ଭୁବନେଶ୍ବର : ଗ୍ରିନ୍‌ ଜୋନ୍‌ରେ ବସ୍‌ ଚାଲିବ କି ନାହିଁ ? ଏ ନେଇ ଦ୍ବନ୍ଦ୍ବ ଦୂର ହେଉନି। ୫୦% ଯାତ୍ରୀରେ ବସ୍‌ ଚଳାଇବା ସମ୍ଭବ ନୁହେଁ ବୋଲି ଗତକାଲି ଠାରୁ ଘରୋଇ ବସ୍‌ ମାଲିକ ସଂଘ ରୋକ୍‌ଠୋକ୍ ଜଣାଇ ଦେଇଛି। କିନ୍ତୁ ସରକାର ସେ ଦିଗରେ କିଛି ପଦକ୍ଷେପ ନେଇ ନାହାନ୍ତି। କେବଳ କେନ୍ଦ୍ର ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ଆଧାରରେ ବସ୍‌ ଚଳାଚଳ ନେଇ ଆଜି ଏସ୍‌ଆର୍‌ସି ଏକ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏଥିରେ କିଛି କଟକଣା ସହ ଗ୍ରିନ୍‌ ଜୋନ୍‌ରେ ବସ୍‌ ଚଳାଚଳ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ବସ୍‌ ମାଲିକ ସଂଘ ବସ୍‌ ଚଳାଇବେ ନାହିଁ ବୋଲି କହି ଦେଇଛନ୍ତି।

Advertisment

ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଗ୍ରିନ୍‌ ଜୋନ୍‌ରେ ଯାତ୍ରୀବାହୀ ବସ୍‌ଗୁଡ଼ିକ ନିଜ ସିଟ୍‌ କ୍ଷମତା ତୁଳନାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଧରି ଚଳାଚଳ କରିପାରିବେ। ଯଦି ବସ୍‌ ଚଳାଚଳ ରୁଟ୍‌ରେ ଅରେଞ୍ଜ୍ କିମ୍ବା ରେଡ୍‌ ଜୋନ୍‌ ଥିବ, ତେବେ ସେହି ରୁଟ୍‌ରେ ବସ୍‌ ଚଳାଇବାକୁ ଅନୁମତି ମିଳିବ ନାହିଁ। ବସ୍‌ ଚଳାଇବା ନିମନ୍ତେ ଆବଶ୍ୟକ ରୁଟ୍‌ ଅନୁମତି, ପଞ୍ଜୀକରଣ ସାର୍ଟିଫିକେଟ୍‌, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌, ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍‌ ଓ ବୀମା ଆଦି ବାଧ୍ୟତାମୂଳକ। ଯେହେତୁ ଗ୍ରିନ୍‌ ଜୋନ୍‌ରେ ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି, ତେଣୁ ଲୋକଙ୍କ ଯାତାୟତ ସହଜ କରିବାକୁ ବସ୍‌ ଚଳାଚଳକୁ ଅନୁମତି ଦିଆଗଲା ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସରକାର ବିଜ୍ଞପ୍ତି ଜାରି କରିଥିଲେ ବି ବସ୍‌ ମାଲିକ ସଂଘ ବସ୍‌ ଚଳାଇବ ନାହିଁ ବୋଲି ଜଣାଇଦେଇଛି। ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ୫୦% ଯାତ୍ରୀରେ ବସ୍‌ ଚଳାଇବା ଆଦୌ ସମ୍ଭବ ନୁହେଁ। ପୁଣି ଅରେଞ୍ଜ୍ ଓ ରେଡ୍‌ ଜୋନ୍‌ର ଜିଲ୍ଲାଗୁଡ଼ିକ ମଝିରେ ମଝିରେ ରହୁଥିବାରୁ ରୁଟ୍‌ ଠିକ୍ ହେ‌ାଇପାରିବ ନାହିଁ। ଏହା ସହ ସଂଘ ପକ୍ଷରୁ ବିଭିନ୍ନ ଦାବି ସରକାରଙ୍କ ନିକଟରେ ରଖାଯାଇଛି। ତାହା ଉପରେ ସରକାର ଆଲୋଚନା କରିବା କଥା।

ସଂଘର ବିଭିନ୍ନ ଦାବି ସମ୍ପର୍କରେ ଆଜି ସକାଳେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ କହିଥ‌ିଲେ, ଗ୍ରିନ୍ ଜୋନ୍‌ରେ ବସ୍‌ ଚାଲିବା ନେଇ ବ୍ୟବସ୍ଥା ହେଉଛି। ଏ ସଂକ୍ରାନ୍ତ ଫାଇଲ୍‌ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଗ୍ରିନ୍‌ ଜୋନ୍‌ରେ ଉଭୟ ଘ‌େରାଇ ଓ ଅନ୍ୟାନ୍ୟ ବସ୍‌କୁ କ’ଣ ସୁବିଧା ଦେଇହେବ, ତାହା ଉପରେ ସରକାର ବିଚାର କରୁଛନ୍ତି। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କଲେ ବସ୍‌ ମାଲିକମାନଙ୍କର କ୍ଷତି ହେବ ବୋଲି ଯାହା କୁହାଯାଉଛି, ସେ ନେଇ ସରକାର ସଚେତନ ଅଛନ୍ତି।