ପ୍ରବାସୀଙ୍କୁ ନେଇ ସୁରତ ଯାଉଥିବା ବସ୍‌ର ଫିଟନେସ୍‌ କି ଇନ୍‌ସ୍ୟୁରାନ୍ସ ନ ଥିଲା

ଶ୍ରମିକଙ୍କୁ କାମ ମିଳୁନି
ପେଟ ପାଇଁ ଭିଟାମାଟି ଛାଡ଼ି ପୁଣି ଦୌଡ଼ୁଛନ୍ତି
ଚେଇଁ ଶୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର/ଆସିକା : ସୂତାକଳ ବନ୍ଦ ପରେ ଜୀବିକା ହରାଇ ଗଞ୍ଜାମକୁ ଫେରିଥିବା ଶହ ଶହ ଓଡ଼ିଆ ଶ୍ରମିକ ଏବେ ପୁଣି ସୁରତ ଫେରୁଛନ୍ତି। ସୁରତରୁ ପ୍ରତ୍ୟହ ଏକାଧିକ ବସ୍‌ ଆସି ବିପଦସଙ୍କୁଳ ଭାବେ ଶ୍ରମିକଙ୍କୁ ନେଇ ସୁରତ ଯାଉଛି। ଚାରିଟା ମାସ ଆଗରୁ ଫେରନ୍ତା ପ୍ରବାସୀଙ୍କ ପ୍ରତି ଦରଦ ଦେଖାଉଥିଲା ପ୍ରଶାସନ। ଏବେ ସବୁ ଜାଣି ନିରବଦ୍ରଷ୍ଟା ସାଜିଛି। କାମଧନ୍ଦା କି ରୋଜଗାର ନ ପାଇ ଓଡ଼ିଆ ଶ୍ରମିକ ଭିଟାମାଟି ଛାଡ଼ି ପୁଣି ଦୌଡ଼ୁଛନ୍ତି। ଛତିଶଗଡ଼ଠାରେ ଘଟିଥିବା ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଏହି ବିପଦସଙ୍କୁଳ ଯାତ୍ରାର ପରିଣତି ବୋଲି କୁହାଯାଉଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରବାସୀଙ୍କୁ ନେଇ ସୁରତ ଯାଉଥିବା ବସ୍‌ର ଫିଟ୍‌ନେସ୍‌ ନ ଥିଲା କି ହର୍ଣ୍ଣ ବାଜୁ ନ ଥିଲା। ଏପରିକି ଇନ୍‌ସ୍ୟୁରାନ୍ସ ବି ନ ଥିଲା। ପରିବହନ କ୍ଷମତାଠାରୁ ଯଥେଷ୍ଟ ଅଧିକ, ୬୭ ଜଣ ଯାତ୍ରୀ ଥିଲେ।

ବସ୍‌ର ମାଲିକାନା ବିପୁଲ୍‌ ଭାଇ ନାମକ ବ୍ୟକ୍ତିଙ୍କ ନାମରେ ରହିଛି। ବସ୍‌ଟି ୨୦୧୬ ଡିସେମ୍ବର ୫ତାରିଖରେ ପଞ୍ଜୀକରଣ ହୋଇଛି। କିନ୍ତୁ ୧ ବର୍ଷ ତଳୁ ଫିଟ୍‌ନେସ୍‌ ନାହିଁ। ୨୦୧୯ ମେ ୭ତାରିଖରୁ ବସ୍‌ର ଫିଟନେସ୍‌ ଅବଧି ଶେଷ ହୋଇଛି। ୨୦୧୯ ସେପ୍ଟେମ୍ବର ୨୫ତାରିଖରୁ ଉକ୍ତ ବସ୍‌ର ଇନ୍‌ସ୍ୟୁରାନ୍ସ ନାହିଁ। ଟ୍ୟାକ୍ସ ଅବଧି ମଧ୍ୟ ୨୦୧୮ ସେପ୍ଟେମ୍ବର ୩୦ରୁ ଶେଷ ହୋଇଯାଇଛି। ଫିଟନେସ୍‌, ଇନସ୍ୟୁରାନ୍ସ ନ ଥାଇ ବସ୍‌ଟି ୩ଟି ରାଜ୍ୟର ୧୭୫୦ କିମି ଅତିକ୍ରମ କରି କିଭଳି ଗଞ୍ଜାମ ଆସିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁ ଜାଣି ଆଖି ବୁଜିଦେବା କାରଣରୁ ଏଭଳି ଏକ ଅଘଟଣ ଘଟିଛି। ବାହାର ରାଜ୍ୟରୁ ପ୍ରବାସୀଙ୍କୁ ନେବା ଲାଗି ଆସୁଥିବା ବସ୍‌ଗୁଡ଼ିକୁ ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ୍‌ କରା ଯାଉଥାନ୍ତା ତେବେ କେତେକା˚ଶରେ ଏଭଳି ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି କୁହାଯାଉଛି।

