ବସ୍‌-ବଲେରୋ ଧକ୍କା; ୪ ତୀର୍ଥଯାତ୍ରୀ ମୃତ, ବର୍ତ୍ତିଗଲେ ୨ ଶିଶୁ

ମୃତକଙ୍କ ମଧ୍ୟରେ ଏନ୍‌ଆଇବି ଏସ୍‌ଆଇ ଏବଂ ତାଙ୍କ ପତ୍ନୀ, ଝିଅ

ଅନୁଗୁଳ/ଛେଣ୍ଡିପଦା: ତୀର୍ଥଯାତ୍ରା ହେଲା ଶେଷଯାତ୍ରା। ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବାହାରିଥିଲେ। ‌ହେଲେ ଅଧୁରା ରହିଗଲା ଆଶା। ପହଂଚି ପାରିଲେନି ପୁରୀ। ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜିଲ୍ଲା କତଡ଼ା ନିକଟରେ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ବ‌େଲରୋ। ଆଉ ଏଥିରେ ନେସ୍‌ନାଲ ଇନ୍‌ଭେଷ୍ଟିଗେସନ ବ୍ୟୁରୋ(ଏନ୍ଆଇବି)ର ସବ୍‌-ଇନ୍‌ସପେକ୍ଟର କମଳ ସିଂହ ଧ୍ରୁବ(୪୦), କମଳଙ୍କ ପତ୍ନୀ କେଶର କିରଣ ଧ୍ରୁବ(୩୫), ଝିଅ ଶ୍ରୀରଶ୍ମି ଧ୍ରୁବ(୧୧) ଓ କମଳଙ୍କ ଶାଳୀ ସୁମନ ଧ୍ରୁବ(୩୧)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କମଳଙ୍କ ଭାଇ, ସଡ଼ୁଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣେ ଆହତଙ୍କୁ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଛି।

