ମହାନଦୀ ଦୁର୍ଘଟଣାର ତଦନ୍ତ : ଦୁର୍ବଳ ବାଡ଼ା, ମଇଁଷି ଦାୟୀ

ମେଡିକାଲ୍‌ରେ ୧୦ ଜଣ ଆହତଙ୍କ ବୟାନ ରେକର୍ଡ

କଟକ-ଜଗତପୁର : ମହାନଦୀ ପୋଲରୁ ‘ଜଗନ୍ନାଥ’ ବସ୍‌ ଖସି ପଡ଼ିବା ଫଳରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପାଇଁ ମଇଁଷି ଓ ପୋଲର ଦୁର୍ବଳ ବାଡ଼ା ଦାୟୀ। ଘଣ୍ଟା ପ୍ରତି ପ୍ରାୟ ୮୦ କିଲୋମିଟର ବେଗରେ ଆସୁଥିବା ବସ୍‌ର ଡ୍ରାଇଭର ଖଗେଶ୍ବର ମୁଦୁଲି ମଇଁଷିକୁ ବଞ୍ଚାଇବାକୁ ଯାଇ ନିୟନ୍ତ୍ରଣ ହରାଇ ବାଡ଼ାରେ ବସକୁ ଧକ୍କା ଦେଇଥିଲେ। କିଛି ସେକେଣ୍ତ ଭିତରେ ବସ୍‌ଟି ନଈ ଭିତରକୁ ଖସିପଡ଼ିଥିବା ରୋଡ୍‌ ସେଫ୍ଟି କମିଟି ପ୍ରାଥମିକ ରିପୋର୍ଟରେ ଦର୍ଶାଇଛି। ଏହି ରିପୋର୍ଟ ଜଉମୁଦ ଲଫାଫାରେ ଆଜି କଟକ ଆର‌୍‌ଟିଓଙ୍କ ନିକଟରେ ଦାଖଲ କରାଯାଇଛି। ଏହାକୁ ଏସ୍‌ଟିଏ(ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି) ଏବ˚ କ୍ରାଇମ୍‌ବ୍ରାଞ୍ଚକୁ ଆସନ୍ତାକାଲି ସୁଦ୍ଧା ପଠାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଜଗତପୁର ଥାନା ପୁଲିସ ମଧ୍ୟ ସମାନ୍ତରାଳ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଟିମ୍‌ ଆଜି ବଡ଼ ମେଡିକାଲ୍‌ରେ ପହଞ୍ଚି ଚିକିତ୍ସିତ ହେଉଥିବା ୧୦ ଜଣ ଆହତଙ୍କ ବୟାନ ରେକର୍ଡ କରିଛି।

ମହାନଦୀ ପୋଲ ଉପରେ ଗତ ୨୦ ତାରିଖରେ ଜଗନ୍ନାଥ ବସ୍‌ ଦୁର୍ଘଟଣା ମାମଲାରେ ଆଜି ଦିନ ପ୍ରାୟ ୧୧ଟା ବେଳେ ରୋଡ୍‌ ସେଫ୍ଟି କମିଟିର ତଦନ୍ତ ଆରମ୍ଭ ହୋଇଥିଲା। ଏଥିରେ ଏମ୍‌ଭିଆଇ ରଶ୍ମି ରଞ୍ଜନ ଦଳବେହେରା, ଜୁନିଅର‌୍‌ ଏମ୍‌ଭିଆଇ ପ୍ରଶାନ୍ତ ରାଉତ, ଅତିରିକ୍ତ ଆର‌୍‌ଟିଓ, ଏନ୍‌ଏଚ୍‌ଆଇର ଟେକ୍‌ନିକାଲ୍‌ ମ୍ୟାନେଜର ଦେବବ୍ରତ ସାହୁ, ସର୍ଭେ ଯନ୍ତ୍ରୀ ଅରୂପ ମିଶ୍ର, ମେଟାଲିକ୍‌ ଇଞ୍ଜିନିୟର ହିମା˚ଶୁ ରାଉତ, ଜଗତପୁର ଥାନା ଅଧିକାରୀ ବିରଞ୍ଚି ପତି, ଦୁର୍ଘଟଣାର ତଦନ୍ତକାରୀ ପୁଲିସ ଅଧିକାରୀ ପ୍ରମୋଦ କୁମାର ଦାସ, ରୋଡ୍‌ ସେଫ୍ଟି କମିଟି ସଦସ୍ୟ ରବି ଶତପଥୀ ଏବ˚ ଟାଟାର ଇଞ୍ଜିନିୟର ସାମିଲ ହୋଇଥିଲେ। ଦିନ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଯାଞ୍ଚ କରିଥିଲେ। କେଉଁ କାରଣ ପାଇଁ ଗାଡ଼ି ଦୁର୍ଘଟଣା ଘଟିଲା, ଗାଡ଼ିରେ ସେଭଳି କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା କି ନାହିଁ ଏବ˚ ପୋଲରେ କି ପ୍ରକାର ସମସ୍ୟା ଥିଲା-ମୁଖ୍ୟତଃ ଏହି ୩ଟି ଦିଗ ଉପରେ ଗୁୁରୁତ୍ବ ଦେଇଥିଲା ରୋଡ୍‌ ସେଫ୍ଟି କମିଟି। ପୁଲିସ ପକ୍ଷରୁ ଆଜି ବଡ଼ ମେଡିକାଲ୍‌ରେ ୧୦ ଜଣ ବୟାନ ରେକର୍ଡ ସହିତ ତଦନ୍ତ ରୋଡ୍‌ ସେଫ୍ଟି କମିଟିର ରିପୋର୍ଟ ଏକ ନକଲ ପୁଲିସ ନିକଟରେ ଦାଖଲ କରିବାକୁ ଏମ୍‌ଭିଆଇଙ୍କୁ କମିସନରେଟ୍‌ ପୁଲିସ ଚିଠି ଲେଖିିଥିବା ଥାନା ଅଧିକାରୀ ବିରଞ୍ଚି ପତି କହିଛନ୍ତି।

ରୋଡ ସେଫ୍ଟି କମିଟିର ସଦସ୍ୟ ରବି ଶତପଥୀ ଦୁର୍ଘଟଣା ପଛରେ ଗାଡ଼ିର କୌଣସି ଦୋଷ ନଥିବା କହିଛନ୍ତି। ସେ କହିଛନ୍ତି, ଗାଡ଼ିର ଟାୟାର ଠିକ୍‌ ଅଛି। ସ୍ପିଡ୍‌ ଗଭର୍ଣ୍ଣର ବି ଲାଗିଛି। ଯଦ୍ବାରା ୮୦ କିମି ଉପରକୁ ଗାଡ଼ି ଚାଲି ପାରିବ ନାହିଁ। ଅଢେ଼ଇ ବର୍ଷର ଗାଡ଼ି ହୋଇଥିବାରୁ ଗାଡ଼ିର ବଡ଼ି ମଧ୍ୟ ମଜବୁତ ଅଛି। ଡ୍ରାଇଭର‌୍‌ଙ୍କ ୫୦ ବର୍ଷର ଅଭିଜ୍ଞତା ରହିଛି। ମଇଁଷିକୁ ବଞ୍ଚାଇବାକୁ ଯାଇ ଦୁର୍ବଳ ବାଡ଼ାରେ ବାଡେ଼ଇ ହେବାରୁ ଦୁର୍ଘଟଣା ଘଟିଛି। ଅନ୍ୟପଟେ ବ୍ରିଜ ବହୁତ ଦିନର ପୁରୁଣା ହୋଇଥିବାରୁ ବାଡ଼ା ଦୁର୍ବଳ ହୋଇପଡ଼ିଛି। ସହଜରେ ବାଡ଼ା ଭାଙ୍ଗି ଯିବାରୁ ଗାଡ଼ି ଗଳିପଡ଼ିଛି। ରାସ୍ତାରେ ଯେଉଁ ଗାଇ ଗୋରୁ ଯାଉଛନ୍ତି, ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଦୁର୍ଘଟଣା ଘଟୁଛି। ପୁରୁଣା ପୋଲରେ ଲାଇଟ୍‌ ମଧ୍ୟ ନାହିଁ। ଏସବୁ ଦୁର୍ଘଟଣାର କାରଣ ହେଉଛି।

ଏମ୍‌ଭିଆ ରଶ୍ମିରଞ୍ଜନ ଦଳବେହେରା କହିଛନ୍ତି, ଗାଡ଼ିର କଣ ସବୁ ଯାନ୍ତ୍ରିକ ବିଫଳତା ରହିଛି, ସେ ନେଇ ଯାଞ୍ଚ କରାଯାଇଛି। ଗାଡ଼ିଟି ଧକ୍କା ଦେଲା ପରେ ଟାୟାର ଫାଟିଥିବା ବେଳେ ଷ୍ଟିଅରି˚ ବି ଭାଙ୍ଗିଯାଇଛି। ଏକ୍ସିଲେଟର‌୍‌ ଛିଡ଼ିଯାଇଛି। ଗାଡ଼ିରେ ଆଣ୍ଟି-ଲକ୍‌ ବ୍ରେକି˚ ସିଷ୍ଟମ୍‌(ଏବିଏସ୍‌), ରିଟାଡର‌୍‌ ଏବ˚ ସ୍ପିଡ୍‌ ଗଭର୍ଣ୍ଣର ରହିଛି। ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ରେ ଗାଡ଼ିର କାପାସିଟି ୫୮ ଥିବା ଜଣାପଡ଼ିଛି।

ଏନ୍‌ଏଚ୍‌ଆଇର ଟେକ୍‌ନିକାଲ୍‌ ମ୍ୟାନେଜର ଦେବ ପ୍ରସାଦ ସାହୁ କହିଛନ୍ତି ଯେ ଏବେ ପୁରା ଘଟଣାର ଅନୁଧ୍ୟାନ କରାଯାଉଛି। ଉକ୍ତ ପୁରୁଣା ପୋଲରେ ହାଲୁକା ଯାନ ପାଇଁ ବୋର୍ଡ ଲଗାଯାଇଛି। ଅନ୍ୟପଟେ ପୋଲରେ ଆଲୋକର ବ୍ୟବସ୍ଥା ନଥିବାରୁ ପ୍ରାଥମିକ ରିପୋର୍ଟ ଆସିଲେ, ସେ ସମ୍ପର୍କରେ ଆଲୋଚନା କରାଯିବ।

ଅନ୍ୟପଟେ ଜଗନ୍ନାଥ ବସ୍‌ ମାଲିକ ଦିଲ୍ଲୀପ ପାଣି କହିଛନ୍ତି, ଗାଡ଼ିର ସମସ୍ତ କାଗଜପତ୍ର ଠିକ୍‌ ଅଛି। ଗାଡ଼ି ଓଭର ଲୋଡି˚ ନଥିଲା। ସ୍ପିଡ ଗଭର୍ଣ୍ଣର ବି ଲାଗିଛି। ମଇଁଷି ଆସିବାରୁ ତାକୁ ବଞ୍ଚାଇବା ପାଇଁ ଦୁର୍ଘଟଣା ଘଟିଥିବା ଶ୍ରୀ ପାଣି କହିଛନ୍ତି।

ସମ୍ବନ୍ଧିତ ଖବର