ଗଞ୍ଜାମକୁ ବସ୍‌ ଆସି ପ୍ରବାସୀଙ୍କୁ ନେଇ ଯିବା ନୂଆ କଥା ନୁହଁ। ଗତ ଜୁଲାଇ ୧୫ ତାରିଖ ଠାରୁ ଏହି ଧାରା ଆରମ୍ଭ ହୋଇଛି। ପ୍ରତ୍ୟହ ଜିଲ୍ଲାରୁ ଏକାଧିକ ବସ୍‌ ସୂତାକଳ ଶ୍ରମିକଙ୍କୁ ନେଇ ସୁରତ ଯାଉଛି। ସୁରତର କିଛି ଦଲାଲ୍‌ ଏହାକୁ ନେଇ ବେପାର ଚଳାଇଛନ୍ତି। ଇତିମଧ୍ୟରେ ଜିଲ୍ଲାରୁ ୨ଶହରୁ ଊର୍ଦ୍ଧ୍ବ ବସ୍‌ରେ ପ୍ରବାସୀ ଶ୍ରମିକ ଗଜୁରାଟର ସୁରତ, ଅହମଦାବାଦ୍‌, ତାମିଲନାଡ଼ୁ, କେରଳ, ଆନ୍ଧ୍ର ଆଦି ରାଜ୍ୟକୁ ଗଲେଣି। ବସ୍‌ଗୁଡ଼ିକ ମଧ୍ୟରେ ୭୦ ପ୍ରତିଶତ ବସ୍‌ ଅନ୍ୟ ରାଜ୍ୟର, ବାକି ୩୦ ପ୍ରତିଶତ ସ୍ଥାନୀୟ ବସ୍‌। ସୁରତ ଓ ଅହମ୍ମଦାବାଦରୁ ଆସୁଥିବା ବସ୍‌ଗୁଡ଼ିକ ପ୍ରାୟ ୩୫ଶହ କମି ଯାତାୟାତ ଆସୁଛନ୍ତି। ଏହି ବସ୍‌ ଯାତାୟତ ଲାଗି ପ୍ରାୟ ୫ରୁ ୬ଦିନ ସମୟ ଲାଗୁଛି। ହେଲେ ଏହି ବସ୍‌ଗୁଡ଼ିକୁ ଯାଞ୍ଚ ପ୍ରତି ପ୍ରଶାସନର ସମୟ ନାହିଁ। ବୀମା ନ ଥିବା ବସ୍‌ଗୁଡ଼ିକ ଦୁର୍ଘଟଣା ଘଟିଲେ ସେଥିରେ ଥିବା ଯାତ୍ରୀଙ୍କୁ ଦୁର୍ଘଟଣାଜନିତ ବୀମା ମିଳିବା ସହଜ ହେବ ନାହିଁ। ଏହା ସତ୍ତ୍ବେ ପ୍ରଶାସନ ଅଣଦେଖା କରି ଆସୁଛି।

ପ୍ରକାଶ ଥାଉ କି, ବିଭିନ୍ନ ରାଜ୍ୟରେ ଜିଲ୍ଲାର ୪ ରୁ ୫ଲକ୍ଷ ଲୋକ କାମ କରୁଥିଲେ। ସୁରତର ସୂତାକଳଗୁଡ଼ିକରେ ଗଞ୍ଜାମର ପ୍ରାୟ ୩ ଲକ୍ଷ ଶ୍ରମିକ କାମ କରି ଜୀବିକା ନିର୍ବାହ କରୁଥିଲେ। କରୋନା ସ˚କ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ରେ ଦେଶ ଲକ୍‌ଡାଉନ୍‌ ହେବା ପରେ ସୂତାକଳ ଗୁଡ଼ିକରେ ତାଲା ଝୁଲିଥିଲା। ସୂତାକଳ ଶ୍ରମିକମାନେ ଜୀବିକା ହରାଇଥିଲେ। ଲକ୍‌ଡାଉନ୍‌ କଟକଣା କୋହଳ ପରେ ଏପ୍ରିଲ ୨୬ରୁ ବସ୍‌ ଯୋଗେ ଓ ପରବର୍ତ୍ତୀ ସମୟରେ ମେ ୫ ତାରିଖରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଯୋଗେ ଜୀବନକୁ ବିପନ୍ନ କରି ଶ୍ରମିକମାନେ ଫେରିଥିଲେ। ୨ ହଜାର ବସ୍‌ ଓ ୨ଶହ ଟ୍ରେନ ଯୋଗେ ପ୍ରାୟ ସାଢ଼େ ୩ ଲକ୍ଷ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଗଞ୍ଜାମକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ସୁରତରୁ ଫେରିଥିଲେ।

ସମ୍ବନ୍ଧିତ ଖବର