ମାଲକାନଗିରି/ସିନାପାଲି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ସୂର୍ଯ୍ୟପେଟା-ଖମାମ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୁକ୍ରବାର ଭୋରରେ ଗୁପ୍ତା ନାମକ ଏକ ଘରୋଇ ବସ୍ ଜାତୀୟ ରାଜପଥରେ ପାର୍କିଂ ହୋଇଥିବା ଟ୍ରକ୍କୁ ପଛରୁ ଧକ୍କା ଦେବାରୁ ବସ୍ ଡ୍ରାଇଭରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ମୃତକମାନେ ହେଲେ ନବରଙ୍ଗପୁରର ସୁନୀଲ ଗରଡ଼ା (ବସ୍ ଡ୍ରାଇଭର), କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ କାମତା ଗ୍ରାମର ରୂପୁ ହରିଜନ (୫୧), ଶୂଳ ହରିଜନ (୪୬), ସୁନାମଣି ହରିଜନ (୬୧) ଓ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଖାତିଗୁଡ଼ା ଅଞ୍ଚଳର ପ୍ରତ୍ୟୁଷ ପ୍ରଭାତ (୧୭)। ଆହତମାନଙ୍କୁ ସୂର୍ଯ୍ୟପେଟା ପୁଲିସ୍ ଉଦ୍ଧାର କରି ଚିକିତ୍ସା ପାଇଁ ଖମାମ୍ ହସପିଟାଲ୍ରେ ଭର୍ତ୍ତି କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସୂର୍ଯ୍ୟପେଟା ରୁରାଲ୍ ସର୍କଲ ଇନ୍ସପେକ୍ଟର୍ ରାଜଶେଖର ଗୁରୁକୂଳ।
୨୦ରୁ ଊର୍ଦ୍ଧ୍ବ ଆହତ
ସୂଚନାନୁଯାୟୀ, ଗୁରୁବାର ରାତିରେ ଗୁପ୍ତା ବସ୍ (ସିଜି-୧୭କେଏସ-୭୭୧୯) ନୂଆପଡ଼ା ଜିଲ୍ଲାର ସିନାପାଲିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ନବରଙ୍ଗପୁର,
ବୋରିଗୁମ୍ମା, ଜୟପୁର, ମାଲକାନଗିରି ଦେଇ ହାଇଦ୍ରାବାଦ୍ ଅଭିମୁଖେ ଯାଉଥିବା ବେଳେ ଭୋର ପ୍ରାୟ ୪ଟାରେ ତେଲେଙ୍ଗାନାର ସୂର୍ଯ୍ୟପେଟା-ଖମାମ ରାସ୍ତାରେ ଠିଆ ହୋଇଥିବା ଏକ ବାଲି ବୋଝେଇ ଟ୍ରକ୍କୁ ପଛପଟରୁ ଧକ୍କା ଦେଇଥିଲା। ଟ୍ରକ୍କୁ ଧକ୍କା ଦେବା ପରେ ବସ୍ ଟାୟାର ଫାଟି ଯାଇଥିଲା। ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ଚୂର୍ମାର୍ ହୋଇ ଯାଇଥିବାରୁ ଡ୍ରାଇଭର ସୁନୀଲଙ୍କ ସମେତ ଅନ୍ୟ ୪ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ବସ୍ରେ ଥିବା ୩୨ ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ଖବର ପାଇ ସୂର୍ଯ୍ୟପେଟ୍ ପୁଲିସ୍ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।