ରାଜ୍ୟରେ ପୁଣି ବଢିଲା ବସ ଭଡ଼ା, ଜାଣନ୍ତୁ କେଉଁ ବସ ପିଛା ବଢ଼ିଲା କେତେ

ଭୁବନେଶ୍ବର: ରାଜ୍ୟରେ ତେଲଦର ହୁ ହୁ ହୋଇ ବଢୁଥିବା ବେଳେ ଏବେ ବସଯାତ୍ରୀଙ୍କ ଉପରେ ପୁଣି ପଡ଼ିଛି ମହଙ୍ଗା ମାଡ଼ । ରାଜ୍ୟରେ ବସ ଭଡ଼ା ପୁଣି ଥରେ ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି । ତେବେ ତେଲ ଦର ବୃଦ୍ଧି ପାଇବା କାରଣରୁ ରାଜ୍ୟରେ ବସ ଭଡ଼ା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ସୂଚନା ଦେଇଛନ୍ତି । ତେବେ ଲଗାତାର ଭାବେ ରାଜ୍ୟରେ ବସ ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ଫେବ୍ରୁଆରି ୯ରେ ସାଧାରଣ ବସ୍‌ ଭଡ଼ା‌ କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ତାକୁ ବୃଦ୍ଧି କରାଯାଇ ୮୦ ପଇସା କରାଯାଇଥିଲା। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୭ରୁ ୮୪ ପଇସା, ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୯ ପଇସା ବୃଦ୍ଧି ପାଇଥିଲା। ପ୍ରଥମ ଥର ପାଇଁ ସୁପର୍‌ ପ୍ରିମିୟମ୍‌ ବସ୍‌ ନିମନ୍ତେ ସ୍ବତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଥିଲା। ଏହି ବସ୍‌ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଥିଲା।

ତେବେ ବର୍ଷକରେ ଥରେ ଅନ୍ୟ ୧୨ଟି ପାରାମିଟର୍‌କୁ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ କରାଯାଏ। ଗତ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ପାରାମିଟର୍‌କୁ ବିଚାରକୁ ନେଇ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତ‌ା ସମ୍ପନ୍ନ କମିଟି ସୁପାରିସ୍‌ କରିଥିଲା। କୋଭିଡ୍‌ ପାଇଁ ତାହା ଲାଗୁ ହୋଇ ନ ଥିଲା। ପ୍ରାୟ ଏକ ବର୍ଷ ବିଳମ୍ବରେ ଫେବ୍ରୁଆରି ୯ରେ ଏହାକୁ ଲାଗୁ କରାଯାଇଥିଲା।

ସମ୍ବନ୍ଧିତ ଖବର