡା ଗ୍ରାମରୁ ବରଯାତ୍ରୀଙ୍କୁ ନେଇ କେନ୍ଦୁଝର ଢେଙ୍କିକୋଟ ଆସିଥିଲା। ଆଜି ସକାଳେ ବରଯାତ୍ରୀଙ୍କୁ ନେଇ କାଞ୍ଜିପାଣି-ତେଲକୋଇ ପୂର୍ତ୍ତ ରାସ୍ତାରେ ବନ୍ଦମୁଣ୍ଡାକୁ ଫେରୁଥିବା ବେଳେ ବାରବାଙ୍କ କୁସୁମ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା। ଦ୍ରୁତଗତିରେ ଯାଉଥିବା କାରଣରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକେ, ପୁଲିସ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଗୁରୁତର ଆହତମାନେ ହେଲେ ବନ୍ଦମୁଣ୍ଡାର ବ୍ରଜମୋହନ ମହାନ୍ତି(୩୫), ପୀୟୂଷ ଦାସ(୧୪), ସଂଯୁକ୍ତା ମହାରଣା(୩୫), ସଙ୍ଗୀତା ସାହୁ(୩୦), ଆୟୂଷ ସାହୁ(୧୧), ପିଚୁକୁଳି ଗ୍ରାମର ଭରତ ମହାରଣା(୫୦), ରାମଟୁଲିର ସଂଯୁକ୍ତା ପଣ୍ଡା(୪୮), ସୁପ୍ରିୟା ପଣ୍ଡା(୧୩), ସୁନ୍ଦରଗଡ ବଡଗାଁର ଦିବ୍ୟ ଧନଓ୍ବାର(୨୮), ସନୁଜ କୁମାର ସିଂ, ରାଜକିଶୋର ନହରା, ସ୍ବର୍ଣ୍ଣଲତା ମହାରଣା, ଝିଲ୍ଲୀ ମହାରଣା, ଅଜୟ ମହାରଣା, ସୁନୀଲ ମହାରଣା, ବିଶାଲ ନହରା ବୋଲି ଜଣାପଡିଛି। ଦିବ୍ୟ ଧନଓ୍ବାର ଓ ଭରତକୁ କାମାକ୍ଷାନଗର ଡାକ୍ତରଖାନାକୁ ପଠାଯାଇଛି। ଖବର ପାଇ କାଞ୍ଜିପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା। ଗାଡ଼ିକୁ ଜବତ କରିି କେସ୍ ନମ୍ବର ୧୫/୨୧‌ରେ ଦଫା ୨୭୯, ୩୩୭, ୩୩୮, ୩୦୪(ଏ) ଆଇପିସିରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ।

ସମ୍ବନ୍ଧିତ ଖବର