୩ ଦଫା ଦାବି ରଖିଲେ ବସ୍‌ ମାଲିକ

ଭୁବନେଶ୍ବର : ରାଜ୍ୟରେ ବସ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ହେଲା ବସ୍‌ ମାଲିକମାନେ ଭୀଷଣ କ୍ଷତି ସହୁଛନ୍ତି। ଏହାକୁ ନଜରରେ ରଖି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ୩ ଦଫା ଦାବି ରଖାଯାଇଛି। ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସଂଘର ଦାବିଗୁଡ଼ିକ ହେଲା ବସ୍‌ଗୁଡ଼ିକ ପାଇଁ ବସ୍‌ ମାଲିକମାନେ ପ୍ରଦାନ କରୁଥିବା ମାସିକ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସକୁ ଆସନ୍ତା ୬ ମାସ ପାଇଁ ଛାଡ଼ କରାଯାଉ। ବୀମା କମ୍ପାନିଗୁଡ଼ିକ ବସ୍‌ଗୁଡ଼ିକର ବୀମା ଅବଧି ଆସନ୍ତା ୬ ମାସ ପାଇଁ ବୃଦ୍ଧି କରିବାର ବ୍ୟବସ୍ଥା କରନ୍ତୁ। ବସ୍‌ ପାଇଁ ଋଣ ପ୍ରଦାନ କରିଥିବା ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକୁ ଋଣ ଉପରେ ସୁଧକୁ ଆସନ୍ତା ୬ ମାସ ପାଇଁ ଛାଡ଼ କରନ୍ତୁ ଓ ମୂଳ ଋଣକୁ ଦେବା ପାଇଁ ୩ ମାସ ସମୟ ଦିଅନ୍ତୁ।

ଏହି ଦାବିଗୁଡ଼ିକ ପୂରଣ କରିବା ନିମନ୍ତେ ଏକ ମିଳିତ ବୈଠକ ପରିବହନ ବିଭାଗ, ଆଇଆର୍‌ଡିଏ, ଆର୍‌ବିଆଇ, ଅର୍ଥ ବିଭାଗର ପ୍ରମୁଖ ଅଧିକାରୀ ଓ ସଂଘର ପ୍ରତିନିଧିମାନଙ୍କୁ ନେଇ ଶୀଘ୍ର ଆଲୋଚନା କରିବା ନିମନ୍ତେ ସ୍ମାରକପତ୍ରରେ ଅନୁରୋଧ କରାଯାଇଛି। ସଂଘର ସଭାପତି ଲୋକନାଥ ପ‌ାଣିଙ୍କ ନେତୃତ୍ବରେ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଓ ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର