ସରକାରୀ ନିୟମ ଫୁ: କମୁନି ଯାତ୍ରୀ ବସ୍‌ ଭଡ଼ା, ମନଇଛା ନେଉଥିବା ଅଭିଯୋଗ

ଜୟପୁର: ଡିଜେଲ୍‌ ଦର କମିବା ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କିଲୋମିଟର ପିଛା ବସ ଭଡ଼ା ଦର କମାଇଦେଇଛନ୍ତି। ସାଧାରଣ ବସରେ ପୂର୍ବରୁ କିଲୋମିଟର ପିଛା ଥିବା ୯୨ପଇସାକୁ କମାଇ ୮୯ପଇସା, ଏକ୍ସପ୍ରେସ ୯୬ପଇସାରୁ  ୯୩ପଇସା, ଡିଲକ୍ସ ୧ଟଙ୍କା ୩୫ପଇସାରୁ ୧ଟଙ୍କା ୨୯ପଇସା, ଏସି ଡିଲକ୍ସ ୧ଟଙ୍କା ୬୩ପଇସାରୁ ୧ଟଙ୍କା ୫୭ପଇସା ଓ ସୁପରପ୍ରିମିୟମ ୨ଟଙ୍କା ୫୩ପଇସାରୁ ୨ଟଙ୍କା ୪୪ପଇସା କରିଛନ୍ତି। ତେବେ ଏହି ଦର ତାଲିକାକୁ କୌଣସି ସରକାରୀ କିମ୍ବା ‌ଘରୋଇ ବସ ମାନୁ ନଥିବା ଦେଖିବାକୁ ମିଳିଛି। ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ କଣ୍ଡକ୍ଟର ମାନଙ୍କୁ ଯାତ୍ରୀଙ୍କୁ ଟିକେଟ ଦେବା ପାଇଁ ଇଲେକ୍ଟ୍ରିକାଲ ଟିକେଟ ମେସିନ(ଇଟିଏମ)  ଦିଆଯାଇଛି। ତେବେ ଏହି ଇଟିଏମରୁ ଟିକେଟ ବାହାର କରୁଛନ୍ତି ସତ କିନ୍ତୁ ବହୁ ସରକାରୀ ବସର କଣ୍ଡକ୍ଟର ମାନେ ଯାତ୍ରୀଙ୍କୁ ଏହି ଟିକେଟ ଦେଉନାହାନ୍ତି।

ଅପରପକ୍ଷରେ ଘରୋଇବସ ଗୁଡିକରେ କଣ୍ଡକ୍ଟର ମାନେ ଟିକେଟ ହିଁ ଦେଉ ନଥିବା ଦେଖିବାକୁ ମିଳିଛି। ଉଭୟ ବସରେ ଜୟପୁରରୁ କୋରାପୁଟ ୨୨କିଲୋ ମିଟର  ଗଲେ ୨୦ଟଙ୍କା ନେବା ବଦଳରେ ୩୦ଟଙ୍କା ‌ନେଉଥିବା ଦେଖିବାକୁ ମିଳିଛି। ସେଭଳି ୪୪କିଲୋମିଟର ସୁନାବେଡ଼ା ଗଲେ  ୬୦ରୁ ୭୦ଟଙ୍କା ବି ନେଉଛନ୍ତି। ଠିକ ସେଭଳି ଜୟପୁରରୁ  ବୋରିଗୁମ୍ମା ଗଲେ ୨୦ଟଙ୍କା ବଦଳରେ  ୩୦ଟଙ୍କା ଏବଂ  ଜୟପୁରରୁ ନବରଙ୍ଗପୁର ଗଲେ ୪୦ଟଙ୍କା ନେବା ବଦଳରେ ୬୦ରୁ ୭୦ଟଙ୍କା ନେଉଛନ୍ତି। ସେହିଭଳି ଜୟପୁରରୁ ଭୁବନେଶ୍ବର ୫୧୧କିଲୋ ମିଟରକୁ ସାଧାରଣ ବସରେ ୪୫୫ଟଙ୍କା, ଏକ୍ସପ୍ରେସରେ ୪୭୫ଟଙ୍କା, ଡିଲକ୍ସ ବସରେ ୬୫୯ଟଙ୍କା, ଏସି ଡିଲକ୍ସରେ ୮୦୨ଟଙ୍କା ଏବଂ ସୁପରପ୍ରିମିୟମ୍ ବସରେ ୧୨୪୭ଟଙ୍କା ନେବା କଥା।

ତେବେ ସବୁ ଦ୍ରୁତଗାମୀ ବସ ଗୁଡିକରେ ୧୦୦ରୁ ୧୫୦ଟଙ୍କା ପର୍ଯ୍ୟନ୍ତ ଅଧିକା ନେଉଥିବା ଅଭିଯୋଗ ବି ହୋଇଛି। ଜୟପୁରରୁ ଭୁବନେଶ୍ବରକୁ ଯାଉଥିବା ଅଧିକାଂଶ ବସ୍‌ ନ୍ୟାସନାଲ ଟୁରିଷ୍ଟ ପରମିଟରେ  ବୁଲୁଛି। ଆଂଚଳିକ ପରିବହନ ବିଭାଗ ପକ୍ଷରୁ କିଛି ଅଭିଯୋଗ ହେଲେ ଯାଞ୍ଚ କରି କିଛି ଜରିମାନା ପକାଇ ଦେଇ ଚୁପ ହୋଇଯାଉଥିବା  ବୁଦ୍ଧିଜୀବ ଓ ଆଇନଜୀବୀ ମାନେ କହିଛନ୍ତି। ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଥରକ ମଧ୍ୟ ଘରୋଇ ବସ ଗୁଡିକ କିମ୍ବା ସରକାରୀ ବସରେ ଟିକେଟ ଦର ଓ ପରିବହନ ନିୟମ ମାନୁଛନ୍ତି ନା ନାହିଁ ଆଦିର ଯାଂଚ କେବେ କରାଯାଇଛି କି ବୋଲି ଆଇନଜୀବୀ ମାନେ ପ୍ରଶ୍ନ କରିଛନ୍ତି। ଗତ ୨ବର୍ଷ ତଳେ କୋଭିଡ ପରେ ପରେ ଯେଉଁ ବସ ଭଡ଼ା ନେଉଥିଲେ ଆଜି ବି ସେଥିକି ହିଁ କଣ୍ଡକ୍ଟରମାନେ ନେଉଛନ୍ତି। ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

 

ସମ୍ବନ୍ଧିତ ଖବର