ସ୍ଥିତି ସ୍ବାଭାବିକ ନହେବା ଯାଏ ଚାଲିବନି ବସ୍‌

୧୪ ହଜାର ବସ୍‌ର ୫୬ହଜାର କର୍ମଚାରୀ ପ୍ରଭାବିତ
୫୦ ପ୍ରତିଶତ ଯାତ୍ରୀ ବି ଯାତ୍ରା କରିବେ ନାହିଁ
ଦ୍ବିଗୁଣ ଭଡ଼ା ଦେବା ପାଇଁ ଯାତ୍ରୀ ପ୍ରସ୍ତୁତ ନୁହନ୍ତି

ଭୁବନେଶ୍ବର : ଚତୁର୍ଥ ଲକ୍‌ଡାଉନ୍‌ରେ ବସ୍‌ ଚଳାଚଳକୁ ଅନୁମତି ମିଳିଛି। ମାତ୍ର ସରକାର ଯେଉଁ ସର୍ତ୍ତ ରଖିଛନ୍ତି, ତା’ ସହ ବସ୍‌ ମାଲିକମାନେ ସହମତ ହୋଇପାରୁନାହାନ୍ତି। ସମସ୍ତ ସର୍ତ୍ତ ମାନି ବସ୍ ଚଳାଚଳ କ‌ଲେ ବସ୍‌ ମାଲିକମାନେ ବହୁ କ୍ଷତି ସହି‌ବେ। କ୍ଷତି ସହିବା ଅପେକ୍ଷା ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଶ୍ରେୟସ୍କର ମଣିଛନ୍ତି ରାଜ୍ୟ ବସ୍‌ ମାଲିକ ସଂଘ। ତେଣୁ ଏବେ ବସ୍‌ ଚାଲିବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି।

ପ୍ରଥମତଃ ସର୍ତମୂଳକ ଲକ୍‌ଡାଉନ୍ ଜାରି ରହିଥିବା ଯୋଗୁଁ ସରକାର କହିଛନ୍ତି ୫୦ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଗଡ଼ିବ। ହେଲେ ବସ୍‌ରେ ସେଇ ୫୦ ପ୍ରତିଶତ ଯାତ୍ରୀ ବି ଯାତ୍ରା କରିବେ ନାହିଁ। ସଂକ୍ରମଣ ଆଶଙ୍କା ଭୟରେ ବସ୍‌ରେ ଏକକାଳୀନ ଏତେ ଲୋକଙ୍କ ସହ ଦୂର ସ୍ଥାନକୁ ଯିବାକୁ ଅନେକ ମାନସିକ ସ୍ତରରେ ପ୍ରସ୍ତୁତ ନୁହନ୍ତି। ଦ୍ବିତୀୟ କଥା ହେଉଛି, ଯେଉଁ ୫୦ପ୍ରତିଶତ ଯାତ୍ରୀ ବସ୍‌ରେ ଯାତ୍ରା କରିବେ, ସେମାନଙ୍କଠାରୁ ଦ୍ବିଗୁଣ ବସ୍‌ ଭଡ଼ା ଅସୁଲ କରିବାକୁ କୁହାଯାଉଛି। ଏହା କାନକୁ ଶୁଣିବାକୁ ଭଲ ଲାଗୁଛି। ମାତ୍ର ବାସ୍ତବରେ ଏହା କେବେ ବି ସମ୍ଭବ ନୁହେଁ ବୋଲି ରାଜ୍ୟ ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

ଶ୍ରୀ ନାୟକଙ୍କ ଯୁକ୍ତି ହେଲା, ଯଦି ବାଲେଶ୍ବର ଯାଉଥିବା ଜଣେ ଯାତ୍ରୀଙ୍କଠାରୁ ଆମେ ଭଡ଼ା ବାବଦକୁ ୫ଶହ ଟଙ୍କା ନେବୁ, ତେବେ ଯିବା ଆସିବା ପାଇଁ ତାକୁ ୧ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ସର୍ତ୍ତ ମାନି ଜଣେ ଯାତ୍ରୀ ଏତେ ଟଙ୍କା ଦେଇ ଯାତ୍ରା କରିବାକୁ ମାନସିକ ଭାବେ ପ୍ରସ୍ତୁତ ନୁହେଁ। ଏହା ଅପେକ୍ଷା ଯାତ୍ରୀମାନେ କମ୍‌ ଖର୍ଚ୍ଚରେ ନିଜ ବାଇକ୍‌ରେ ପେଟ୍ରୋଲ୍‌ ପକାଇ ଯାଇପାରି‌ବେ। ଏକକୁଟିଆ ଗଲେ ସଂକ୍ରମଣର ଭୟ ମଧ୍ୟ ରହିବ ନାହିଁ। ସଂପ୍ରତି ଦେଖିବାକୁ ମିଳୁଛି, ଯେଉଁ ସରକାରୀ ବସ୍‌ ଚାଲୁଛି ସେଗୁଡ଼ିକରେ ୧୦ଜଣ ବି ଲୋକ ଯାତ୍ରା କରୁନାହାନ୍ତି। ଏମିତିକି ଗୋଟେ ବସ୍‌ରେ ଜଣେ ଲୋକ ଯାତ୍ରା କରୁଥିବା ଦେଖିବାକୁ ପାଇଛୁ। ତେଣୁ ଏଥିରେ ୫୦ ପ୍ରତିଶତ ଯାତ୍ରୀଙ୍କଠାରୁ ଦ୍ବିଗୁଣ ଭଡ଼ା ନେଇ ବସ୍‌ ଚଳାଇବା କେବେ ବି ସମ୍ଭବ ନୁହେଁ।

