ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛକୁ ଧକ୍କା‌ ଦେଲା ଆନ୍ଧ୍ର ବସ୍‌; କଣ୍ଡକ୍ଟରଙ୍କ ମୃତ୍ୟୁ, ଚାଳକଙ୍କ ସମେତ ୮ ଆହତ

ପଟ୍ଟାଙ୍ଗି: ଆନ୍ଧ୍ରପ୍ରଦେଶର ଏକ ସରକାରୀ ବସ୍‌ ଓଡ଼ିଶା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଶଳ ଗଛକୁ ଧକ୍କା ଦେବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଗ୍ରାମ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ବସ୍‌ର କଣ୍ଡକ୍ଟରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚାଳକଙ୍କ ସମେତ ମୋଟ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କେରାପୁଟ ଜିଲ୍ଲା ଦାମନଯୋଡ଼ିରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଆନ୍ଧ୍ରର ଏକ ଯାତ୍ରୀବାହୀ ବସ (ଏପି ୯୧୨-୦୩୪୬) ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ରହିଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ମୋଟ ୮ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଡ୍ରାଇଭରଙ୍କ ସମେତ ୪ ଯାତ୍ରୀଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳକୁ ପହଞ୍ଚି, ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର