ବସ୍ ଉପରେ ଖସିପଡ଼ିଲା ଲୁହାପଥର ବୋଝେଇ ଟ୍ରକ୍‌ : ୫୦ ଯାତ୍ରୀଙ୍କୁ ବଞ୍ଚାଇଦେଲେ ବସ୍‌ ଡ୍ରାଇଭର୍‌

ଆନନ୍ଦପୁର : ହେଲପର୍‌ ଜୋରରେ‌ ହୁଇସିଲ ମାରିଲେ। ଏହି ସମୟରେ ଶୁଣିବାକୁ ମିଳିଲା ପ୍ରଚଣ୍ଡ ଶବ୍ଦ। କିଛି ଚିନ୍ତା ନକରି ବ୍ରେକ୍‌ ଲଗାଇଦେଲେ। ଶବ୍ଦ ଏତେଜୋର ଥିଲା ଯେ ଆପଣା ଛାଏଁ ଆଖି ବନ୍ଦ ହୋଇଗଲା। ଆଉ ଆଖି ଖୋଲିଲା ବେ‌ଳକୁ ବସ୍‌ର ସମ୍ମୁଖ ଭାଗକୁ ଚୂର୍‌ମାର୍‌ କରି ପଡ଼ିଥିଲା ଏକ ଲୁହାପଥର ବୋଝେଇ ଟ୍ରକ୍‌। ହେଲେ ସୌଭାଗ୍ୟକୁ କାହାରି କିଛି କ୍ଷତି ଘଟିନଥିଲା। ‘ଈଶ୍ବର ଆମ ସମସ୍ତଙ୍କୁ ବଞ୍ଚାଇ ଦେଲେ। ଏକ ବଡ଼ ଅଘଟଣ ଟଳିଗଲା।’ ନିଜର ଉପସ୍ଥିତ ବୁଦ୍ଧି ପାଇଁ ୫୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ବସ୍‌ ଡ୍ରାଇଭର୍‌ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ରଙ୍କ ଏହା ଥିଲା କେଇପଦ ଲୋମଟାଙ୍କୁରା କଥା।

ଶୁକ୍ରବାର ଦିନ ପ୍ରାୟ ୧୧ଟାବେଳେ କରଞ୍ଜିଆରୁ ଭୁବନେଶ୍ବର ଅଭିମୁଖେ ପଦ୍ମାବତୀ ନାମକ ଏକ ଯାତ୍ରୀବାହୀ ବସ୍ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ଓଭରବ୍ରିଜ୍ ତଳେ ଯାଉଥିଲା। ଏହି ସମୟରେ ଏକ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ ବ୍ରିଜ୍ ଉପରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହେବାରୁ ବସ୍‌ ହେଲପର ଗାଡ଼ି ଅଟକାଇବାକୁ ହୁଇସିଲ ମାରିଥିଲେ।

ଡ୍ରାଇଭର ମଧ୍ୟ ବ୍ରେକ୍‌ ଲଗାଇ ବସ୍‌କୁ ଅଟକାଇ ଦେଇଥିଲେ। ଫଳରେ ଟ୍ରକ୍‌ଟି ବସ୍‌ ସମ୍ମୁଖ ଭାଗରେ ପଡ଼ିଥିଲା। ବସ୍‌ ସମ୍ମୁଖ ଭା‌ଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗାଡ଼ିରେ ଥିବା ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ପ୍ରାଣବିକଳରେ ଜରୁରୀ ଫାଟକ ଦେଇ ବାହାରକୁ ଚାଲିଆସିଥିଲେ।

ଖବରପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତ କଣ୍ଡକ୍ଟର ଅନିଲ କୁମାର ଦେଓଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଟ୍ରକ୍‌ ଡ୍ରାଇଭର ଇନ୍ଦ୍ରମଣି ମୁଣ୍ଡାକୁ ପୁଲିସ ଗିରଫ କରିଛି। ଏ ସମ୍ପର୍କରେ ବସ୍‌ ମାଲିକ ବିଶ୍ବରଂଜନ ପୃଷ୍ଟି କହିଛନ୍ତି, ଆଜି ଭୁବନେଶ୍ବରର ଏକ ହୋଟେଲରେ ଭାଣିଜୀ ବାହାଘର ଥିଲା। ଉକ୍ତ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପତ୍ନୀ କାର୍‌ରେ ଭୁବନେଶ୍ବର ଯାଇଥିଲେ। ସାନଝିଅକୁ ନେଇ ସେ ବସ୍‌ରେ ଭୁବନେଶ୍ବର ଯାଉଥିଲେ। ବସ୍‌ ଶାଳପଡ଼ା ଗଳିପୋଲ ପାର୍‌ ହୋଇ ମାତ୍ର କେଇ ମିଟର ଆଗକୁ ଯିବା ପରେ ହଠାତ୍‌ ଏକ ଲୁହାପଥର ବୋଝେଇ ଟ୍ରକ୍‌ ବସ୍‌ ଆଗରେ ଖସି ପଡ଼ିଥିଲା। ଭଗବାନଙ୍କ ଦୟାରୁ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଗଲୁ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି।

ବଡ଼ ଅଘଟଣରୁ ବର୍ତ୍ତିଯାଇଥିବା ଯାତ୍ରୀମାନେ ବସ୍‌ ହେଲ୍‌ପର ଘଟଗାଁ ବ୍ଲକ୍‌ ଗୋଳାବନ୍ଧ ଗ୍ରାମର ନିଶିକାନ୍ତ ପାତ୍ର ଏବଂ ବସ୍‌ ଡ୍ରାଇଭର ଶୈଲଂର ପ୍ରଫୁଲ୍ଲ ଚନ୍ଦ୍ର ପାତ୍ରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଡ୍ରାଇଭର କହିଛନ୍ତି ଶାଳପଡ଼ାରେ ଯାତ୍ରୀଙ୍କୁ ଉଠାଇବା ପରେ ବସ୍‌ଟି ଗଳିପୋଲ ଅତିକ୍ରମ କରୁଥିଲା। ଏହି ସମୟରେ ବସ୍‌ ଉପରେ ପଥର ପଡ଼ିବାର ଶବ୍ଦ ଶୁଣାଗଲା। ଏହାପରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ବିପଦ ଆଶଙ୍କା କରି ବସ୍‌ ଅଟକାଇ ଦେଇଥିଲି। ଈଶ୍ବରଙ୍କୁ କୃପାରୁ କାହାରି କିଛି କ୍ଷତି ଘଟିଲାନି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର