ରାଜ୍ୟରେ କେବେ ଗଡ଼ିବ ବସ୍‌? ସରକାର-ବସ୍‌ ମାଲିକ ବଳ କଷାକଷି

କୋହଳ ପରେ ବି ଗଡ଼ିପାରୁନି, ଯାତ୍ରୀଙ୍କ ସ୍ବାର୍ଥକୁ ନିଘା ନାହିଁ, ଆଜି ମାଲିକ ସଂଘ ସହ ବୈଠକ

ଭୁବନେଶ୍ବର : ରାଜ୍ୟ ସରକାର ଓ ବସ୍‌ ମାଲିକ ପରସ୍ପରର ବଳ ମାପିବା ଆରମ୍ଭ କରିଛନ୍ତି। ରବିବାର ସ୍ବତନ୍ତ୍ର ରିଲିଫ୍ କମିସନର ବସ୍‌ ଚଳାଚଳ ପାଇଁ ଅନୁମତି ଦେବା ପରେ ବି ବସ୍‌ ମାଲିକ ସଂଘ ତାଙ୍କ ଜିଦ୍‌ରେ ଅଟଳ। ଲକ୍‌ଡାଉନ୍‌ କୋହଳ ହେଲା ପରେ ବି ବସ୍‌ ଗଡ଼ିଲାନି କି ଯାତ୍ରୀ ପରିବହନ ସେବା ପାଇଲେନି। ସେପଟେ ରାଜ୍ୟ ସରକାର ବି ବସ୍‌ ମାଲିକଙ୍କ ଦାବି ପୂରଣ କରିବେ ବା କରିବେନି ସେ ନେଇ ଠୋସ୍ ନିଷ୍ପତ୍ତି ନେବା ପରିବର୍ତେ ଦିନ ଗଡ଼ାଇବାରେ ଲାଗିଛନ୍ତି। ଆହୁରି ସ୍ପଷ୍ଟ କରି କହିଲେ, ସରକାରୀ ତତ୍ପରତା ଶୂନ। ପରିଣାମ ହେଲା, ରାଜ୍ୟରେ ଘରୋଇ ବସ୍‌ ସେବା କେବେ ସ୍ବାଭାବିକ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଆଜି ବିରୋଧୀ ମଧ୍ୟ ଏହି ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। କାହା ସହିତ ଆଲୋଚନା କରି ସରକାର ବସ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଚାରିଆଡୁ ସମାଲୋଚିତ ହେବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଆସନ୍ତାକାଲି ଅପରାହ୍ନ ୪ଟାରେ ବସ୍‌ ମାଲିକଙ୍କ ସହ ଆଲୋଚନା ହେବ। ହେଲେ ରୋ଼ଡ଼୍ ଟିକସ ଛାଡ଼ ନ ହେବା ଯାଏ ବସ୍‌ ଚାଲିବନି ବୋଲି ମାଲିକ ସଂଘ ରୋକ୍‌ଠୋକ୍ ଜଣାଇ ଦେଇଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଆସନ୍ତାକାଲି ସରକାରଙ୍କ ସହ ବିସ୍ତୃତ ଆଲୋଚନା କରାଯିବ। ଏ ନେଇ ପରିବହନ ବିଭାଗ ପକ୍ଷରୁ ଚିଠି ମିଳିଛି। ଲକ୍‌ଡାଉନ୍‌ରେ ବସ୍‌ଗୁଡ଼ିକ ଅଫ୍‌ ରୋଡ଼ ହୋଇ ରହିଛି। ପରିବହନ ଆଇନ ଅନୁଯାୟୀ, ଅଫ୍‌ରୋଡ଼୍‌ ଗାଡ଼ି ଉପରେ ଟିକସ ନିଆଯାଏ ନାହିଁ। କିନ୍ତୁ ଗୋଟିଏ ମାସର ଦୁଇଦିନ ବସ୍‌ ଚାଲିଲେ ବି ସେହି ମାସ ପାଇଁ ରୋଡ୍‌ ଟିକସ ଲାଗିଥାଏ। ଯେହେତୁ ତାଲାବନ୍ଦ ଯୋଗୁଁ ରୋଜଗାର ନାହିଁ, ସେଥିପାଇଁ ସରକାରଙ୍କୁ ଅଗଷ୍ଟ ପର୍ଯ୍ୟନ୍ତ ରୋଡ଼୍‌ ଟିକସ ଛାଡ଼ କରିବାକୁ ଅନୁରୋଧ କରାଯାଇଛି। ଏହି ଦାବିକୁ ଆଲୋଚନାରେ ଅଗ୍ରାଧିକାର ଦିଆଯିବ। କାରଣ ଏଥିରେ ବସ୍‌ ମାଲିକମାନେ ସରକାରଙ୍କଠାରୁ କୌଣସି ଆର୍ଥିକ ସୁବିଧା ହାସଲ କରିବାକୁ ଚାହୁଁ ନାହାନ୍ତି। ପ୍ରତ୍ୟେକ ବସ୍‌ ପିଛା ୧୨ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକିଆ ରୋଡ୍‌ ଟିକସ ଆଦାୟ ହେଉଛି। ଏପ୍ରିଲ୍‌ ଓ ମେ ମାସକୁ ଛାଡ଼ିଦେଲେ ବାକି ୪ ମାସ ପାଇଁ ପ୍ରାୟ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସରକାର ଛାଡ଼ କରିବେ। ଯେଉଁଥିରେ ବସ୍‌ ମାଲିକ କେବଳ ତାର ବ୍ୟବସ୍ଥାଟିକୁ ବଞ୍ଚାଇପାରିବ।

