ନିୟମ ମାନୁନାହାନ୍ତି ବସ୍‌ ଚାଳକ

ପରିବହନ ବିଭାଗ ନିୟମକୁ ବେଖାତିର, ୧୦ ବର୍ଷରେ ୨୭ ବଡ଼ ଦୁର୍ଘଟଣା

ଭୁବନେଶ୍ବର : ୨୦୧୬ ସେପ୍ଟେମ୍ବର ୯ ତାରିଖ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ନିକଟ ପୁରଣା ମାଣିତ୍ରୀ ପୋଲରୁ ଖସି ପଡ଼ିଥିଲା ଯାତ୍ରୀବାହୀ ବସ୍। ଏଥିରେ ୨୧ ଜଣଙ୍କ ମୃତ୍ୟୁ ଘଟିବା ସହିତ ୩୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ପରେ ସାରା ରାଜ୍ୟରେ ତୁମ୍ବି ତୁଫାନ ହେଲା। ବସ ଚାଳକଙ୍କ ବେପରୁଆ ଚାଳନାଠାରୁ ଆରମ୍ଭ କରି ବସର ଫିଟ୍‌ନେସ୍‌ ଆଦି ଉପରେ ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା। ଏହା ପରେ ପରେ ପରିବହନ ବିଭାଗ ପକ୍ଷରୁ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ୨୦୧୬ ଅକ୍ଟୋବର ମାସ ୩୧ ତାରିଖରେ ପରିବହନ ବିଭାଗ ପକ୍ଷରୁ ଉଭୟ ବସ ମାଲିକ ଓ ଚାଳକମାନଙ୍କ ପାଇଁ କେତେକ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା। ରାଜ୍ୟରେ ଚାଲୁଥିବା ସମସ୍ତ ବସ ଓ ଚାଳକମାନେ ଏହି ନିୟମକୁ ପାଳନ କରିବାକୁ ପରିବହନ ବିଭାଗ କଡ଼ା ନିର୍ଦେଶ ଦେଇଥିଲା। ପରିବହନ ବିଭାଗର ଏଭଳି ନିୟମକୁ ଦୁଇ ବର୍ଷ ବିତି ଗଲାଣି। ଏହାରି ମଧ୍ୟରେ କଟକର ମହାନଦୀ ପୋଲରୁ ଖସି ୧୨ ଯାତ୍ରୀଙ୍କ ମୃତ୍ୟୁ ଘଟିଲା। ଅନେକ ଗୁରୁତର ଭାବେ ଆହତ ହେଲେ। ଦୁଘର୍ଟଣାର ତଦନ୍ତ ଚାଲୁଛି। କେମିତି ଦୁର୍ଘଟଣା ଘଟିଲା, କାହିଁକି ଘଟିଲା, ଦୁଘର୍ଟଣା ପାଇଁ ଦାୟୀ କିଏ ? ଏହାକୁ ନେଇ କମିସନେରଟ୍‌ ପୁଲିସ, ପରିବହନ ବିଭାଗ ଓ ଜାତୀୟ ରାଜପଥ ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍ ତଦନ୍ତ କରୁଛି। ରିପୋର୍ଟ ଏଯାଏ ଆସିନାହିଁ। ଗାଇଡଲାଇନ ବା ନିୟମକୁ ଉଭୟ ବସ ମାଲିକ ଓ ବସ ଚାଳକମାନେ ନ ମାନିବା ଫଳରେ ରାଜ୍ୟରେ ଏଭଳି ଦୁର୍ଘଟଣା ବଢ଼ି ଚାଲିଛି। ଯାହା ସୂଚନା ମିଳିଛି ଗତ ୧୦ ବର୍ଷରେ ରାଜ୍ୟରେ ୨୭ଟି ବଡ଼ ବଡ଼ ବସ ଦୁଘର୍ଟଣା ଘଟିଛି। ଯେଉଁଥିରେ ଶତାଧିକଙ୍କ ଜୀବନ ଯାଇଛି।

