ଭୁବନେଶ୍ବର : ଅନ୍ତଃରାଜ୍ୟ ଟ୍ରେନ୍ ଚଳାଚଳକୁ ଅନୁମତି ମିଳୁଛି। କିନ୍ତୁ ବସ୍ ବେଳକୁ ରାଜ୍ୟ ସରକାର ଶୁଣୁନାହାନ୍ତି। ଛତିଶଗଡ଼, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ମଧ୍ୟ ଓଡ଼ିଶାରୁ ଏହିସବୁ ରାଜ୍ୟକୁ ବସ୍ ଚଳାଚଳ ଦାବିକୁ ମଧ୍ୟ ବିଚାରକୁ ନିଆଯାଉନି। ଏପରିକି ଗତ ୧୭ତାରିଖ ଲୋକସେବା ଭବନରେ ବସ୍ ଚଳାଚଳକୁ ନେଇ ହୋଇଥିବା ଆଲୋଚନାବେଳେ ଯେଉଁ ଦଶ ଦଫା ଦାବିପତ୍ର ଦିଆଯାଇଥିଲା, ପ୍ରତିଶ୍ରୁତି ସତ୍ତ୍ବେ ଏ ଯାଏ କିଛି ପଦକ୍ଷେପ ନେଇ ନାହାନ୍ତି ରାଜ୍ୟ ସରକାର। ଏଭଳି ଏକାଧିକ ଦାବି ନେଇ ଶୁକ୍ରବାର ରାଜ୍ୟ ବସ୍ ମାଲିକ ସଂଘ ପରିବହନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିବା ସହିତ ଦାବି ପୂରଣ କରିବାକୁ ଅନୁରୋଧ କରିଛି।
ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ଗତ ୧୭ ତାରିଖ ହୋଇଥିବା ବୈଠକରେ ଦିଆଯାଇଥିବା ଦାବିଗୁଡ଼ିକ ମଧ୍ୟରୁ କିଛି ଦାବି ପୂରଣ ପାଇଁ ନିଶ୍ଚିତ ସମୟ ଲାଗିବ। ମାତ୍ର ପଶ୍ଚିମ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ମାର୍ଗରେ ବସ୍ ଚଳାଚଳକୁ ଅନୁମତି ଦେବାରେ କିଛି ସମସ୍ୟା ନାହିଁ। ଅନ୍ୟ ରାଜ୍ୟର ବ୍ୟାବସାୟିକ ସହରକୁ ବସ୍ ଚଳାଚଳ କରୁ ନ ଥିବାରୁ ଅନ୍ତଃରାଜ୍ୟ ବସ୍ର ମାଲିକମାନେ କ୍ଷତି ସହୁଛନ୍ତି। ଏହାଛଡ଼ା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଯାତ୍ରୀ ବସ୍ରେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ଫଳରେ ଯାତ୍ରୀଙ୍କ ସଂଖ୍ୟା ଆଶାନୁରୂପ ଭାବେ ବଢ଼ୁନାହିଁ। ତେଲଦର ସାଙ୍ଗକୁ ବସ୍ ଚଳାଚଳରେ ଅନ୍ୟାନ୍ୟ ବ୍ୟୟଭାର ମାଲିକଙ୍କ ପାଇଁ ଦାଉ ସାଧୁଛି। ତେଣୁ ଦିଆଯାଇଥିବା ଦାବିଗୁଡ଼ିକୁ ସରକାର ଯଦି ନିର୍ଦ୍ଧାରିତ ସମୟରେ ପୂରଣ ନ କରନ୍ତି ତେବେ ବସ୍ ଚଳାଚଳ କରିବା ମାଲିକମାନଙ୍କ ପାଇଁ ସମ୍ଭବପର ହୋଇନପାରେ ବୋଲି ସଂଘ ସ୍ପଷ୍ଟ କରିଛି।