ଏହାସହିତ ଗାଡ଼ିଗୁଡ଼ିକର ବୀମା ଅବଧି ବୃଦ୍ଧି ନେଇ ଖାଲି କେନ୍ଦ୍ର ଉପରେ ନିଷ୍ପତ୍ତି ଛାଡ଼ିଦେଲେ ହେବନି। ଏ ନେଇ ରାଜ୍ୟ ସରକାର ଚାହିଁଲେ ଆଇଆରଡିଏ ଓ ବୀମା କମ୍ପାନିମାନଙ୍କ ଉପରେ ଚାପ ପକାଇପାରିବେ। ରାଜ୍ୟର ଅଧିକାଂଶ ଟୋଲ୍‌ ଗେଟ୍‌ରେ ପ୍ରତି ଯାତ୍ରୀବାହୀ ବସ୍‌ ବାବଦରେ ମାସିକିଆ ୧ ହଜାର ଟଙ୍କା ଟୋଲ୍‌ ଫି ଦେବାକୁ ପଡ଼ୁଛି। କିନ୍ତୁ କେତେକ ଟୋଲ୍‌ ଗେଟ୍‌ ଏହି ମାସିକିଆ ରିହାତି ଦେଉନାହାନ୍ତି। ସେସବୁ ଟୋଲ୍‌ ଗେଟ୍‌ ଦେଇ ଯାତାୟତ କରୁଥିବା ବସ୍‌ଗୁଡ଼ିକ ପାଇଁ ରିହାତି ଦେବା ପାଇଁ ରାଜ୍ୟ ସରକାର ଆଦେଶନାମା ଜାରି କରିବା ଦରକାର। ଏହା ସହିତ ଅନ୍ୟାନ୍ୟ ଦାବି ନେଇ ମଧ୍ୟ ଆଲୋଚନା ହେବ। ଶ୍ରୀ ସାହୁ କହିଛନ୍ତି ଯେ ଆସନ୍ତାକାଲି ସରକାରଙ୍କ ସହ ଆଲୋଚନା ପରେ ଯଦି ବସ୍‌ ଚଳାଇବା ପାଇଁ ନିଷ୍ପତ୍ତି ହୁଏ ତାହେଲେ ବି ପୂର୍ବପରି ଶତପ୍ରତିଶତ ବସ୍‌ ଚାଲିପାରିବ ନାହିଁ। ଗୋଟିଏ ପଟେ ସରକାର ପରିବହନ ସେବା ପାଇଁ ୨୪ ଘଣ୍ଟିଆ ବସ୍‌ ଚାଲିପାରିବ ବୋଲି ଅନୁମତି ଦେଇଦେଲେ। କିନ୍ତୁ ସନ୍ଧ୍ୟା ୭ଟା ପରେ କର୍ଫ୍ୟକୁ ବଳବତ୍ତର ରଖିଛନ୍ତି। ଏଭଳି ସ୍ଥିତିରେ ଲୋକେ ବଜାର, ବସ୍‌ ଷ୍ଟପ୍‌ କିମ୍ବା ବସ୍‌ଷ୍ଟାଣ୍ଡକୁ ଆସିବେନି। ଫଳରେ ଖାଲି ବସ୍‌ ନେବାକୁ ପଡ଼ିବ। ଏଭଳି ସ୍ଥିତିକୁ ଆଖିରେ ରଖି ସବୁ ବସ୍‌ ଚଲାଇବା ବି ଅସମ୍ଭବ ହେବ।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ଦେଇ କହିଛନ୍ତି, ବସ୍‌ ମାଲିକମାନଙ୍କ ଦାବିଗୁଡ଼ିକ ଉପରେ ବିଚାର କରାଯାଉଛି। ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଯାହା ସମ୍ଭବ ହୋଇପାରିବ ସେ ନେଇ ସରକାର ନିଷ୍ପତ୍ତି ନେବେ। ବସ୍‌ ମାଲିକ ସଂଘ ଓ ସରକାରଙ୍କ ଭିତରେ ଚାଲିଥିବା ଏଭଳି ଖେଳ ଏବେ ସାଧାରଣ ଲୋକଙ୍କ ପାଇଁ କାଳ ହେଲାଣି। କଟକଣା କୋହଳ ପରେ ବି ବସ୍‌ ଗଡ଼ୁନି କି ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିପାରୁନି।

ସମ୍ବନ୍ଧିତ ଖବର