ଶ୍ରୀ ନାୟକ କହିଛନ୍ତି, ସଂପ୍ରତି ରାଜ୍ୟରେ ରୁଟ୍‌ ଅନୁମତି ପାଇ ଚଳାଚଳ କରୁଥିବା ବସ୍‌ ସଂଖ୍ୟା ୧୪ ହଜାର। ଏହାସହ ସିଧାସଳଖ ୫୬ହଜାର କର୍ମଚାରୀ ଜଡ଼ିତ। ଏହା ବ୍ୟତୀତ ଟିକେଟ୍‌ ବୁକିଂ କାଉଣ୍ଟର୍‌, ଗ୍ୟାରେଜ୍‌, ବସ୍‌ ସର୍ଭିସ ସେଣ୍ଟର, ବସ୍‌ ପାର୍ଟସ ଦୋକାନୀ ଓ ଅନ୍ୟ କର୍ମଚାରୀଙ୍କୁ ମିଶାଇ ହିସାବକୁ ନେଲେ ପାଖାପାଖି ୨ଲକ୍ଷରୁ ଅଧିକ ଲୋକ ଏଥିରୁ ନିଜ ପରିବାରର ଗୁଜରାଣ ମେଣ୍ଟାନ୍ତି। ସମସ୍ତେ ଏବେ ହାତ ବାନ୍ଧି ବସିଛନ୍ତି। ଏଥିରେ ନା ସରକାର ନା ‌ବ୍ୟବସ୍ଥା, କାହାକୁ ବି ଦୋଷ ଦେଇ ହେବ ନାହିଁ। ଯେପର୍ଯ୍ୟନ୍ତ ସ୍ଥିତି ସ୍ବାଭାବିକ ନହୋଇଛି, ସେପର୍ଯ୍ୟନ୍ତ ବସ୍‌ ଚଳାଇବାକୁ ଉଚିତ ମଣୁନାହୁଁ ବୋଲି ସେ କହିଛନ୍ତି।

ଏନେଇ ରାଜଧାନୀ ବସ୍‌ ମାଲିକ ସଂଘର ସାଧାରଣ ସଂପାଦକ ତୁଷାରକାନ୍ତ ଆଚାର୍ଯ୍ୟ କହିଛନ୍ତି, ୫୦ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଯାତ୍ରା କଲେ, ତା’ର ଡିଜେଲ୍‌ ଓ କର୍ମଚାରୀଙ୍କ ଖର୍ଚ୍ଚ ମଧ୍ୟ ଉଠିବ ନାହିଁ। ଭଡ଼ା ବଢ଼ାଇଲେ ଲୋକେ କେବେ ବି ବସ୍‌ରେ ଯାତ୍ରା କରିବେ ନାହିଁ। ସେ ଏକଥା ମଧ୍ୟ କହିଛନ୍ତି, ‌ଏବେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ସରକାରଙ୍କୁ ୧ହଜାର ବସ୍‌ ଯୋଗାଇ ଦିଆଯାଇଛି। ମାତ୍ର ସେଥିରେ ଯେଉଁ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି, ସେମାନଙ୍କୁ ବୁଝାଇବା ପାଇଁ କମ କସରତ କରିବାକୁ ପଡ଼ି ନାହିଁ। କର୍ମଚାରୀଙ୍କ ପରିବାର କୌଣସି ମତେ ଚାହୁଁନାହାନ୍ତି ଯେ ସେମାନଙ୍କ ପରିବାର ସଦସ୍ୟ ଏଭଳି ସ୍ଥିତିରେ ବସ୍‌ରେ ଯାତ୍ରା କରନ୍ତୁ। କର୍ମଚାରୀମାନେ ବୀମା ଓ ପିପିଇ ଦାବି କରୁଛନ୍ତି। ଏସବୁ ବିନା ସେମାନେ କାମ ପାଇଁ ଆସିବାକୁ ଚାହୁଁନାହାନ୍ତି। ଆମେ ମଧ୍ୟ ଏନେଇ ସରକାରଙ୍କୁ ଜଣାଇଛୁ। ସେ ଏକଥା ମଧ୍ୟ କହିଛନ୍ତି, ଯଦିଓ ଭବିଷ୍ୟତ‌ରେ ଗାଡ଼ି ଚଳାଚଳ ହୁଏ, ତେବେ ଯେଉଁ ଯାତ୍ରୀମାନେ ବସ୍‌ରେ ଯାତ୍ରା କରିବେ, ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଗାଡ଼ି ଭିତରକୁ ଛାଡ଼ିବା ଦାୟିତ୍ବ ସରକାର ନେବା ଦରକାର। ନଚେତ୍‌ ରିସ୍କ ନେଇ ‌କର୍ମଚାରୀମାନେ ନିଜ ଜୀବନକୁ ବିପନ୍ନ କରି କେବେ ବି କାମ କରିବା ପାଇଁ ପ୍ରସ୍ତୁତ ହେବେ ନାହିଁ। ତେଣୁ ଯେପର୍ଯ୍ୟନ୍ତ ସ୍ଥିତି ନ ସୁଧୁରିଛି, ସେପର୍ଯ୍ୟନ୍ତ ବସ୍‌ ଚଳାଚଳ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର