ବ୍ରଜରାଜନଗର : ସ୍ଥାୟୀ ବସଷ୍ଟାଣ୍ଡ୍‌ ନଥିବାରୁ ଯାତ୍ରୀ ହଟହଟା

ବ୍ରଜରାଜନଗର : ଏକଦା କାଗଜ ଶିଳ୍ପ ଓ ଏବେ କୋଇଲା ପାଇଁ ପରିଚୟ ସୃଷ୍ଟି କରିଥିବା ବ୍ରଜରାଜନଗରରେ ବାସ କରୁଥିବା କିମ୍ବା ଏଠାକୁ ଆସୁଥିବା ସାଧାରଣ ଜନତାଙ୍କ ପାଇଁ ସ୍ଥାୟୀ ବସ୍‌ଷ୍ଟାଣ୍ଡ୍‌ଟିଏ ନାହିଁ। ଫଳରେ ବିଭିନ୍ନ ସ୍ଥାନରୁ ଆସୁଥିବା ଓ ଯାଉଥିବା ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ସେହିପରି ବସ୍‌ଷ୍ଟାଣ୍ଡ ନଥିବାରୁ ବସ୍‌ କର୍ମଚାରୀମାନେ ଏଣେତେଣେ ବସ୍‌ ରଖି ଯାତ୍ରୀ ଉଠାଯାଉଥିବାରୁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ସୃଷ୍ଟି କରୁଛି।

ବ୍ରଜରାଜନଗରକୁ ପ୍ରଥମେ ଆଜାଦ ଛକ ନିକଟରୁ ବସ୍‌ ଆସୁଥିଲା। ମ୍ୟୁନିସ୍‌ପାଲିଟି ପକ୍ଷରୁ ନିର୍ମିତ କୋଠାରେ ଟିକେଟ୍‌ କାଉଣ୍ଟର ଖୋଲାଯାଇଥିଲା। ନୀଳକମଳ, ଜୟ ଓଡ଼ିଶା ନାମରେ ଦୁଇଟି ବସ ସମ୍ବଲପୁରରୁ ବ୍ରଜରାଜନଗର ଚାଲିବା ସହ ଭୁବନେଶ୍ୱରରୁ ବେଲପାହାଡ଼ ଚାଲୁଥିବା ବସ୍‌ ଭୟା ବ୍ରଜରାଜନଗର ହୋଇ ଯାତାୟାତ କରୁଥିଲା। ପରବର୍ତୀ ସମୟରେ ବ୍ରଜରାଜନଗରକୁ ଏକାଧିକ ବେସରକାରୀ ବସ୍‌ ଚାଲିବ ଯୋଗୁଁ  ସୁରକ୍ଷା ତଥା ସ୍ଥାନାଭାବ ଦେଖାଦେଇଥିଲା। ଫଳରେ ଥାନା ସମ୍ମୁଖରେ ଥିବା ପଡ଼ିଆକୁ ବସଷ୍ଟାଣ୍ଡ୍‌ ରୂପେ ବ୍ୟବହାର କରାଗଲା। ସୁପରମାର୍କେଟ ନିର୍ମାଣ ସେହି ସ୍ଥାନରେ ହେବାରୁ  ବସ୍‌ଗୁଡ଼ିକ ଥାନା ପଛପଟ ହନୁମାନ ମନ୍ଦିର ନିକଟକୁ ଉଠି ଆସିଥିଲା। ଏହି ବସ୍‌ଷ୍ଟାଣ୍ଡ୍‌ଟିରେ ଏକାଧିକ ବସ୍‌ ପାଇଁ ସ୍ଥାନ ଥିଲେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ସେଭଳି ସୁବିଧା ନଥିଲା। ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମିତ ହୋଇଥିଲେ ମଧ୍ୟ ତାହା ବିଭିନ୍ନ କାରଣରୁ ବ୍ୟବହାରରେ ଆସୁ ନଥିଲା। ମଧୁସୂଦନ ଛକ ନିକଟରେ ଥିବା ରେଳ ଓଭରବ୍ରିଜ୍‌ରେ ଭାରୀଯାନ ଚଳାଚଳ ବନ୍ଦ ହେବାରୁ ଏବେ ପ୍ରାୟ ୫ ବର୍ଷ ହେବ ବିଜୁ  ପଟ୍ଟନାୟକ ଛକରେ ବସ୍‌ଗୁଡ଼ିକ ଛିଡ଼ା ହେଉଛି। ଦୈନିକ ଏଠାରୁ ୧୮ରୁ ୨୦ଟି  ବସ୍‌ ଝାରସୁଗୁଡ଼ା ଓ ସମ୍ବଲପୁର ଚଳାଚଳ କରୁଥିବା ବେଳେ ବ୍ରଜରାଜନଗରରୁ ଭୁବନେଶ୍ୱର ୨ଟି ଓ ଆସ୍କା ବ୍ରହ୍ମପୁର ସରକାରୀ ବସ୍‌ ଗୋଟିଏ ଚଳାଚଳ କରିଥାଏ। ଏଠାରେ ବସ୍‌ଷ୍ଟାଣ୍ଡ ନଥିବାରୁ ଅନେକ ଦୂରଗାମୀ ବାସ ବ୍ରଜରାଜନଗରକୁ ଆସିବାକୁ ଚାହୁଁଥିଲେ ମଧ୍ୟ  ବ୍ରଜରାଜନଗର ଭିତରକୁ  ଆସି ନଥାନ୍ତି। ଲୋକମାନେ ବାଧ୍ୟହୋଇ ଗାନ୍ଧୀ ଛକରୁ ବସ୍‌ ଧରିଥାନ୍ତି। ଏବେ ବସ୍‌ଗୁଡ଼ିକ ବିଜୁପଟ୍ଟନାୟକ ଛକରେ ଛିଡ଼ା ହେବା ଦ୍ୱାର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଯାତ୍ରୀମାନେ ଖରା ଓ ବର୍ଷାରେ ବସ ଧରିବାକୁ ଅପେକ୍ଷା କରୁଛନ୍ତି। ବସଷ୍ଟାଣ୍ଡ୍‌ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ମଙ୍ଗଳ ମନ୍ଦିର ନିକଟରେ ଜବରଦଖଲ ଉଚ୍ଛେଦ କରାଯାଇ ସେଠାରେ ବସ୍‌ଷ୍ଟାଣ୍ଡ ପାଇଁ  ସ୍ଥାନ ସଂରକ୍ଷଣ କରାଯାଇଛି। ୭ ବର୍ଷରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଅଦ୍ୟାବଧି ସେଠାରେ ବସଷ୍ଟାଣ୍ଡ ନିର୍ମାଣ ନେଇ ସେଭଳି କିଛି ସୂଚନା ମିଳି ନାହିଁ। ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ବସ୍‌ଷ୍ଟାଣ୍ଡ୍‌ ନିର୍ମାଣ କରିବା ସଂପର୍କରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର