ରାଉରକେଲା : ରାଉରକେଲାରେ କଚ୍ଛପ ଗତିରେ ଚାଲିଛି ସ୍ମାର୍ଟସିଟି ପ୍ରକଳ୍ପ। ଘୋଷଣାକୁ ଇତି ମଧ୍ୟରେ ୫ ବର୍ଷ ପୂରିଛି, କିନ୍ତୁ ସ୍ମାର୍ଟନେସ୍ ବାରିପାରିଲେନି ସହରବାସୀ। ଏବେ ସ୍ମାର୍ଟସିଟି ପ୍ରକଳ୍ପରୁ ଅତ୍ୟାଧୁନିକ ବସ୍ ଟର୍ମିନାଲ ବାଦ୍ ପଡିବାକୁ ଯାଉଛି। ନିକଟରେ ସ୍ମାର୍ଟସିଟି ଲିମିଟେଡ ବୋର୍ଡର ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। କାରଣ ପୂର୍ବରୁ ପୁରୀର ମାଳତୀପାଟପୁର, କେନ୍ଦୁଝର ଓ ସମ୍ବଲପୁର ସହରର ବାହାରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ କରାଯାଇଛି। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ଟର୍ମିନାଲ ସହର ବାହାରେ ଥିବାରୁ ବସ୍ଗୁଡ଼ିକ ନ ଯିବାରୁ ପ୍ରକଳ୍ପଗୁଡ଼ିକ ଫେଲ୍ ମାରିଛି। ରାଜ୍ୟର ତିନିଟି ବସ୍ ଟର୍ମିନାଲକୁ ବୋର୍ଡ ବୈଠକରେ ଉଦାହରଣ ଦିଆଯାଇ ରାଉରକେଲା ସହର ଭିତରେ କରିବାକୁ ନିର୍ମାଣ କରିବାକୁ ପ୍ରସ୍ତାବ ରଖାଯାଇଥିଲା। ବସ୍ ଟର୍ମିନାଲ ନିର୍ମାଣ ପାଇଁ ସହର ଭିତରେ ପ୍ରାୟ ୧୫ ଏକର ଜାଗାର ଆବଶ୍ୟକତା ରହିଛି।
ଏଥିସକାଶେ ଛେଣ୍ଡ ଛକରୁ ସେକ୍ଟର-୯ ରିଂ ରୋଡ ପାର୍ଶ୍ବରେ ଆର୍ଏସ୍ପିର ପ୍ରାୟ ୧୫ ଏକର ଜାଗା ଚିହ୍ନଟ ହୋଇଥିଲା। ଆର୍ଏସ୍ପି ଜାଗା ଦେବାକୁ ରାଜି ନ ହେବାରୁ ସହରରେ ହେବାକୁ ଥିବା ଅତ୍ୟାଧୁନିକ ବସ୍ ଟର୍ମିନାଲ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ସ୍ମାର୍ଟସିଟି ସିଇଓ ତଥା ଆର୍ଏମ୍ସି କମିଶନର ଦିବ୍ୟଜ୍ୟୋତି ପରିଡା କହିଛନ୍ତି ବୋର୍ଡ ବୈଠକରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ ପ୍ରସ୍ତାବ ରଖାଯାଇଥିଲା। ପ୍ରକଳ୍ପର ପ୍ରାଥମିକ ଅଟକଳ ରହିଥିଲା ପ୍ରାୟ ୨୦ କୋଟି ଟଙ୍କା। କିନ୍ତୁ ଉଚ୍ଚ ଅଧିକାରୀ ଏବେ ବସ୍ ଟର୍ମିନାଲର ଆବଶ୍ୟକତା ନାହିଁ ବୋଲି କହିବାରୁ ଏ ସଂକ୍ରାନ୍ତରେ ଆଲୋଚନା ଆଗକୁ ବଢ଼ି ନଥିଲା। ପରବର୍ତ୍ତୀ ବୈଠକରେ ବସ୍ ଟର୍ମିନାଲ ସମ୍ପର୍କରେ ଆଲୋଚନା କରାଯିବ।
