ରୋଡ ଟିକସ ଛାଡ଼, କର୍ମଚାରୀଙ୍କୁ ସହାୟତା ପାଇଁ ବସ୍‌ ମାଲିକଙ୍କ ଦାବି

ଭୁବନେଶ୍ବର : ଗତବର୍ଷ ପରେ ଚଳିତ ବର୍ଷ ପ୍ରଥମେ କରୋନା ଯୋଗୁଁ ବସ ସେବା ପ୍ରଭାବିତ ହେଲା। ବର୍ତ୍ତମାନ ଲକ୍‌ଡାଉନ ଯୋଗୁଁ ଠପ୍‌ ପଡ଼ିଛି। ଏଭଳି ସ୍ଥିତିରେ ଏପ୍ରିଲ ମାସରୁ ଜୁଲାଇ ୪ ମାସ ପର୍ଯ୍ୟନ୍ତ ରୋଡ ଟିକସ ଛାଡ଼ ସମେତ ୫ ଦଫା ଦାବି କରିଛନ୍ତି ଅଲ ଓଡ଼ିଶା ବସ ମାଲିକ ସଂଘ। ଅନ୍ୟଦାବିଗୁଡ଼ିକ ମଧ୍ୟରେ ବୀମା ଅବଧିକୁ ୩ ମାସ ବୃଦ୍ଧି, ବ୍ୟାଙ୍କ କିସ୍ତିକୁ ୩ ମାସ ଆଦାୟ କରିବା, ସୁଧ ଛାଡ଼ କରିବା, କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା, ୨୦୨୦ ମସିହାରେ ବସ ମାଲିକମାନେ ବ୍ୟାଙ୍କମାନଙ୍କରୁ ନେଇଥିବା ଋଣ ସମୟ ଅବଧି ବୃଦ୍ଧି ପ୍ରମୁଖ ରହିଛି।

ବସମାଲିକ ସଂଘ ମୁଖପାତ୍ର ଦେବାଶିଷ ନାଏକ କହିଛନ୍ତି, କରୋନାର ଭୟାବହତା, ଲକ୍‌ଡାଉନ, ସଟଡାଉନ ଯୋଗୁଁ ବସ୍‌ ବ୍ୟବସାୟ ଧରାଶାୟୀ ହୋଇ ପଡ଼ିଛି। ଗତବର୍ଷ ଏପ୍ରିଲ ମାସରୁ ନଭେମ୍ବର ପର୍ଯ୍ୟନ୍ତ ଯାତ୍ରୀ ଅଭାବର ସମ୍ମୁଖୀନ ହୋଇଥିଲା। ରାଜ୍ୟର ୧୪ ହଜାର ବସ ଅଚଳ ହୋଇ ପଡ଼ିଥିଲା। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ବସ୍‌ ମାଲିକମାନେ ବ୍ୟାଙ୍କ ବିଭିନ୍ନ ଆର୍ଥିକ ସଂସ୍ଥାରୁ ଋଣ ନେଇ ନିଜ ବ୍ୟବସାୟ ପୁନଃ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। କିଛି ମାସ ପରେ ପୁଣି ଦ୍ବିତୀୟ ଲହର ଯୋଗୁଁ ପ୍ରଥମ ରାଜ୍ୟ ବାହାରକୁ ଯାଉଥିବା ୨୫୦ ବସ ଏବଂ ୧୫୦୦ କର୍ମଚାରୀ ହାତବାନ୍ଧି ବସି ରହିଲେ। ଏଣେ ବସ୍‌ମାଲିକମାନେ ଦୁଇଟି ରାଜ୍ୟକୁ ୪୦ ହଜାର ଟଙ୍କା ଟିକସ, ବୀମା ରାଶି ବାବଦରେ ୧୫ ହଜାର ଟଙ୍କା ପାଇଁ ୩୦ ହଜାର ପୈଠ କରି ସାରିଛନ୍ତି। ଅନ୍ୟ ସମସ୍ତ ସରକାରୀ ଦେୟ ଉଭୟ ରାଜ୍ୟ ସରକାରଙ୍କ ଠାରେ ପୈଠ କରି ବସଗୁଡ଼ିକ ଠିଆ କରି ରଖିଲେ। ଏହା ଦେବା କୌଣସି ବସ ବ୍ୟବସାୟୀଙ୍କ ପାଇଁ ସମ୍ଭବ ନୁହେଁ। ଏମାନଙ୍କ ସହିତ ରାଜ୍ୟରେ ଚଳାଚଳ କରୁଥିବା ୧୪ ହଜାର ବସ, ୨୦ ହଜାର କର୍ମଚାରୀ ହତାଶ ହୋଇ ପଡ଼ିଛନ୍ତି।

ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ କେବେ ସ୍ଥିତି ସ୍ବଭାବିକ ହେବ କୁହାଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ଦାବି କରାଯାଇଛି। ସଂଘ କହିଛି, ବୀମା ଅବଧି ଏକ ବର୍ଷ ଅଟେ। ଏହି ଅବଧି ମଧ୍ୟରେ ବସମାଲିକମାନେ କେବଳ ବିଶେଷକ୍ଷେତ୍ରରେ ଥରେ ମାତ୍ର ଅବଧି ବୃଦ୍ଧି କରିପାରିବେ। ଗତବର୍ଷ ବସ ଚଳାଚଳ ହୋଇନଥିବାରୁ ବୀମା ଅବଧି ବୃଦ୍ଧି କରିସାରିଛନ୍ତି। ଆଉ ଥରେ ଅବଧି ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ସୁପାରିସର ଆବଶ୍ୟକତା ରହିଛି। ସେହିଭଳି ଆପାତକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମରେ ଋଣ ନେଲେ ଏକ ବର୍ଷ ମଧ୍ୟରେ ପରିଶୋଧ କରିବାର ନିୟମ ରହିଛି। ଏହି ଋଣ ନେଇ ବସମାଲିକ ଫସି ଯାଇଛନ୍ତି। ଏହାର ପରିଶୋଧ ଅବଧି ବୃଦ୍ଧି ପାଇଁ ରାଜ୍ୟ ସରକାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ଆରବିଆଇ, ଆଇଆରଡିଏଆଇ ସହିତ ଆଲୋଚନା କରିବା ଉଚିତ।

ସମ୍ବନ୍ଧିତ ଖବର