ଓଡ଼ିଶାରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେଲା

ଭୁବନେଶ୍ବର : ଆଜି ଦିନ ୧୧ଟାରୁ ରାଜ୍ୟରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କରୋନା ସତର୍କତା ଲାଗି ଏଭଳି କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବସ୍ ଚଳାଚଳ ଆାରମ୍ଭ ହୋଇଛି।

ସୂଚନାଯୋଗ୍ୟ, କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଗତ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ସଂପ୍ରତି ଓଡ଼ିଶାରେ ପ୍ରାୟ ୧୪ ହଜାର ବସ୍ ଚଳାଚଳ କରୁଛି।

ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ହେଲା ବସ୍‌ ମାଲିକମାନେ ଭୀଷଣ କ୍ଷତି ସହୁଛନ୍ତି।ଏହାକୁ ନଜରରେ ରଖି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ୩ ଦଫା ଦାବି ରଖାଯାଇଛି। ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସଂଘର ଦାବିଗୁଡ଼ିକ ହେଲା ବସ୍‌ଗୁଡ଼ିକ ପାଇଁ ବସ୍‌ ମାଲିକମାନେ ପ୍ରଦାନ କରୁଥିବା ମାସିକ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସକୁ ଆସନ୍ତା ୬ ମାସ ପାଇଁ ଛାଡ଼ କରାଯାଉ। ବୀମା କମ୍ପାନିଗୁଡ଼ିକ ବସ୍‌ଗୁଡ଼ିକର ବୀମା ଅବଧି ଆସନ୍ତା ୬ ମାସ ପାଇଁ ବୃଦ୍ଧି କରିବାର ବ୍ୟବସ୍ଥା କରନ୍ତୁ। ବସ୍‌ ପାଇଁ ଋଣ ପ୍ରଦାନ କରିଥିବା ଅର୍ଥ ଲଗାଣକାରୀ ସଂସ୍ଥାଗୁଡ଼ିକୁ ଋଣ ଉପରେ ସୁଧକୁ ଆସନ୍ତା ୬ ମାସ ପାଇଁ ଛାଡ଼ କରନ୍ତୁ ଓ ମୂଳ ଋଣକୁ ଦେବା ପାଇଁ ୩ ମାସ ସମୟ ଦିଅନ୍ତୁ।
ଏହି ଦାବିଗୁଡ଼ିକ ପୂରଣ କରିବା ନିମନ୍ତେ ଏକ ମିଳିତ ବୈଠକ ପରିବହନ ବିଭାଗ, ଆଇଆର୍‌ଡିଏ, ଆର୍‌ବିଆଇ, ଅର୍ଥ ବିଭାଗର ପ୍ରମୁଖ ଅଧିକାରୀ ଓ ସଂଘର ପ୍ରତିନିଧିମାନଙ୍କୁ ନେଇ ଶୀଘ୍ର ଆଲୋଚନା କରିବା ନିମନ୍ତେ ସ୍ମାରକପତ୍ରରେ ଅନୁରୋଧ କରାଯାଇଛି। ସଂଘର ସଭାପତି ଲୋକନାଥ ପାଅଣିଙ୍କ ନେତୃତ୍ବରେ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଓ ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ

ସମ୍ବନ୍ଧିତ ଖବର