ଭୁବନେଶ୍ବର: ପୁରୀରେ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଯେପରି ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ସାମିଲ୍ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ରଥଯାତ୍ରା ସମୟରେ ରାଜ୍ୟର ପ୍ରତି ବ୍ଲକ ମୁଖ୍ୟାଳୟରୁ ପୁରୀକୁ ବସ୍‌ ଚଲାଇବାକୁ ନିଷ୍ପତ୍ତି ହୋଇଛି। ଓଏସ୍‌ଆର୍‌ଟିସି ପକ୍ଷରୁ ଏହି ବ୍ୟବସ୍ଥା କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।

Advertisment

ଆଜି ପରିବହନ ଭବନରେ ମନ୍ତ୍ରୀ ଶ୍ରୀ ଜେନା ଓଏସ୍ଆର୍‌ଟିସିର ସମୀକ୍ଷା କରିବା ପରେ କହିଛନ୍ତି ଯେ ଏବେ ରଥଯାତ୍ରାବେଳେ ଲକ୍ଷ୍ମୀ ବସ୍‌ ଏବଂ ଅନ୍ୟାନ୍ୟ ବସ୍‌କୁ ବ୍ଲକରୁ ପୁରୀକୁ ଚଲାଯିବ। କେଉଁ ବସ୍ କେତେବେଳେ ବାହାରି‌ବ ଓ କେତେବେଳେ ପୁରୀରେ ପହଞ୍ଚିବ, ପୁରୀରୁ କେତେବେଳେ ବାହାରିବ ତାହା ଓଏସ୍‌ଆର୍‌ଟିସି ସ୍ଥିର କରିବ। ଏହାସହ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ତୀର୍ଥସ୍ଥଳୀକୁ ଯେପରି ଓଡ଼ିଶାର ଶ୍ରଦ୍ଧାଳୁମାନେ ସୁବିଧାରେ ଯାତାୟତ କରିପାରିବେ ସେଥିପାଇଁ ପୁରୀ, ଭୁବନେଶ୍ବର, ବ୍ରହ୍ମପୁର, ରାଉରକେଲା ଭଳି ପ୍ରମୁଖ ସ୍ଥାନରୁ ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବାରାଣାସୀ ଭଳି ପ୍ରମୁଖ ତୀର୍ଥସ୍ଥଳୀକୁ ଆରାମଦା‌ୟକ ବସ୍‌ ସେବା ଆରମ୍ଭ ହେବ। ଏଥିପାଇଁ ପ୍ରାରମ୍ଭିକ ଭାବେ ୧୦୦ବସ୍‌ କିଣାଯିବ। ସେହିପରି ଖୁବ୍‌ ଶୀଘ୍ର ମାଛକୁଣ୍ଡରୁ ଭୁବନେଶ୍ବର, ବାଲିଗୁଡ଼ାରୁ କଟକ, ଉମ‌ରକୋଟରୁ ବିଶାଖାପାଟଣାକୁ ବସ୍‌ ଚଳାଚଳ କରିବ। ଦେଶର ବିଭିନ୍ନ ରାଜ୍ୟରେ ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିକ୍ ବସ୍‌ ସେବା ଆରମ୍ଭ ହୋଇଛି। ଓଡ଼ିଶା‌କୁ ମଧ୍ୟ ଇଲେକ୍ଟ୍ରିକ୍ ବସ୍‌ ଆସିବ। ଏହାପୂର୍ବରୁ ୧୫ବର୍ଷରୁ ଅଧିକ ପୁରୁଣା ହୋଇଥିବା ବସ୍‌ଗୁଡ଼ିକୁ ନିୟମ ଅନୁଯାୟୀ ସ୍କ୍ରାପ୍ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ଅବସରରେ ‘ଲକ୍ଷ୍ମୀ’ ବସ୍‌ ନାମ ବଦଳିବ କି ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ନାଁରେ କିଛି ନାହିଁ, ଲୋକଙ୍କୁ ସେବା ମିଳିବା ଦରକାର। ନାଁ ବଦଳିପାରେ। ଯେଉଁ ବସ୍‌ ସେବା ନାଁରେ ହେଉ ପଛେ ଲୋକଙ୍କୁ ବସ୍‌ ସେବା ମିଳିବ। ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକମାନଙ୍କୁ କିଭଳି ଭାବେ ବସ୍ ସେବା ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯାଉଛି। ସବୁ ଅପହଞ୍ଚ ଅଞ୍ଚଳକୁ ବସ୍‌ ଚଲାଯିବ। ଲକ୍ଷ୍ମୀ ବସ୍‌ ସେବା ନେଇ ଅଧିକ ତର୍ଜମା ଚାଲିଛି। ଖୁବ୍‌ ଶୀଘ୍ର ଏନେଇ ନିଷ୍ପତ୍ତି ହେବ। ଏହି ବୈଠକରେ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ପରିବହନ କମିସନର ଅମିତାଭ ଠାକୁର, ଓଏସ୍‌ଆର୍‌ଟିସିର ଅଧ୍ୟକ୍ଷ ଦୀପ୍ତେଶ ପଟ୍ଟନାୟକ, ଓଏସ୍‌ଆର୍‌ଟିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।