ଭୁବନେଶ୍ବର : ଲକ୍ଡାଉନ୍ କୋହଳ ହେଲେ ବସ୍ ମାଲିକ ସଂଘର ଦାବି ପ୍ରତି ଦୃଷ୍ଟିଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସୋମବାରଠାରୁ ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ ହୋଇଛି। ପ୍ରଥମ ଦିନରେ ୩୦ ଜିଲ୍ଲାର ୭୦ଟି ବସ୍ଷ୍ଟାଣ୍ଡରୁ ପ୍ରାୟ ୧୪ଶହ ବସ୍ ଗଡ଼ିଥିବା ସୂଚନା ଦେଇଛି ଘରୋଇ ବସ ମାଲିକ ସଂଘ। ତେବେ କୌଣସି ବସ୍ରେ କ୍ଷମତା ଅନୁସାରେ ଯାତ୍ରୀ ଚଢ଼ି ନାହାନ୍ତି। ବସ୍ଗୁଡ଼ିକରେ ପ୍ରାୟ ୧୫ରୁ ୨୦ ଜଣ ଲେଖାଏଁ ଯାତ୍ରୀ ଯାଇଛନ୍ତି। ଅନ୍ୟପକ୍ଷରେ ଡିଜେଲ ଦର ବୃଦ୍ଧି ଯୋଗୁଁ ବସ୍ ମାଲିକଙ୍କ ଖର୍ଚ୍ଚ ଦୁଇ ଗୁଣା ବୃଦ୍ଧି ପାଇଥିବାରୁ ଏହା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି।
ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୪ ହଜାର ବସ୍ ଚଳାଚଳ କରିଥାଏ। କରୋନା ସଂକ୍ରମଣ ହ୍ରାସ ହେବା ସହିତ ସରକାରଙ୍କ ପକ୍ଷରୁ ପ୍ରଥମେ ୨୦ଟି ଜିଲ୍ଲା ଏବଂ ପରବର୍ତ୍ତୀ ସମୟରେ ସମଗ୍ର ରାଜ୍ୟରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ତେବେ ବସ୍ ମାଲିକମାନେ ଜୁଲାଇରୁ ସେପ୍ଟେମ୍ବର ତିନି ମାସ ପର୍ଯ୍ୟନ୍ତ ଟିକସ ଛାଡ଼, ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ, ଗାଡ଼ି କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ସେମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା ଆଦି ବିଭିନ୍ନ ଦାବି କରିଥିଲେ। ରାଜ୍ୟ ସରକାର ସେମାନଙ୍କ ସବୁ ଦାବି ପୂରଣ କରିବା ପାଇଁ ବିଚାର କରିବେ ବୋଲି କହିଥିଲେ। ସରକାରଙ୍କ ପରାମର୍ଶ ମାନି ବିଭିନ୍ନ ସ୍ଥାନରେ ବସ୍ ମାଲିକମାନେ କର୍ମଚାରୀମାନଙ୍କୁ ସର୍ଜିକାଲ ମାସ୍କ ପ୍ରଦାନ କରିଥିବା କହିଛନ୍ତି। ଯେଉଁଠି ଯାତ୍ରୀ ନିଜେ ମାସ୍କ ପିନ୍ଧି ଆସି ନାହାନ୍ତି ତାଙ୍କୁ ଏହା ପ୍ରଦାନ କରିବା ପାଇଁ ମଧ୍ୟ କୁହାଯାଇଛି।
ମାଲିକ ସଂଘ ଆବାହକ ଦେବାଶିଷ ନାୟକ କହିଛନ୍ତି, ପ୍ରତିଦିନ ଗୋଟିଏ ବସ୍ ଚଳାଚଳ ପାଇଁ ପ୍ରାୟ ୧୨ ହଜାର ୮୦୦ ଟଙ୍କା ଖର୍ଚ ହୋଇଥାଏ। ଲକ୍ଡାଉନ୍ କ୍ଷତି ସହିତ ଡିଜେଲ ଦରବୃଦ୍ଧି ସେମାନଙ୍କ ଖର୍ଚ ବଢାଇ ଦେଇଛି। ତେଣୁ ଖର୍ଚ୍ଚ ଭରଣା ସହ ଗାଡ଼ି ଚାଲିବା ପାଇଁ ଅନ୍ୟୂନ ୪୦ ଯାତ୍ରୀଙ୍କ ଆବଶ୍ୟକତା ରହିଛି। ବର୍ତ୍ତମାନ ସେହିଭଳି ଯାତ୍ରୀ ହେଉ ନାହାନ୍ତି। ତେବେ ୧୫ ଦିନ ମଧ୍ୟରେ ଆବଶ୍ୟକ ଯାତ୍ରୀ ହୋଇଯିବେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି।