କୋଟିଆକୁ ଗଡ଼ିଲା ବିଜୁ ଗାଁ ଗାଡ଼ି

କୋରାପୁଟ/ପଟାଙ୍ଗୀ : ଦୀର୍ଘ ଦିନର ଆଶା ପୂରଣ ହୋଇଛି। କୋଟିଆକୁ ଗଡିଛି ବସ୍‌। ଏଥର କମାଣ୍ଡର ଛାତରେ ନୁହେଁ, ବରଂ ବସ୍‌ ଭିତରେ କୋଟିଆକୁ ଯାଇ ଆସି ପାରିବେ ଲୋକେ। ଆଜି ବିଜୁ ଗାଁ ଗାଡି ଯୋଜନାରେ କୋଟିଆକୁ ଏକ ବସ୍‌ ଯାତାୟାତ ଆରମ୍ଭ କରିଛି। ତଳ ଗୋଲୁରୁଠାରୁ କୋଟିଆକୁ ଏହି ବସ୍‌ ନିୟମିତ ଚଳାଚଳ କରିବ ବୋଲି କୁହାଯାଇଛି।

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଏହି ଅଂଚଳକୁ ବିଶେଷ ଧ୍ୟାନ ଦେଇଥିଲେ ରାଜ୍ୟ ସରକାର। ଏହି ଅଂଚଳରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାସ୍ତାଘାଟରୁ ଆରମ୍ଭ କରି ବିଦୁତ୍ୟକରଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଯୋଗାଯୋଗ କ୍ଷେତ୍ରରେ ବହୁ ପଛରେ ପଡି ଯାଇଥିବା କୋଟିଆ ପଞ୍ଚାୟତକୁ ଏକ ନିୟମିତ ବସ୍‌ ଚଳାଇବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଆଜିଠାରୁ କୋଟିଆକୁ ବସ୍‌ ଗଡିଛି। ବିଜୁ ଗାଁ ଗାଡି ଯୋଜନାରେ ଚଳାଚଳ କରୁଥିବା ଏହି ବସ୍‌ରେ ୩୫ଟି ସିଟ୍‌ ରହିଛି। ଏହି ବସ୍‌ ତଳ ଗୋଲୁରୁଠାରୁ ନିୟମିତ ଭାବେ କୋଟିଆ ପର୍ଯ୍ୟନ୍ତ ଯିବ। ଏହି ବସ୍‌ସେବାକୁ ଆଜି ଉଦ୍‌ଘାଟନ କରିଛନ୍ତି ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ପୂର୍ବତନ ବିଧାୟକ ରଘୁରାମ ପଡାଲ, ଆରଟିଓ ପ୍ରଭାତ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ କହିଥିଲେ ଯେ, କୋଟିଆକୁ ଯିବା ଆସିବା କରିବା ପାଇଁ ପୂର୍ବରୁ ଲୋକମାନେ ହଇରାଣ ହେଉଥିଲେ। ଏବେ ନିୟମିତ ବସ୍‌ ଚଳାଚଳ କରିବ। ଫଳରେ କୋଟିଆ ଆଉ ଅପହଞ୍ଚ ହୋଇ ରହିବ ନାହିଁ ବୋଲି ସେ କହିଛନ୍ତି। ଏବେ ଗୋଟିଏ ବସ୍‌ ଚଳାଚଳ କରୁଥିଲାବେଳେ ଖୁବ୍‌ଶୀଘ୍ର ଆଉ ଏକ ବସ୍‌ ଚାଲିବ। ଗୋଟିଏ ତଳ ଗୋଲୁରୁଠାରେ ଏବଂ ଗୋଟିଏ କୋଟିଆଠାରେ ରାତିରେ ରହିବ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଳା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ଏହି ଗାଁଗୁଡିକ ଓଡ଼ିଶାର ହୋଇଥିଲାବେଳେ ଏହାକୁ ଦଖଲ କରିବା ପାଇଁ ଆନ୍ଧ୍ର ସରକାର ଜୋରଦାର ଚେଷ୍ଟା କରୁଛନ୍ତି। ଗତ ସପ୍ତାହରେ ବିଜୟନଗରମର ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଓ ଜନ ପ୍ରତିନିଧି ଆସି କୋଟିଆରେ ପହଞ୍ଚିଥିଲେ। ପରେ ତଳ ଗଂଜେଇ ପଦରକୁ ଯାଇ ସଭା କରିଥିଲେ। ଏହା ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ପ୍ରଶାସନ ପକ୍ଷରୁ କୋଟିଆ ଅଂଚଳରେ ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର