ବୌଦ୍ଧ : ନୂଆ ମୋଟର ଯାନ ଆଇନ ଉଲ୍ଲଂଘନ କରିଥିବା ଏକ ଘରୋଇ ଯାତ୍ରୀବାହୀ (ଓଡି ୦୨ଏକେ-୬୧୯୯) ବସ୍କୁ ବୌଦ୍ଧ ଆଞ୍ଚଳିକ ପରିବହନ ବିଭାଗ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କା ଜରିମାନା କରିଛି। ଏହା ସହିତ ବସ୍ଟିକୁ ଜବତ କରାଯାଇଥିବା ଜଣାଯାଇଛି।
ଗୁରୁବାର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜାତୀୟ ରାଜପଥ ୫୭ସ୍ଥିତ ନୂଆପଡ଼ାଠାରେ ଯାଞ୍ଚ ଚାଲିଥିବା ବେଳେ ଭୁବନେଶ୍ବରରୁ ବୌଦ୍ଧକୁ ଚଳାଚଳ କରୁଥିବା ‘ମିନାର’ ନାମକ ଯାତ୍ରୀବାହୀ ବସ୍ ମୋଟର ଯାନ ଆଇନ ଉଲ୍ଲଂଘନ କରିଥିବା ଜଣାପଡ଼ିଥିଲା। ୫ଟି ଟ୍ରାଫିକ୍ ନିୟମ ଉଲ୍ଲଂଘନ ବାବଦ ମୋଟ୍ ୬ଲକ୍ଷ ୭୨ହଜାର ୪୪୫ଟଙ୍କାର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରାଯାଇଥିବା ଆରଟିଓ ଭାଗୀରଥି ନାୟକ କହିଛନ୍ତି। ଆରଟିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଳାଚଳ ପାଇଁ ୫ ହଜାର ଟଙ୍କା, ପରମିଟ୍ ନଥାଇ ଗାଡ଼ି ଚାଲୁଥିବାରୁ ୧୦ ହଜାର ଟଙ୍କା, ବୀମା ନଥିବାରୁ ୨ ହଜାର ଓ ସାଧାରଣ ଅପରାଧ ପାଇଁ ପଡ଼ିଛି ୫୦୦ ଟଙ୍କା ଜରିମାନା କରାଯାଇଛି। ଏହା ବ୍ୟତୀତ ଏହି ବସ୍ର ଓଡ଼ିଶା ମୋଟର ଯାନ ଟିକସ ବାବଦ ୬ ଲକ୍ଷ ୫୪ ହଜାର ୯୪୫ ଟଙ୍କା ବକେୟା ରହିଥିବା ଜଣାଯାଇଛି।
୨ ନାବାଳକ ଗାଡ଼ି ଚାଳକଙ୍କୁ ୬୦ ହଜାର ଜରିମାନା, ପଞ୍ଚମ ଶ୍ରେଣୀ ଶିଶୁ ହାତରେ ଆକ୍ଟିଭା
ସମ୍ବଲପୁର : ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବା ପରେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରୁନାହିଁ। ଗୁରୁବାର ସହରର ଏଭଳି ୨ ଜଣ ନାବାଳକ ଚାଳକ ଟ୍ରାଫିକ୍ ପୁଲିସ ହାତରେ ଧରା ପଡ଼ିଛନ୍ତି। ନାବାଳକ ଗାଡ଼ି ଚାଳନା କରି ଟ୍ରାଫିକ ନିୟମ ଉଲ୍ଲଂଘନ ଓ ଲାଇସେନ୍ସ ନଥିବାରୁ ପ୍ରତି ନାବାଳକଙ୍କ ଅଭିଭାବକଙ୍କଠାରୁ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା।ପୁଲିସର ସୂଚନା ମୁତାବକ, କନ୍ଭେଣ୍ଟ ସ୍କୁଲରେ ପଢ଼ୁଥିବା କ୍ଷେତରାଜପୁର ମୁଙ୍ଗାପଡ଼ାର ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଆକ୍ଟିଭା ନେଇ ଦିନ ୧୨ଟା ୧୫ରେ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲେ। ଏହି ଘଟଣାର ଠିକ୍ ୧୫ ମିନିଟ୍ ପରେ ଅଇଁଠାପାଲି ଛକରେ ଯାଞ୍ଚ ଚାଲିଥିବା ସମୟରେ କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଛାତ୍ର ପୁଲିସ ହାବୁଡ଼ରେ ପଡ଼ିଥିଲେ। ଫଳରେ ପୁଲିସ ତାଙ୍କୁ ମଧ୍ୟ ଅଟକ ରଖିବା ପରେ ଜରିମାନା ଆଦାୟ କରିଥିଲା। ଉଭୟ ନାବାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଓ ନାବାଳକ ଗାଡ଼ି ଚାଳନା ପାଇଁ ୨୫ ହଜାର ଟଙ୍କା ଲେଖାଏଁ ତଣ୍ଡ ଗଣିବାକୁ ପଡ଼ିଥିଲା।