Facebookରାଉରକେଲା ସହରରେ ବସ୍ ଟର୍ମିନାଲ ନଥିବାରୁ ପୂର୍ବରୁ ଆର୍ଡିଏ ପକ୍ଷରୁ ନିର୍ମାଣ ନୂଆ ବସ୍ଷ୍ଟାଣ୍ଡରେ ଏକ୍ସପ୍ରେସ୍ ବସ୍ଗୁଡ଼ିକ ପାର୍କିଂ କରିବାକୁ ଜାଗା ମିଳୁନି। ଅଧିକାଂଶ ଏକ୍ସପ୍ରେସ୍ ସେକ୍ଟର-୨ ପଡିଆ, ରିଂ ରୋଡ ରାସ୍ତା ପାର୍ଶ୍ବରେ ଛିଡା ହେଉଛି। ସେମିତି ଝାଡ଼ଖଣ୍ଡ ଓ ବିହାର ସମେତ ଅନ୍ୟାନ୍ୟ ରାଜ୍ୟକୁ ଯାତାୟତ କରୁଥିବା ବସ୍ଗୁଡ଼ିକ ମଧ୍ୟ ରାସ୍ତାରେ ଛିଡା ହେଉଛି। ସେପଟେ ସ୍ମାର୍ଟସିଟି ପ୍ରକଳ୍ପରୁ ବସ୍ ଟର୍ମିନାଲ ବାଦ୍ ପଡିବା ଖବର ପ୍ରସାରିତା ହେବା ପରେ ବସ୍ ମାଲିକ ବିଶେଷ କରି ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଉଲ୍ଲେଖଯୋଗ୍ୟ, ପାଣ୍ଠି ଖର୍ଚ୍ଚ ହୋଇପାରୁ ନଥିବାରୁ ୨୦୧୮-୧୯, ୨୦୧୯-୨୦୨୦ରେ ସ୍ମାର୍ଟ ସିଟି ପାଣ୍ଠିକୁ ଟଙ୍କାଟିଏ ଆସି ନାହିଁ। ପୂର୍ବରୁ ୩ ବର୍ଷରେ ଯାହା ବି ଅର୍ଥ ମଞ୍ଜୁରି ହୋଇଥିଲା ସେଥିରୁ ୫୦% ଖର୍ଚ୍ଚ ହୋଇଛି। ଅବଶିଷ୍ଟ ୫୦% ଅର୍ଥ ଖର୍ଚ୍ଚ ନ ହୋଇ ପଡିଛି। ମାଳ ମାଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଛି। କେଉଁ ପ୍ରକଳ୍ପର କାମ ଚାଲିଛି ତ ଅନ୍ୟ କେଉଁ ପ୍ରକଳ୍ପ ଆଦୌ ଆରମ୍ଭ ହୋଇ ନାହିଁ। ଏଥି ମଧ୍ୟରେ ଅଛି ୪୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ପାନପୋଷ ଏନ୍ଏସି ମାର୍କେଟ। ମାର୍କେଟ ଭଙ୍ଗା ହେବାକୁ ବର୍ଷେ ବିତିଲାଣି। ଅଦ୍ୟାବଧି ମାତ୍ର ୧୦ % କାମ ମଧ୍ୟ ଆରମ୍ଭ ହୋଇ ନାହିଁ। ସେପଟେ ଗତ ୨୦୧୫-୧୬ରେ ୨ କୋଟି, ୨୦୧୬-୧୭ରେ ୧୫୦ କୋଟି, ୨୦୧୭-୧୮ରେ ୨୨୪ କୋଟି ଏମିତି ତିନି ବର୍ଷରେ ମୋଟ ୩୭୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ୧୮୮ କୋଟି ଟଙ୍କା ରାଜ୍ୟ ଓ ଅବଶିଷ୍ଟ ୧୮୮ କୋଟି କେନ୍ଦ୍ର ସରକାରଙ୍କର। ଖର୍ଚ୍ଚ ନ ହୋଇ ୧୩୬ କୋଟି ୩ ଲକ୍ଷ ଟଙ୍କା ତିନିଟି ବ୍ୟାଙ୍କରେ ଜମା ରଖାଯାଇଛି। ଯାହାର ସୁଧ ହେଲାଣି ୯୨ କୋଟି ୨୧ ଲକ୍ଷ ଟଙ୍କା। ଏହିପରି ମୋଟ୍ ୨୨୮ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବ୍ୟାଙ୍କରେ ପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/a7ba66e2-1539-4495-843e-bb59dc7f50f1.jpg)