ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ମାରିଦେଲା ଶକ୍ତି ବିଭାଗ!

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ୧୧ କେଭି ବିଦ୍ୟୁତ ତାର ବସ ସଂସ୍ପର୍ଶରେ ଆସି ୧୦ ଜଣଙ୍କ ପ୍ରାଣହାନି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଓ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସରକାର ଆହତମାନଙ୍କର ମାଗଣା ଚିକିତ୍ସା କରିବେ ବୋଲି ମଧ୍ୟ କହିଛନ୍ତି।

ଅନ୍ୟପଟରେ ଏହି ଛାତିଥରା ଦୁର୍ଘଟଣା କେମିତି ଓ କେଉଁ ପରିସ୍ଥିତିରେ ହେଲା ତାର ତଦନ୍ତ ନିର୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଏଭଳି ଘଟଣା ପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ରାଜ୍ୟ ଶକ୍ତି ବିଭାଗ ମଧ୍ୟ ଏହି ଘଟଣା ନେଇ ତନାଘନା ଆରମ୍ଭ କରିଛି। ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ ୟୁ ଏସ୍ ଏସ୍ ପାତ୍ର ଓ ସାଉଥ୍‌କୋ ସିଇଓଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। କେଉଁ ପରିସ୍ଥିତିରେ ଏତେ ତଳେ ତାର ଯାଇଥିଲା, ଆଉ କେଉଁଠି କେଉଁଠି ଏଭଳି ପରିସ୍ଥିତି ରହିଛି, ଏଥିପାଇଁ କାହାକୁ ଦାୟୀ କରାଯିବ, ସେ ସଂକ୍ରାନ୍ତରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏହି ରିପୋର୍ଟ ମିଳିବା ପରେ େଲାକସେବା ଭବନରେ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୨୪୦୦ କୋଟିର ଯୋଜନା ହଜିଗଲା
୯୦୦ କୋଟିରେ ଅଟକିଗଲା କାପେକ୍ସ
ମୁଖ୍ୟମନ୍ତ୍ରୀଙ୍କ ଶୋକ, ୨ ଲକ୍ଷ ସହାୟତା
ଶକ୍ତି ଓ ପରିବହନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ

୨୦୦୯ରୁ ସତର୍କ କଲାଣି ଓଇଆର୍‌ସି

ଏହି ଅଘଟଣକୁ ନେଇ ଯିଏ ଯେତେ ତଦନ୍ତ ନିର୍ଦେଶ ଦିଅନ୍ତୁ ବା ଦୋଷ ଝାଡନ୍ତୁନା କାହିଁକି, ଶକ୍ତି ବିଭାଗର ଅପାରଗତା ଓ ଦାୟିତ୍ବହୀନତା ଜଳ ଜଳ ହୋଇ ଦିଶୁଛି। ଗତ ୧୧ ବର୍ଷ ଧରି ରାଜ୍ୟ ସରକାର ଯେଉଁ ପ୍ରସଙ୍ଗକୁ ଘୋଡ଼ାଇଛନ୍ତି, ଆଜି ତାହା ୯ ଜଣଙ୍କର ମୁଣ୍ଡ ନେଇଗଲା। ୨୦୦୯ ମସିହାରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ତତ୍କାଳୀନ ମୁଖ୍ୟଶାସନ ସଚିବଙ୍କୁ ଏକ ଚିଠି ଲେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସିଧା ସିଧା କହିଥିଲେ ଯେ ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ଯେଉଁ ମୂଳ ଭିତ୍ତିଭୂମି ଅର୍ଥାତ୍ ତାର, ଖୁଣ୍ଟ ଲଗାଯାଇଛି, ତାହା ଅନେକ ସ୍ଥାନରେ ପଚାଶ ବର୍ଷ ପାଖାପାଖି ଛୁଇଁଲାଣି। ଏସବୁ ବିପଜ୍ଜନକ ସ୍ଥିତିରେ ରହିଛି। ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନ କଲେ ଯେ କୌଣସି ମୁହୂର୍ତରେ ଅଘଟଣ ଘଟିପାରେ। ଓଇଆର୍‌ସିର ଏହି ଚିଠିକୁ ନେଇ ସେ ସମୟରେ ତମ୍ବିତୋଫାନ େହାଇଥିଲା। ପବନରେ ତାର ଛିଣ୍ଡିଯାଉଥିବା ଅଭିଯୋଗ ଆସିଥିଲା। ରାଜ୍ୟ ସରକାର ଘଟଣାର ବାସ୍ତବତା ଉପଲବ୍ଧି କରି କାପେକ୍ସ ଯୋଜନା ଆରମ୍ଭ କରିଥିଲେ। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୨୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ଥିର ହୋଇଥିଲା। ଯେଉଁଥିରେ ସରକାର ସ୍ପଷ୍ଟ ଭାବେ କହିଥିଲେ ଯେ ବିଦ୍ୟୁତ ବଣ୍ଟନ କଂପାନିମାନେ ଅର୍ଥାତ୍ ସେସୁ, ୱେସ୍କୋ, ନେସ୍କୋ ଏବଂ ସାଉଥ୍‌କୋ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ବାକି ୧୨୦୦ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ। ଏତେ ବଡ଼ ଘୋଷଣାର ଦୁଃଖଦ ଅନ୍ତ ଘଟିଲା। କାପେକ୍ସ ଯୋଜନାରେ ୨୪୦୦ କୋଟି ଦୂରର କଥା ଅଧା ଟଙ୍କା ବି ଖର୍ଚ୍ଚ ହେଲାନି। ମାତ୍ର ୯୦୦ କୋଟିରେ ଅଟକିଗଲା ଏହି ଯୋଜନା। ରାଜ୍ୟ ସରକାର ଏହି ସମ୍ବେଦନଶୀଳ ପ୍ରତି ଆଦୌ ଗୁରୁତ୍ବ ନ ଦେବା କାରଣରୁ ଏବେ ସ୍ଥିତି ଏମିତି ଗମ୍ଭୀର େହାଇଥିବା କୁହାଯାଉଛି।

ଆହୁରି ସାଂଘାତିକ କଥା ହେଲା, ରାଜ୍ୟ ସରକାରଙ୍କ ଅଧୀନରେ ଇେଲକ୍ଟ୍ରିକାଲ୍ ଇନ୍ସପେକ୍ଟର ଅଛନ୍ତି। ଏମାନେ ନିୟମିତ ବ୍ୟବଧାନରେ ସ୍ଥିତି ଯାଞ୍ଚ କରି କେଉଁଠି କିଭଳି ସ୍ଥିତି ଅଛି, ସେ ସଂକ୍ରାନ୍ତ ରିପୋର୍ଟ ଦେବା କଥା। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ୧୧କେଭି ବିଦ୍ୟୁତ ତାର ଝୁଲି ରହିଛି, ସେ ସଂକ୍ରାନ୍ତରେ ଅଧିକାରୀମାନେ ରିପୋର୍ଟ ଦେଇଥିଲେ ନା ନାହିଁ, ଯଦି ଦେଇଥିଲେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା? ଯଦି ଦେଇନାହାନ୍ତି, କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ରାଜ୍ୟ ସରକାରଙ୍କ ଦୁର୍ବଳତା କେବଳ ସେତିକିରେ ସୀମିତ ଅଛି ତା ନୁହେଁ। ସବୁଠାରୁ ସମ୍ବେଦନଶୀଳ ଏହି ବିଭାଗର ଅଧିକାଂଶ ପଦବି କା’ରେ ଚାଲିଛି। ଗ୍ରିଡ୍‌କୋ ଏବେ ତିନିଟି ଯାକ ବିଦ୍ୟୁତ ବଣ୍ଟନ କଂପାନି ପରିଚାଳନା ଦାୟିତ୍ବରେ ରହିଛି। ହେଲେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଜଣେ ଅଧିକାରୀଙ୍କୁ ଗ୍ରିଡ୍‌କୋ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେବା ବଦଳରେ କୃଷି ସଚିବ ସୌରଭ ଗର୍ଗଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ବ ଦେଇଛନ୍ତି। ସେ ଏତେ ବଡ଼ ବ୍ୟବସ୍ଥା ଯାଞ୍ଚ କରିବା ସମ୍ଭବ କି? ଆଜିର ଘଟଣା ପଛର ସରକାରଙ୍କ ଏଭଳି କ ହେୟ ମନୋଭାବ ଅନ୍ୟ ଏକ କାରଣ ବୋଲି ବିଦ୍ୟୁତ ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି। ଏଥିସହିତ ଏହି ଘଟଣାରେ କାହା ଉପରେ ଉତ୍ତରଦାୟିତ୍ବ ସରକାର ଧାର୍ଯ୍ୟ କରୁଛନ୍ତି, ତାହା ସ୍ପଷ୍ଟ କରିବା ଲାଗି ସଂଘର ସଭାପତି ରମେଶ ଚନ୍ଦ୍ର ଶତପଥୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର