ଅନୁଗୁଳ: କରୋନା ମହାମାରୀ ପୃଥିବୀର ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ସେଥିରୁ ବାଦ୍ ପଡ଼ିନାହାନ୍ତି ବସ୍ ମାଲିକ ଏବଂ ବସ୍ ବ୍ୟବସାୟ ସହ ଜଡ଼ିତ ଶ୍ରମିକ, ଚାଳକ ପରିବାର। ଅନୁଗୁଳ ଜିଲ୍ଲାରେ ଲକ୍ଡାଉନ ପର ଠାରୁ ପ୍ରାୟ ୧୭୦/୧୮୦ ଯାତ୍ରୀବାହୀ ବସ୍ ସବୁ ଠିଆ ହୋଇଛି। ବସ୍ ଯାତ୍ରା ଠପ୍ ପାଇଁ ପ୍ରାୟ ୫୦୦ରୁ ଅଧିକ ଗାଡି ଚାଳକ ଏବଂ କଣ୍ଡକ୍ଟର ପରିବାର କେବଳ ହାତ ଟେକି ବସି ଯାଇନାହାନ୍ତି, ବରଂ ମାସିକ କିସ୍ତି କେଉଁଠୁ ଆଣିବେ, ଇନ୍ସୁରାନ୍ସ ଭରଣା କେମିତି ହେବ ସେସବୁ ନେଇ ମସ୍ତବଡ଼ ଚିନ୍ତାରେ ପଡ଼ିଛନ୍ତି ମାଲିକମାନେ।
ଉଲ୍ଲେଖଯୋଗ୍ୟ, ଯାତ୍ରୀ ପରିବହନକୁ ବ୍ୟବସାୟ କରିଥିବା ବସ୍ ମାଲିକଙ୍କ ପାଇଁ ବଡ଼ ଚାଲେଞ୍ଜ ଥିଲା ପରିବହନ ବିଭାଗକୁ ମାସିକ ଦେବାକୁ ଥିବା ଟିକସ। ଯାହାକୁ ନିକଟରେ ସରକାର କୋହଳ କରିଛନ୍ତି। ଗାଡି ଚାଲୁ ନ ଥିଲେ, ଅନଲାଇନ ଜରିଆରେ ଗାଡି ଚାଲୁ ନ ଥିବା କଥା ଦର୍ଶାଇବାକୁ କହିଛନ୍ତି। ଅନୁଗୁଳ ଜିଲ୍ଲାର ପ୍ରାୟ ବସ୍ ମାଲିକ ସେୟା କରି ସାରିଲେଣି। ହାତରୁ ବାଜିବାକୁ ଥିବା ଟିକସ ଚିନ୍ତା ଆଉ ଯଦିଓ ନାହିଁ, କିନ୍ତୁ ଇନ୍ସୁରାନ୍ସ ବାବଦକୁ ପୈଠ କରାଯିବାକୁ ଥିବା ପାଉଣା ବାଧିବ ବୋଲି ଅନୁଗୁଳ ବସ୍ ମାଲିକ ସଂଘ ସମ୍ପାଦକ ସନ୍ତୋଷ ମିଶ୍ର କହିଛନ୍ତି। ତାଙ୍କ କହିବା ମୁତାବକ, ଚଳିତ ଏକୋଇଶ ଦିନିଆ ଲକ୍ଡାଉନ୍ରେ ବେପାର ପୂରା ଠପ୍ ହୋଇଯାଇଛି। ରୋଜଗାର ପୂରା ଠପ୍। ଘର ଆଗରେ ଗାଡ଼ି ଠିଆ ହୋଇଛି। ଗୋଟିଏ ଗାଡ଼ିର ଚାଳକ, ହେଲ୍ପର ଓ କଣ୍ଡକ୍ଟରକୁ ମିଶାଇଲେ ତିନୋଟି ପରିବାର ଏବେ ଲକ୍ଡାଉନ୍ର ଦୁଃଖ ଭୋଗୁଛନ୍ତି। ଆମ ଜିଲ୍ଲାରେ ଛଅଚକିଆ ବସ୍ ପ୍ରାୟ ୧୭୦/୧୮୦ଟି ଚାଲୁଛି। ଏମିତି ଦେଖିଲେ ପ୍ରାୟ ୫୦୦ରୁ ଅଧିକ ପରିବାର ଲକ୍ଡାଉନ ଦୁଃଖ ଭୋଗୁଛନ୍ତି ବୋଲି ଶ୍ରୀ ମିଶ୍ର ଆକଳନ କରି କହିଛନ୍ତି। କେବଳ ସେମାନେ ନୁହନ୍ତି, ଆମ ଉପରେ ବି ଆର୍ଥିକ ଚାପ ପଡ଼ିଛି। ନିକଟରେ ଆରବିଆଇ ମାସିକ ବ୍ୟାଙ୍କ କିସ୍ତି ତିନି ମାସ ଯାଏ କୋହଳ କଲେ ବୋଲି ଘୋଷଣା କଲେ। କିନ୍ତୁ ବାସ୍ତବରେ କିଛି ବ୍ୟାଙ୍କ ଓ ଘରୋଇ ଅନୁଷ୍ଠାନ କିସ୍ତି କୋହଳ କରିବାକୁ ନାରାଜ। ବେପାର ନ ହେଲେ ବି ଗାଡ଼ି କିସ୍ତି ଆମକୁ ଭରଣା କରିବାକୁ ପଡୁଛି। ଯାହା ଆମ ଉପରେ ଏକ ବଡ଼ ଆର୍ଥିକ ଚାପ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ଅଳ୍ପ ହେଲେ ବି ଇନ୍ସୁରାନ୍ସ ଟଙ୍କା ବି କିଛି କମ୍ ଚାପ ନୁହେଁ। ଗୋଟିଏ ଗାଡ଼ି ପିଛା ଆମେ ବର୍ଷକୁ ପ୍ରାୟ ୬୦ ହଜାର ଟଙ୍କା ଇନ୍ସୁରାନ୍ସ ବହନ କରୁଛୁ। ଏମିତି ହିସାବ କଲେ ମାସିକ ୫ ହଜାର ଟଙ୍କା ଇନ୍ସୁରାନ୍ସ କଂପାନି ଟାଣୁଛି। ବର୍ତ୍ତମାନ ଗାଡ଼ିରୁ ଟଙ୍କାଟିଏ କମାଣି ହେଉ ନ ଥିବା ବେଳେ ୫ ହଜାର ବହନ କରିବା କଷ୍ଟ ହେଉଛି ବୋଲି ସେ କହିଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି।