ସୁନ୍ଦରଗଡ଼: ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩୪ ଜଣ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ମା’ ସମଲେଶ୍ବରୀ ନାମକ ଘରୋଇ ବସ୍ (ଓଡି୨୩ ଆର୍ ୦୩୪୭) ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ କିଞ୍ଜିରିକେଲା ଗୁଣ୍ଡିଆଡିହିରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା। ସୁନ୍ଦରଗଡ଼ ଦେଇ ଏହା ହେମଗିର ଗୋପାଳପୁର ଯାଇଥାଆନ୍ତା। ଦିନ ପ୍ରାୟ ୧ଟାବେଳେ ଟାଙ୍ଗରମୁଣ୍ଡା ତେଲେନଡ଼ିହିଠାରେ ସାମନା ପଟୁ ଆସୁଥିବା ଏକ ମୋଟର ସାଇକଲ୍ (ସିଜି ୧୪ଏମ୍କ୍ୟୁ ୭୧୫୬) ଭାରସାମ୍ୟ ହରାଇ ବସ୍ ସହ ପିଟି ହୋଇଥିଲା। ବାଇକ୍ ସହ ପିଟି ହେବା ପରେ ବସ୍ଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା ବାମ ପାର୍ଶ୍ବରେ ଥିବା ୧୦ ଫୁଟ୍ ଗଭୀର ଖାଲକୁ ଖସି ପଡ଼ିଥିଲା। ଦୁର୍ଘଟଣାସ୍ଥଳରେ ଜଣେ ବସ୍ଯାତ୍ରୀ ବାରିସ୍ ନାଗ (୨୧)ଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଓ ପୁଲିସ୍ ଆହତ ବସ୍ଯାତ୍ରୀ ଓ ଗୁରୁତର ମୋଟର୍ସାଇକଲ୍ ଆରୋହୀଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇଥିଲେ।
ମୃତକଙ୍କ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ଓ ଇଞ୍ଜିନିୟରିଂ ଛାତ୍ର
ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ ମୋଟର୍ ସାଇକଲ୍ ଆରୋହୀ ବିଶ୍ବଜିତ ଟପ୍ନୋ (୨୮) ଆଖି ବୁଜିଥିଲେ। ସେହିପରି ୨ ଜଣ ଗୁରୁତର ଯାତ୍ରୀଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାର ଟ୍ରମା କେୟାର୍ ସେଣ୍ଟର୍କୁ ପଠାଯାଇଥିଲା। ସେଠାରେ ବିଶ୍ବ ଡନ୍ସେନା (୫୨)ଙ୍କର ମୃତ୍ୟୁ ହୋଇଥିଲା। ଜଣେ ଗୁରୁତର ଏବେ ରାଉରକେଲାର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ୩୩ ଜଣ ସୁନ୍ଦରଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ୍ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସ୍କୁ ଉଠାଇବା ସହ ଚାପି ହୋଇ ରହିଥିବା ବାରିସ୍ଙ୍କ ମୃତଦେହ ଉଦ୍ଧାର କରିଛି। କିରେଇ ଇଂଜିନିୟରିଂ ସ୍କୁଲ୍ର ଛାତ୍ର ବାରିସ୍ ବଡ଼ଗାଁ ରେଂଗାଲମାଲର ପରୀକ୍ଷିତ ନାଗଙ୍କ ପୁଅ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ମୃତକ ବିଶ୍ବ ଡନ୍ସେନା କିଞ୍ଜିରିକେଲା ବିର୍କାଲଡିହି ବାସିନ୍ଦା। ମୃତ ବାଇକ୍ ଆରୋହୀ ବିଶ୍ବଜିତ ଟପ୍ନୋ ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଶଂଖବାହାଲ ହୋଇଥିବାବେଳେ ସେ ବରଗଡ଼ରୁ ମୋଟର୍ସାଇକଲ୍ରେ ନିଜ ଗାଁକୁ ଫେରୁଥିଲେ। ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଦୁର୍ଘଟଣା ପରେ ବସ୍ ଚାଳକ ଫେରାର ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/14/OgBppgsyWbWs5bN0qdL8.jpg)