ବରଗଡ଼: ବରଗଡ଼ ପ୍ରଶାସନ ଏବଂ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଲାଗି ରହିଥିବା ବିବାଦର ଆଂଶିକ ସମାଧାନ ହୋଇଛି। ଏଥିସତ୍ତ୍ବେ ପ୍ରଶାସନଠାରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇ ସଂଘ ଶୁକ୍ରବାରଠାରୁ ସ୍ବାଭାବିକ ଭାବେ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଦୁଇ ଦିନ ହେଲା ବରଗଡ଼ ସହର ଦେଇ ଅନ୍ୟ ସମସ୍ତ ସ୍ଥାନକୁ ଘରୋଇ ବସ୍ ସେବା ବନ୍ଦ ରହିଥିଲା। ପୁରୁଣା ବସ୍ଷ୍ଟାଣ୍ଡ ଚତୁପାର୍ଶ୍ବରେ ବ୍ୟାରିକେଟିଂ କରାଯିବାକୁ ବିରୋଧ କରି ସଂଘ ବସ୍ ଚଳାଚଳ ବନ୍ଦ ରଖିଥିଲା। ନିଜ ପୂର୍ବ ୧୫ ଦଫା ଦାବି ପୂରଣ ନହେବା ଯାଏଁ ନୂଆ ବସ୍ଷ୍ଟାଣ୍ଡରୁ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି ସଂଘ ଦୃଢ଼ ଯୁକ୍ତି ରଖିଥିଲା। ବୁଧବାର ବିଳମ୍ବିତ ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ନିର୍ଦ୍ଦେଶନାମା ଜାରି ରହିଥିଲା। ଯେଉଁଥିରେ ପୁରୁଣା ବସ୍ଷ୍ଟାଣ୍ଡ ଏବଂ ସଂଲଗ୍ନ କେନାଲ ରାସ୍ତାକୁ ନୋ-ପାର୍କିଂ ଜୋନ୍ ଭାବେ ଘୋଷଣା କରାଯାଇଥିଲା।
କୌଣସି ଯାତ୍ରୀବାହୀ ଗାଡ଼ି ଏହାର ଖିଲାପ କଲେ ଦୃଢ଼ କାର୍ଯ୍ୟାନଷ୍ଠାନ ହେବ ବୋଲି ଚିଠିରେ ଉେଲ୍ଲଖ ରହିଥିଲା। ଯଦ୍ବାରା ପୁରୁଣା ବିବାଦ ଆହୁରି ତୀବ୍ରରୂପ ଧାରଣ କରିଥିଲା। ଗୁରୁବାର ଦିନତମାମ ଆଲୋଚନା ପର୍ଯ୍ୟାଲୋଚନା ପରେ ମାମଲାର ଆଂଶିକ ସମାଧାନ ହୋଇଛି। ନୂଆ ବସ୍ଷ୍ଟାଣ୍ଡରେ ପର୍ଯ୍ୟାପ୍ତ ଭିତ୍ତିଭୂମି ସହ ବସ୍ ମାଲିକ ସଂଘ ରଖିଥିବା ୧୫ ଦଫା ଦାବି ନେଇ ପଦକ୍ଷେପ ହେବ ବୋଲି ପ୍ରଶାସନ ରାଜି ହୋଇଛି। ତେବେ ନୂଆ ବସ୍ଷ୍ଟାଣ୍ଡରୁ ଘରୋଇ ବସ୍ ସମେତ ସିଟି ବସ୍ ଓ ସରକାରୀ ବସ୍ ରହଣି ତଥା ଚଳାଚଳ ବ୍ୟବସ୍ଥା କରିବାକୁ ସଂଘ ଚୂଡ଼ାନ୍ତ ଦାବି ରଖିଥିଲା। ସିଟି ବସ୍ ଏବଂ ସରକାରୀ ବସ୍ ପୂର୍ବଭଳି ଚଳାଚଳ କଲେ ଘରୋଇ ବସ୍ଗୁଡ଼ିକ ପାଇଁ ମଧ୍ୟ ବସ୍ଷ୍ଟପ୍ ବ୍ୟବସ୍ଥା କରିବାକୁ ସଂଘ ଯୁକ୍ତି ରଖିଥିଲା। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ସଂଘ ଶୁକ୍ରବାରଠାରୁ ସ୍ବାଭାବିକ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛି।