ବସ୍ ଚଳାଚଳ ଆାରମ୍ଭ: କ୍ଷତି ସହୁଛି ଓଏସଆରଟିସି, ଯାତ୍ରୀଙ୍କ ଅପେକ୍ଷାରେ କର୍ମଚାରୀ

ବ୍ରହ୍ମପୁର: ଲକ୍‌ଡାଉନ୍ କଟକଣା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ବସ୍ ସେବା। କୋହଳ ପରେ ଦୀର୍ଘ ଅଢ଼େଇ ମାସ ପରେ ଗତକାଲିଠୁ ରାଜ୍ୟରେ ଓଏସ୍‌ଆର୍‌ଟିସି ବସ୍ ଚଳାଚଳ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାର ୨ଟି (ବ୍ରହ୍ମପୁର ଓ ଭଞ୍ଜନଗର) ୟୁନିଟ୍‌ରୁ ୩ଟି ବସ୍ ସେବା ଆରମ୍ଭ ହୋଇଛି। ବ୍ରହ୍ମପୁରରୁ କଟକ, ଭଞ୍ଜନଗରରୁ କଟକ ଓ ଭଞ୍ଜନଗରରୁ ସୁନାବେଡ଼ା ବସ୍ ଚଳାଳଚ ପାଇଁ ଅନୁମତି ମିଳିଛି। କିନ୍ତୁ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଯାତ୍ରୀ ଆସୁନାହାନ୍ତି। ସ୍ବଳ୍ପ ଟିକେଟ୍ ବୁକିଂ ହେଉଥିବା ବେଳେ ସେତିକି ଯାତ୍ରୀଙ୍କୁ ନେଇ ହିଁ ବସ୍ ଯାତାୟାତ କରୁଛି। ଯାହାଫଳରେ ପ୍ରତ୍ୟେକ ଦିନ ଓଏସଆର୍‌ଟିସିକୁ କ୍ଷତି ସହିବାକୁ ପଡ଼ୁଛି। କିନ୍ତୁ ଲୋକଙ୍କ ଯାତାୟାତରେ ଅସୁବିଧା ନହେବା ପାଇଁ ଏହି ବସ୍ ସେବା ଚାଲୁ ରହିବ ବୋଲି ଜଣାପଡ଼ିଛି। ଗତକାଲି ବ୍ରହ୍ମପୁର ୟୁନିଟ୍‌ରୁ ଗୋଟିଏ ଏସି ଡିଲକ୍ସ୍ ବସ୍ ସନ୍ଧ୍ୟା ୬ଟାରେ ୪ ଜଣ ଯାତ୍ରୀକୁ ନେଇ କଟକ ଯାଇଥିଲା। ଉକ୍ତ ବସ୍‌ଟି କଟକରୁ ଆଜି ସକାଳ ୭ଟାରେ ବାହାରି ୪ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରେ ପହଞ୍ଚିଛି। ଏହି ବସ୍‌ରେ କେବଳ କଟକରୁ ଭୁବନେଶ୍ବର ପର୍ଯ୍ୟନ୍ତ ୧୦ଜଣ ଲୋକାଲ୍ ପାସେଞ୍ଜର୍ ଆସିଥିବା ସୂଚନା ମିଳିଛି। ଯିବା ଆସିବାରେ ପାଖାପାଖି ୧୩ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨ ହଜାର ଟଙ୍କା ଆଦାୟ ହୋଇଛି।

ସେହିପରି ଭଞ୍ଜନଗର ୟୁନିଟ୍‌ରୁ ଗତକାଲି ଭୋର୍ ୫ଟା ୨୦ ମିନିଟ୍‌ରେ ଗୋଟିଏ ବସ୍ ୧୭ ଜଣ ଯାତ୍ରୀଙ୍କୁ ନେଇ କଟକ ଯାଇଥିଲା। ଫେରିବା ବେଳେ କଟକରୁ ୧୭ ଜଣ ଯାତ୍ରୀକୁ ନେଇ ଭଞ୍ଜନଗର ଆସିଥିଲା। ଏହି ବସ୍‌ ଯାତାୟାତରେ ପାଖାପାଖି ୧୩ ହଜାର ଖର୍ଚ୍ଚ ହେଉଥିବା ବେଳେ ୮ ହଜାର ଟଙ୍କା ଆଦାୟ ହୋଇଛି। ସେହିପରି ଭଞ୍ଜନଗରକୁ ୧୭ ଜଣ ଯାତ୍ରୀଙ୍କୁ ନେଇ ଗୋଟିଏ ବସ୍ ଭାୟା ବ୍ରହ୍ମପୁର ଦେଇ ସୁନାବେଡ଼ାକୁ ଯାଇଛି। ଉକ୍ତ ବସ୍ ଆସନ୍ତାକାଲି ଫେରିବ ବୋଲି ଜଣାପଡ଼ିଛି। ଜିଲ୍ଲାର ଦୁଇଟି ୟୁନିଟ୍‌ରେ ୩ଟି ବସ୍ ଚାଲିଥିବା ବେଳେ ଏଭଳି ଅବସ୍ଥାକୁ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ୟୁନିଟ୍‌ରୁ ଆଜି ମ‌ୋଟ ୭ଟି ବସ୍ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ୍‌କୁ ଆସିଛି। କଟକରୁ ୨ଟି ବସ୍‌ ଓ ବରଗଡ଼, ବୁର୍ଲା, ଝାରସୁଗୁଡ଼ା, ଭବାନୀପାଟଣା ଓ ବଲାଙ୍ଗୀରରୁ ଗୋଟିଏ ଲେଖାଏଁ ବସ୍ ଆସିଛି। ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରୁ କଟକ ଦୁଇଟି ବସ୍ ପୂର୍ବାହ୍ନ ୧୧ଟା ଓ ଅପରାହ୍‌ଣ ୧.୪୫ ମିନିଟ୍‌ରେ ଛାଡ଼ିଛି। ‌ସେହିପରି ବରଗଡ଼ ବସ୍ ଅପରାହଣ୍ ୩.୩୦ ମିନିଟ୍, ବୁର୍ଲା ବସ୍ ଅପରାହଣ୍ ୫ଟା, ବଲାଙ୍ଗୀର ବସ୍ ସନ୍ଧ୍ୟା ୭ଟା, ଝାରସୁଗୁଡ଼ା ବସ୍ ଓ ଭବାନୀପାଟଣା ବସ୍ ରାତି ୮ଟାରେ ବ୍ରହ୍ମପୁରର ବସ୍‌ଷ୍ଟାଣ୍ଡରୁ ବାହାରିଛି। ନିୟମାବଳୀ ଅନୁସାରେ, କ୍ଷମତାଠୁ ଅଧିକ ଯାତ୍ରୀ ପରିବହନ ହେବନି। ବିନା ମାସ୍କ୍‌ରେ କୌଣସି ଯାତ୍ରୀଙ୍କୁ ବସ୍‌କୁ ଚଢ଼ିବା ଲାଗି ଅନୁମତି ଦିଆଯିବ ନାହିଁ। ଚାଳକ ‌ଓ ବସ୍‌ କର୍ମଚାରୀ ମାନେ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ ବୋଲି ସୂଚନା ମିଳିଛି। ଏହି ସମସ୍ତ ବସ୍‌ରେ ଯାତାୟତ ପାଇଁ ବ୍ରହ୍ମପୁର ଟିକେଟ୍‌ କାଉଣ୍ଟରରେ ଆଜି ସକାଳୁ ସନ୍ଧ୍ୟା ସୁଧା ୪୫ ଟି ଟିକେଟ୍ ବୁକିଂ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର