ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ପିପିଳିଆ ଛକରେ ବସ୍‌ ଚଳାଚଳ  କରିବା ଭଳି ଗଳିପୋଲ ନିର୍ମାଣ ହେବ

କଟକ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ପିପିଳିଆ ଛକରେ ୨୧୫ ନମ୍ବର ଜାତୀୟ ରାଜପଥ ଉପରେ ବସ୍ ଚଳାଚଳ କରିବା ଭଳି ଏକ ଗଳିପୋଲ ନିର୍ମାଣ ହେବ। ଏନେଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଜନସାଧାରଣଙ୍କ ସୁବିଧା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ବିଚାରକୁ ନେଇ ଏନ୍‌ଏଚ୍‌ଏଆଇର ବୈଷୟିକ ଟିମ୍ ପିପିଳିଆରେ ଏକ ଗଳିପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି।

ଏଥିପାଇଁ ପିପିଳିଆ ଛକର ଉଭୟ ପାର୍ଶ୍ବରେ ଦୁଇଶହ ମିଟର ସଂଯୋଗୀକରଣ ରାସ୍ତା ସହିତ ଢାଙ୍କୁଣି ଥିବା ଡ୍ରେନ୍‌ ନିର୍ମାଣ କରାଯିବ। ଏଥିପାଇଁ ୧୩.୪୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ, ଗୋପାଳକ, କୃଷକ, ସାଧାରଣ ଜନତା, ସ୍କୁଲ୍‌ ବସ୍, ଟ୍ରାକ୍ଟର ଓ ମୋଟରସାଇକଲ ଚଳାଚଳ କରିବା ଭଳି ଗଳିପୋଲ ନିର୍ମାଣ ହେବା ଆବଶ୍ୟକ। ଏନେଇ ହାଇକୋର୍ଟ ଏନ୍‌ଏଚ୍‌ଏଆଇ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଏହାପରେ ବସ୍, ଟ୍ରାକ୍ଟର ଯିବା ଭଳି ଗଳିପୋଲ ନିର୍ମାଣ କରାଯିବ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଥିଲା। ଆବେଦନକାରୀ ସାମାଜସେବୀ ଉଗ୍ରସେନ ନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ଆଇନଜୀବୀ ସୂରଜ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, କେନ୍ଦୁଝର ଦେଇ ଯାଇଥିବା​ ୨୧୫ ନମ୍ବର ଜାତୀୟ ରାଜପଥର ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ଏକ ଗୁରୁତ୍ବପୂର୍ଣ୍ଣ ଛକ। ୪ଟି ପଞ୍ଚାୟତର ୩୦ଟି ଗ୍ରାମର ଲୋକେ ଏହି ରାସ୍ତାଦେଇ ଯାତାୟାତ କରୁଛନ୍ତି। ପିପିଳିଆ ଛକରେ ବ୍ୟାଙ୍କ, କଲେଜ, ସ୍କୁଲ, ସରକାରୀ କାର୍ଯ୍ୟାଳୟ, ଦୋକାନବଜାର ରହିଛି। ଏହି ବ୍ୟସ୍ତବହୁଳ ଛକରେ ଫ୍ଲାଏଓଭର ନିର୍ମାଣ କରାଯାଉ ନଥିବାରୁ ନିୟମିତ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଏନ୍‌ଏଚ୍‌ଏଆଇକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଦାବି ପୂରଣ ପାଇଁ ପିପିଳିଆ ଆଞ୍ଚଳିକ ବିକାଶ ମଞ୍ଚ ଗଠନ କରାଯାଇ ଗଣଧାରଣା ଦିଆଯାଇଥିଲା। ଏନେଇ ତତ୍କାଳୀନ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‌ଏଚ୍‌ଏଆଇ ଏବଂ କେନ୍ଦ୍ର ସଡ଼କ ପରିବହନ ବିଭାଗକୁ ଚିଠି ଲେଖିଥିଲେ। ଫ୍ଲାଏଓଭର ନିର୍ମାଣ ପ୍ରସଙ୍ଗ ବିଚାରାଧୀନ ଥିବାବେଳେ ପିପିଳିଆ ଛକର ଦୁଇପାର୍ଶ୍ବରୁ ଦୁଇଶହ ମିଟର ଛାଡ଼ି ଜାତୀୟ ରାଜପଥ ନିର୍ମାଣ କରାଯିବ ବୋଲି ଏନ୍‌ଏଚ୍‌ଏଆଇ କହିଥିଲା। ଅନ୍ୟପକ୍ଷରେ ଜାତୀୟ ରାଜପଥ ନିର୍ମାଣ ବେଳେ ହାତୀ ଚଲାପଥ (ଗଳିପୋଲ) ସ୍ଥାନ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ପିପିଳିଆରେ ଫ୍ଲାଏଓଭର ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ପରେ ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର