କଲ୍‌ଭର୍ଟକୁ ଧକ୍କା ଦେଇ ଜଳିଗଲା ବସ୍‌, ୨୦ରୁ ଊର୍ଦ୍ଧ୍ବ ଗୁରୁତର

ରୋଗୀଙ୍କୁ ନେଇ ଫେରୁଥିଲା

ଦଶପଲ୍ଲା : ସୋମବାର ଭୋର୍‌ ପ୍ରାୟ ୪ଟାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଣୀଗୋଛା ଥାନା ଅଧୀନସ୍ଥ ଫାଲପାଜୁ ଘାଟି ନିକଟରେ ଏକ ବସ୍‌ କଲଭର୍ଟରେ ଧକ୍କା ହୋଇ ଜଳିଯାଇଛି। ବସ୍‌ଟି ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ନିକଟସ୍ଥ ସାଇ ସେବାସଦନ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ରୋଗୀଙ୍କୁ ନେଇ ଫେରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ଗାଡ଼ିରେ ଥିବା ୨୦ରୁ ଅଧିକ ରୋଗୀ ଗୁରୁତର ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ବୈାଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଦଶପଲ୍ଲା ବ୍ଲକ୍‌ର କଳସାଖମଣ ଓ ଚଡେୟାପଲ୍ଲୀ ପଞ୍ଚାୟତର ବିଏସ୍‌କେୱାଇ ଯୋଜନାରେ କାର୍ଡ ପାଇଥିବା କେତେକ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଗତ କିଛି ଦିନ ତଳେ ସ୍ଥାନୀୟ ଅଞ୍ଚଳର କେତେକ ଲୋକେ କୁହୁଡ଼ିଠାରେ ଥିବା ସାଇ ସେବାସଦନ ହସ୍ପିଟାଲକୁ ନେଇଥିଲେ। ସେଠାରେ ବିଭିନ୍ନ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ରୋଗୀଙ୍କ ଷ୍ଟିଚ୍‌ ଖୋଲି ନଥିବା ବେଳେ ଗତକାଲି ରାତିରେ ଏକ ବସ୍‌ ଯୋଗେ ସେମାନଙ୍କୁ ଗାଁକୁ ପଠାଯାଇଥିଲା। ଦଶପଲ୍ଲାର ବ୍ଲକ୍‌ ଛକଠାରେ କଳସାଖମଣର ପ୍ରାୟ ୧୦ ଜଣ ରୋଗୀଙ୍କୁ ଓହ୍ଲାଇଦେଇ ବସ୍‌ଟି ବୈାଦ୍ଧ ଅଭିମୁଖେ ଯାଉଥିଲା। ବସ୍‌ରେ ପ୍ରାୟ ୨୫ରୁ ଅଧିକ ବ୍ୟକ୍ତି ବସିଥିବା ବେଳେ ଡ୍ରାଇଭର୍‌ଙ୍କ ଅସାବଧାନତା ଯୋଗୁ ଫାଲପାଜୁଠାରେ ବସ୍‌ଟି ଏକ କଲ୍‌ଭର୍ଟକୁ ଧକ୍‌କା ଦେଇ ହୁତୁ ହୁତୁ ହୋଇ ଜଳିଯାଇଥିଲା। ତତ୍‌କ୍ଷଣାତ୍ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। କେତେକଙ୍କୁ ବାଣିଗୋଛା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ଆଉ କେତେକଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।

ଘଟଣାସ୍ଥଳରେ ଦଶପଲ୍ଲା ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ବାଣିଗୋଛା ଥାନା ଅଧିକାରୀ ସଂଜୟ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର