ବସ୍‌ ଭଡ଼ା ବଢ଼ିଲା, ଯାତ୍ରୀଙ୍କ ଉପରେ ପଡ଼ିବ ଅତିରିକ୍ତ ବୋଝ

ଭୁବନେଶ୍ୱର: ଡିଜେଲ ଦର ଆକାଶ ଛୁଅାଁ ହୋଥିବାରୁ ସୋମବାର ରାଜ୍ୟ ଘରୋଇ ବସ ମାଲିକ ସଂଘ ବସ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ବର୍ଦ୍ଧିତ ବସ୍‌ ଭଡ଼ା ସୋମବାର ଠାରୁ ଲାଗୁ ହୋଇ ଯାଇଛି। ସଂଘର ନିଷ୍ପତ୍ତି ଅନୁସାରେ ବସ୍‌ ଭଡ଼ା ବଢ଼ିଥିବାରୁ ଏଣିକି ଯାତ୍ରୀଙ୍କୁ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବ। ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ଅଡ଼ିନାରୀ ବସ କିଲୋମିଟର ପିଛି ୬୮ ପଇସାରୁ ୨ ପଇସା ବୃଦ୍ଧି ଘଟି ୭୦ ପଇସା ହୋଇଛି। ଏକ୍ସପ୍ରେସ୍‌ ବସ୍‌ରେ ଯାତ୍ରୀଙ୍କୁ କିଲୋମିଟର ପିଛା ୭୧ ପଇସା ବଦଳରେ ୭୩ ପଇସା ଦେବାକୁ ପଡ଼ିବ। ସେହିଭଳି ଡିଲକ୍ସ ବସ୍‌ କିଲୋମିଟର ପିଛା ୪ ପଇସା ବଢ଼ି ୯୭ ପଇସାରୁ ୧ ଟଙ୍କା ୧ ପଇସା ହୋଇଥିବା ବେଳେ ଏସି ଡିଲକ୍ସ କିଲୋମିଟର ପିଛା ୪ ପଇସା ବଢ଼ି ୧ଟଙ୍କା ୨୩ ପଇସା ହୋଇଛି।

ଘରୋଇ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଡିଜେଲ ଦର ୭୪.୧୫ଟଙ୍କା ଥିବାରୁ ବସ ଚଳାଚଳ କରିବା ମାଲିକମାନଙ୍କୁ ବାଧୁଛି। ଆମକୁ ବର୍ଦ୍ଧିତ ଭଡ଼ା ଦରକାର ନାହିଁ। ଡିଜେଲ ଦର କମିଲେ ବସ୍‌ ଭଡ଼ା କମିବ। ଏହା ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ ଚାଲୁଛି। ଏଥିରୁ ଅଡିନାରୀ ବସ ସଂଖ୍ୟା ପ୍ରାୟ ୮ ହଜାର ହୋଇଥିବା ବେଳେ ଏକ୍ସପ୍ରେସ ବସ ସଂଖ୍ୟା ହେଉଛି ପାଖାପାଖି ୬୦୦୦। ସେହିଭଳି ରାଜ୍ୟରେ ପ୍ରାୟ ୨୦୦୦ ଡିଲକ୍ସ ବସ୍‌ ଚାଲୁଥିବା ବେଳେ ପାଖାପାଖି ୧୦୦୦ ଏସି ଡିଲକ୍ସ ଚାଲୁଛି।

 

ସମ୍ବନ୍ଧିତ ଖବର