ବିଷମକଟକରେ ଓଲଟିଲା ଫର୍ଚ୍ୟୁନ୍ ବସ୍, ୨ ମୃତ

ଲକ୍ଷ୍ମୀପୁରରୁ କଟକ ଆସୁଥିଲା

ବିଷମକଟକ : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ହଜାରୀଡ଼ାଙ୍ଗ ନିକଟରେ ଆଜି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫର୍ଚ୍ୟୁନ ନାମକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଛି। ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ବସ୍‌ର ଡ୍ରାଇଭର ଓ ହେଲ୍‌ପର ବୋଲି ଜଣା ପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ବିଷମକଟକ ସ୍ଥିତ ଖ୍ରୀଷ୍ଟିଆନ୍ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକ, ପୁଲିସ୍, ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବସ୍ ଭିତରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।

ଦୁର୍ଘଟଣାର ଶିକାର ହୋଇଥିବା ଫର୍ଚ୍ୟୁନ ବସ୍ (ଓଡି ୦୪ଏ ୭୪୫୧) କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁରରୁ କଟକ ଯାଉଥିଲା। ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ବିଷମକଟକରୁ ୯କିମି ଦୂର ହଜାରୀଡ଼ାଙ୍ଗ ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଗୋଟିଏ ଜମି ମଧ୍ୟକୁ ଖସି ପଡ଼ିଥିଲା। ବସ୍‌ର ସମ୍ମୁଖ ଭାଗ ସଂପୂର୍ଣ୍ଣ ଚୂରମାର ହୋଇ ଯାଇଥିବା ବେଳେ ବସ୍‌ର ଗୋଟିଏ ପାର୍ଶ୍ବ ଜମି ଭିତରେ ପଶି ଯାଇଥିବାରୁ ବହୁ ଯାତ୍ରୀ ବସ୍ ଭିତରେ ଚାପି ହୋଇ ରହିଥିବା ସୂଚନା ମିଳିଛି। ପ୍ରାୟ ସମସ୍ତ ଯାତ୍ରୀ ଆହତ ହୋଇଥିବା ନେଇ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ବସ୍ ଭିତରୁ ଡ୍ରାଇଭର, ହେଲ୍‌ପରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ କିଛି ଆହତ ଗୁରୁତର ଅବସ୍ଥାରେ ବସ୍ ଭିତରେ ଚାପି ହୋଇ ରହିଛନ୍ତି। ଜେସିବି ମେସିନ୍ ସାହାଯ୍ୟରେ ବସ୍‌କୁ ବିଲ ଭିତର ଉଠାଯିବା ପରେ ପ୍ରକୃତ ମୃତ ଓ ଗୁରୁତରଙ୍କ ସଂଖ୍ୟା ଜଣା ପଡ଼ିବ ବୋଲି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର