ଜୟପୁର: କୋରାପୁଟ ଜିଲ୍ଲା ସେମିଳିଗୁଡାରୁ ସମ୍ବଲପୁର ଯାଉଥିବା ଯାତ୍ରୀବାହୀ ବସ୍ (ବୁଲୁବୁଲ) ଗୁରୁବାର ସଂଧ୍ୟା ସାଢ଼େ ୫ଟା ବେଳେ ସମ୍ମୁଖ ପଟରୁ ଆସୁଥିବା ଅମ୍ବୁଲାନସକୁ ସାଇଡ୍ ଦେବାକୁ ଯାଇ ରାସ୍ତା ପାର୍ଶ୍ବ ନାଳରେ ପଶି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭାଗ୍ୟବଶତଃ ଯାତ୍ରୀ ମାନଙ୍କୁ କିଛି ହୋଇ ନଥିବା ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି କହିଛନ୍ତି। ସୂଚନା ଅନୁଯାୟୀ, ଆଜି ସଂଧ୍ୟା ସାଢ଼େ ୫ଟା ବେଳେ ସେମିଳିଗୁଡାରୁ ସମ୍ବଲପୁର ଅଭିମୁଖେ ବାହାରିଥିଲା ବୁଲୁବୁଲ ବସ। ଜୟପୁର-କୋରପୁଟ ଘାଟିରେ ଜୟପୁର ଆଡରୁ ଏକ ଆମ୍ବୁଲାନସ୍ ଯାଉଥିଲା। ଗୋଟିଏ ଗାଡ଼ିକୁ ଅତିକ୍ରମ କରି ଯାଉଥିବା ବେଳେ ସମ୍ମୁଖରେ ଆସୁଥିବା ବସଟି ସାଇଡ୍ ଦେବାକୁ ଯାଇ ରାସ୍ତା ପାର୍ଶ୍ବକୁ ସଂପୁର୍ଣ୍ଣ ରୁପେ ପଳାଇଥିଲା। ରାସ୍ତା ପାର୍ଶ୍ବରେ ଥିବା ନାଳ ମଧ୍ୟକୁ ବସର ଛକ ପସିଯାଇ ନାଳ ଉପର ଆଡକୁ ବସଟି ପଳାଇଥିଲା। ତେବେ ଭାଗ୍ୟବଶତଃ ନାଳ ପଟକୁ ପାହାଡ ଥିବାରୁ ଏବଂ ଛକଟି ନାଳ ମଧ୍ୟରେ ପସି ରହିବାରୁ ବସଟି ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା। ଏହି ଦୁର୍ଘଟଣାରେ ଯାତ୍ରୀ ମାନଙ୍କୁ କାହାରିକୁ କିଛି ହୋଇ ନଥିବା କହିଛନ୍ତି ସଦରଥାନା ଅଧିକାରୀ।