ବର୍ଷର ଶେଷ କେଇଦିନ ପୁରୀରେ କାଟିବା ପାଇଁ ଛତିଶଗଡ଼ର ରାୟପୁର ଜିଲ୍ଲା ନେଓରା(ତିଆଲଦା) ଥାନା ଅନ୍ତର୍ଗତ ସରାରିଡ ଗାଁର କମଳସିଂହ ଧ୍ରୁବ ଓ ତାଙ୍କ ସଡ଼ୁ ରାୟପୁର ଆଜାଦ ଛକ ଅଂଚଳର ଲକ୍ଷ୍ମୀକାନ୍ତ ନାମଦେବଙ୍କ ପରିବାର ଯୋଜନା କରିଥିଲେ। ଏକାଠି ଜଗନ୍ନାଥ ଦର୍ଶନ କରିବା ସହ କିଛିଦିନ ହସଖୁସିରେ ବିତାଇବା ପାଇଁ ସେମାନେ ସୋମବାର ଦିନ ଏକ ବଲେରୋ (ସିଜି ୦୪ଏଚ୍‌କେ ୦୧୮୩)ରେ ପୁରୀ ଅଭିମୁଖେ ବାହାରିଥିଲେ। ରାତି ପାଖାପାଖି ୨ଟା। କମଳ ନିଜେ ଗାଡ଼ି ଚଳାଉଥିଲେ। ସମ‌େସ୍ତ କଥାବାର୍ତ୍ତାରେ ମଜ୍ଜି ଯାଇଥିଲେ। ଜରପଡ଼ା ଥାନା କତଡ଼ାର ଗୁରୁଣ୍ଡୁ ଗୋପାଳ ହାଇସ୍କୁଲ ସମ୍ମୁଖରେ ବିପରୀତ ଦିଗରୁ ‘ସୁଶୀଳ’ ଯାତ୍ରୀବାହୀ ବସ୍‌ (ଓଆର ୦୫ଏଜେ-୬୨୯୮) ସହିତ ସେମାନଙ୍କ ବଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଯାତ୍ରୀବାହୀ ବସ୍‌ ଭୁବନେଶ୍ବରରୁ ଝାରସୁଗୁଡ଼ା ଜିଲ୍ଲା ଇବ୍‌ ଥର୍ମାଲ ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ଦ୍ରୁତ ଗତିରେ ଆସୁଥିଲେ। ଗାଡ଼ି ନିୟନ୍ତ୍ରଣ ବାହାରେ ଥିଲା। ବସ୍‌ ସହ ଜୋର୍‌ରେ ପିଟି ହୋଇଥିଲା ବଲେରୋ। ବସ୍‌ର ସମ୍ମୁଖ ଭାଗକୁ କ୍ଷତି ପହଂଚିଥିଲେ ହେଁ ଯାତ୍ରୀମାନଙ୍କର କିଛି କ୍ଷତି ହୋଇନଥିଲା। ତେବେ ବଲେରୋରେ ଥିବା ୧୦ ଜଣଙ୍କ ମଧ୍ୟରୁ ଭିତରେ ଚାପି ହୋଇଯାଇଥିଲେ ୪ ଜଣ। କମଳ ସିଂହ ଧ୍ରୁବ(୪୦), ତାଙ୍କ ପତ୍ନୀ କେଶର କିରଣ ଧ୍ରୁବ(୩୫), ଝିଅ ଶ୍ରୀରଶ୍ମି ଧ୍ରୁବ(୧୧) ଓ କମଳଙ୍କ ଶାଳୀ ସୁମନ ଧ୍ରୁବ(୩୧)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ କମଳଙ୍କ ସଡ଼ୁ ଲକ୍ଷ୍ମୀକାନ୍ତ ନାମଦେବ(୩୪), ଲକ୍ଷ୍ମୀକାନ୍ତଙ୍କ ପତ୍ନୀ ଲକ୍ଷ୍ମୀ ନାମଦେବ(୩୩), ପୁଅ ଗୋବିନ୍ଦ ନାମଦେବ(୧୧) ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ କମଳଙ୍କ ସାନଝିଅ ଶ୍ରୁତି ଧ୍ରୁବ(୪) ଓ ଲକ୍ଷ୍ମୀକାନ୍ତ ନାମଦେବଙ୍କ ସାନପୁଅ ପ୍ରଖର ନାମଦେବ(୭) ଏହି ଭୟାବହ ଦୁର୍ଘଟଣାରୁ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟେ ଅକ୍ଷତ ଥିବା ଜଣାପଡ଼ିଛି।

ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ମୃତାହତଙ୍କୁ ଗାଡ଼ିରୁ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। କିଛି ସମୟ ମଧ୍ୟରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ପହଂଚି ଯାଇଥିଲେ। ଲୋକଙ୍କ ସହାୟତାରେ ମୃତାହତମାନଙ୍କୁ ବଲେରୋରୁ ବାହାର କରାଯାଇଥିଲା। ଜରପଡ଼ା ପୁଲିସ ଆହତମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣେ ଆହତ କମଳଙ୍କ ସାନଭାଇ ନିଲେଶ ଧ୍ରୁବ(୩୦) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ବି ମୁଣ୍ଡରେ ଆଘାତ ଲାଗିଛି। ମୃତ କେଶର କିରଣ ଓ ତାଙ୍କ ଭଉଣୀ ସୁମନ ଏବଂ ଆହତ ଲକ୍ଷ୍ମୀ ରାୟପୁରର କୁରାବ ସ୍କୁଲ‌ର ଶିକ୍ଷୟିତ୍ରୀ ବୋଲି ଏନ୍ଆଇବିର ଜଣେ ବରିଷ୍ଠ ଅଫିସର ଥିବା ‌ନାରାୟଣ ସିଂହ ଧ୍ରୁବ(କମଳଙ୍କ ଭାଇ) ସୂଚନା ଦେଇଛନ୍ତି। ମଂଗଳବାର ସନ୍ଧ୍ୟାରେ ପରିବାର ଲୋକେ ଅନୁଗୁଳ ପହଂଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର