୧୨ ଏକର ଜମିରେ ହେବ ବସ୍ ଟର୍ମିନାଲ; ବ୍ୟୟ ହେବ ୬୫ କୋଟି

୧୮୦ ବସ୍, ୨୭୫ କାର୍ ଏକାବେଳେ ପାର୍କିଂ ପାଇଁ ହେବ ବ୍ୟବସ୍ଥା
ପ୍ରେସ ଛକ-ଖାନନଗର ରାସ୍ତା ହେବ ୬ ଲେନ୍

କଟକ : ଖାନନଗର ଠାରେ ନେତାଜୀ ବସ୍ ଟର୍ମିନାଲ ପାଇଁ ୧୫ ଏକର ୬୪ ଡିସିମିଲ ଜମି ଚିହ୍ନଟ ହୋଇଛି। ସେଥିରୁ ୧୨ ଏକର ଜମି ଏହି ବସ ଟର୍ମିନାଲ ପାଇଁ ବ୍ୟବହାର ହେବ। ୬୫ କୋଟି ଟଙ୍କା ବ୍ୟୟ ହେବ। ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ଏହାର ନିର୍ମାଣ ଦାୟିତ୍ବ ନେବ। ନଗର ଉନ୍ନୟନ ବିଭାଗ ତତ୍ତ୍ବାବଧାନରେ ସିଡିଏ ଏହାର ପରିଚାଳନା କରିବ। ଏଠାରେ ଏକାବେଳେ ୧୮୦ଟି ବସ ଓ ୨୭୫ କାର ରହି ପାରିବାର ବ୍ୟବସ୍ଥା କରାଯିବ।

ମୋ ବସ୍ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ଅନ୍ୟ ଗାଡ଼ି ନେଇ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପାର୍କିଂ ସ୍ଥାନ, ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ସ୍ଥାନ, ଯାତ୍ରୀଙ୍କୁ ନେବା, ଆଣିବା ପାଇଁ ସ୍ବତନ୍ତ୍ର ସ୍ଥାନ ରହିବ। ୧ ଲକ୍ଷ ୧୮ ହଜାର ବର୍ଗଫୁଟ ଜମିରେ ତିନି ତାଲା ବସ୍ ଟର୍ମିନାଲ କୋଠା ନିର୍ମାଣ ହେବ। ଟିକେଟ୍ କାଉଣ୍ଟର, ସୂଚନା କେନ୍ଦ୍ର, ଭେଣ୍ଡିଂ ଜୋନ, ଯାତ୍ରୀ ପ୍ରତୀକ୍ଷାଳୟ, ଫୁଡ୍ କୋର୍ଟ, ଡ୍ରାଇଭର ଓ ବସ୍ କର୍ମଚାରୀଙ୍କ ପାଇଁ ବିଶ୍ରାମ ସ୍ଥାନ, ଲଗେଜ୍ ରଖିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଏହି କୋଠାରେ ରହିବ। ନେତାଜୀଙ୍କ ସଂପର୍କିତ ସୂଚନା, ରାଜ୍ୟର ହସ୍ତକଳାର ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ଇ-ଭେହିକିଲ୍ ଚାର୍ଜିଂ ପଏଣ୍ଟ୍, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା, ସୋଲାର ସିଷ୍ଟମ ପ୍ରସ୍ତୁତ କରାଯିବ।

ବସ୍ ଟର୍ମିନାଲକୁ ବାଦାମବାଡିରୁ ଓ ରିଂ ବନ୍ଧ ପଟୁ ଅଟୋ ରିକ୍ସା, କାର ଓ ଦୁଇ ଚକିଆ ଗାଡି ଯିବା ଆସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ପିପିପି ଯୋଜନାରେ ବ୍ୟବସାୟିକ ମାର୍କେଟ କଂପ୍ଲେକ୍ସ ପ୍ରସ୍ତୁତ କରିବା ପାଇଁ ୨ ଏକର ଜମି ବର୍ତ୍ତମାନ ପାଇଁ ସଂରକ୍ଷିତ ରହିବ। ପ୍ରେସ୍ ଛକରୁ ବସ୍ ଟର୍ମିନାଲ ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ।

ସମ୍ବନ୍ଧିତ ଖବର