ବସ୍‌-କାର୍‌-ଟାଟାମ୍ୟାଜିକ୍‌ ମୁହାଁମୁହିଁ: ଦୁର୍ଘଟଣାରେ ୧୯ ଆହତ, ୫ ଗୁରୁତର

ତାରପୁର/ଗୋପାଳପୁର: କଟକ-ପାରାଦୀପ ରାସ୍ତାର ଗୋକଳପୁର ଛକଠାରେ ୩ଟି ଗାଡ଼ି ପରସ୍ପର ସହ ଧକ୍କା ହେବା ଫଳରେ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଆଜି ସକାଳ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଯାତ୍ରୀବାହୀ ବସ୍‌ ସହିତ ଏକ କାର୍‌ ଓ ଆଉ ଗୋଟିଏ ସ୍କୁଲ୍‌ ଗାଡ଼ି ଧକ୍କା ହୋଇଥିଲା। ‘ଶାନ୍ତିଲତା’ ନାମକ ଏହି ବସ୍‌ଟି କଟକରୁ ଏରସମା ଯାଉଥିଲା। କାର୍‌ଟି ପାରାଦୀପରୁ କଟକ ଆଡକୁ ଏବଂ ସ୍କୁଲ୍‌ ପିଲାଙ୍କୁ ନେଇ ଯାଉଥିବା ଏକ ଟାଟାମ୍ୟାଜିକ୍‌ ଜଇପୁରରୁ ତାରପୁରକୁ ଆଡକୁ ଯାଉଥିଲା। ଗୋକଳପୁର ଛକଠାରେ ଏହି ୩ଟି ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲା। ଫଳରେ, ବସ୍‌ଟି ରାସ୍ତା କଡ଼ କେନାଲ ମଧ୍ୟକୁ ପଶି ଯାଇଥିଲା। ଏହି ଦୁର୍ଘଟଣା ଯୋଗୁ ୩ ଟି ଗାଡ଼ିରେ ଥିବା ସମୁଦାୟ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୯ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସଙ୍ଗେସଙ୍ଗେ ସ୍ଥାନୀୟ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ, ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଥିଲା। ସେମାନେ ହେଲେ, ଦିଲିପ କୁମାର ଦାସ (୪୭), ଦେବେନ୍ଦ୍ର ବେହେରା (୬୮), କବିତା ବେହେରା (୧୭), ମମତା ଦାସ (୩୫) ଓ ଅଭିଲିପ୍ସା ସ୍ୱାଇଁ (୧୭)। ଟାଟା ମ୍ୟାଜିକ୍‌ରେ ଥିବା ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ପୋଲିସ୍‌ ବସ୍‌, ଟାଟା ମ୍ୟାଜିକ ଓ କାରକୁ ଜବତ କରିବା ସହିତ ୧୫୧/୧୭ରେ ମାମଲା ରୁଜୁ କରି ତଦନ୍ତ କରିଛି।

ସମ୍ବନ୍ଧିତ ଖବର