ରାଜ୍ୟରେ ଦୁଘର୍ଟଣା ସଂଖ୍ୟା ବଢ଼ୁଥିବା ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିଲେ। ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ କୋର୍ଟ। କିନ୍ତୁ କେତେକ ଚାଳକ ବେପରୁଆ ବସ୍‌ ଚାଳନା କରି ଏଭଳି ଦୁର୍ଘଟଣା ଘଟାଇ ଚାଲିଛନ୍ତି। କଟକରେ ଯେଉଁ ଦୁର୍ଘଟଣା ଘଟିଥିଲା ସେଥିରେ ବସ ଚାଳକ ଅଧିକ ବେଗରେ(ନିୟମଠାରୁ ଅଧିକ ୯୦ କିମି/ପ୍ରତି ଘଣ୍ଟା) ବସ୍ ଚଳାଉଥିଲେ ବୋଲି କେତେକ ଯାତ୍ରୀ କହିଥିଲେ। ସେହିପରି ବସ ଚାଳକଙ୍କ ପକେଟରୁ ମୋବାଇଲ୍ ଫୋନ୍ ମଧ୍ୟ ମିଳିଥିଲା। ଏହା ଆଉ ଏକ ବେନିୟମ କାର୍ଯ୍ୟ। ଏହା ଛଡ଼ା ବିଭିନ୍ନ ସମୟରେ ଦେଖା ଯାଉଛି ବସ୍‌ ଚାଳକମାନେ ନିଶା ସେବନ କରି ଗାଡ଼ି ଚଳାଉଛନ୍ତି।

ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରତ୍ୟେକ ବସ୍‌ରେ ସ୍ପିଡ୍‌ ଗଭର୍ଣ୍ଣର ଲାଗିବ, ଜାତୀୟ ରାଜପଥରେ ବସ୍‌ର ବେଗ ଘଣ୍ଟା ପ୍ରତି ୮୦ କିମି ମଧ୍ୟରେ ରହିବ, ବସ ଚାଳକ ଗାଡ଼ି ଚଳାଇବାବେଳେ ମୋବାଇଲ୍ ଫୋନରେ କଥାବାର୍ତା ହୋଇ ପାରିବେ ନାହିଁ, ଏପରିକି ପାଖରେ ମୋବାଇଲ୍ ଫୋନ୍ ରଖି ପାରିବେ ନାହିଁ। ତାଙ୍କ ମୋବାଇଲ ଫୋନ୍‌କୁ ସେ କଣ୍ଡକ୍ଟର୍‌ଙ୍କ ନିକଟରେ ରଖିବେ। ବସ୍ ଭିତରେ ଓ ବାହାରେ ପୁଲିସ ନମ୍ବର, ଆମ୍ବୁଲାନ୍ସ ନମ୍ବର ଓ ଟୋଲ ଫ୍ରି ନମ୍ବର ୧୮୦୦-୩୪୫୧୦୭୩ ଲେଖାଯିବା କଥା, ପ୍ରତ୍ୟେକ ମାସରେ ୩ ଦିନ ପରିବହନ ବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଚାଳକଙ୍କୁ ଯାଞ୍ଚ କରିବ, ମାସର ୧୦ ଦିନ ପରିବହନ ବିଭାଗ ଟୋଲ୍‌ଗେଟ୍‌ ନିକଟରେ ଠିଆ ହୋଇ ବସ୍‌କୁ ଯାଞ୍ଚ କରିବେ। କିନ୍ତୁ ଏଭଳି ନିୟମ କେବଳ ନିୟମରେ ହିଁ ରହି ଯାଇଛି।

ତେବେ ଏ ସମ୍ପର୍କରେ ଭୁବନେଶ୍ବର ଆରଟିଓ-(୧) ପିକେ ମହାନ୍ତି କହିଛନ୍ତି, ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବସ୍ ଓ ଗାଡ଼ି ମୋଟର ଯାଞ୍ଚ ହେଉଛି। ଚଳିତ ବର୍ଷ ବର୍ତମାନ ସୁଦ୍ଧା, ୧୭୧୭ ଜଣଙ୍କଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା, ୩୪୪ ଜଣ ସିଟ୍‌ ବେଲଟ ନ ପିନ୍ଧିବା, ୧୮ ଜଣ ନିଶା ସେବନ କରି ଗାଡ଼ି ଚଳାଇବା, ୨୦ ଜଣ ଚାଳକ ଗାଡ଼ି ଚଳାଇବାବେଳେ ମୋବାଇଲ୍ ଫୋନରେ ଗପିବା, ବିପରୀତ ଦିଗରେ ଗାଡ଼ି ଚଳାଉଥିବା ୩୩ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ସେହିପରି ୧୨ଶହ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ଆରଟିଓ ଶ୍ରୀ ମହାନ୍ତି କହିଛନ୍ତି। ତେବେ କଟକ ଦୁର୍ଘଟଣା ଘଟିବା ପରେ ବସ୍‌ଗୁଡ଼ିକୁ ଯାଞ୍ଚ କରାଯାଉଛି କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, ଖୁବ୍ ଶୀଘ୍ର ବସଗୁଡ଼ିକ ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର