ଗ୍ରିନ୍‌ ଜୋନ୍‌ରେ ବସ୍‌ ଚାଲିବ ତ? ଭଡ଼ା ଦୁଇ ଗୁଣ କଲେ ସରକାର

ନିଷ୍ପତ୍ତି ନେଇ ନାହାନ୍ତି ବସ୍‌ ମାଲିକ, ଏବେ ମାତ୍ର ୯ଟି ଜିଲ୍ଲା ଗ୍ରିନ୍‌ ଜୋନ୍‌ରେ

ଭୁବନେଶ୍ବର: ଗ୍ରିନ୍‌ ଜୋନ୍‌ରେ ବସ୍‌ ଚାଲିବାକୁ ନେଇ ଦ୍ବନ୍ଦ୍ବ ଜାରି ରହିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ଦେଇଥିଲେ ବି ବସ୍‌ ଗଡ଼ିପାରୁ ନାହିଁ। ଲକ୍‌ଡାଉନ୍ ପାଇଁ ବିଭିନ୍ନ ସରକାରୀ କଟକଣା ଭିତରେ ବସ୍‌ ଚଳାଇବାକୁ ମାଲିକମାନେ ଅମଙ୍ଗ ହୋଇଥିଲେ। ବିଶେଷ କରି ବସ୍‌ କ୍ଷମତା ଠାରୁ ଅଧା ଯାତ୍ରୀଙ୍କୁ ନେଇ ବସ୍‌ ଚଳାଇବା ସମ୍ଭବ ନୁହେଁ ବୋଲି ବସ୍‌ ମାଲିକ ସଂଘ ଜଣାଇ ‌େଦଇଥିଲେ। ଏହାକୁ ବିଚାର କରି ସରକାର ବସ୍‌ ଭଡ଼ା ଦୁଇ ଗୁଣା କରିଛନ୍ତି। ଆଜି ଏ ସମ୍ପର୍କରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲେ ବି ଗ୍ରିନ୍‌ ଜୋନ୍‌ରେ ମାତ୍ର ୯ଟି ଜିଲ୍ଲା ଥିବାରୁ ସରକାରଙ୍କ ଯୋଜନା ସଫଳ ହେବା ନେଇ ସନ୍ଦେହ ଦେଖାଦେଇଛି। ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଲା ପରେ କେନ୍ଦ୍ର ସରକାର ଗ୍ରିନ୍‌ ଜୋନ୍‌ରେ ବସ୍‌ ଚଳାଚଳକୁ ଅନୁମତି ଦେଇଥିଲେ। କେନ୍ଦ୍ରର ଗାଇଡ୍‌ଲାଇନ୍‌ ଆଧାରରେ ଗତ ୪ ତାରିଖରେ ଓଡ଼ିଶାରେ ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଗ୍ରିନ୍‌ ଜୋନ୍‌ରେ ଯାତ୍ରୀବାହୀ ବସ୍‌ଗୁଡ଼ିକ ନିଜ ସିଟ୍‌ କ୍ଷମତା ତୁଳନାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଧରି ଚଳାଚଳ କରିପାରିବେ। ଯଦି ବସ୍‌ ଚଳାଚଳ ରୁଟ୍‌ରେ ଅରେଞ୍ଜ୍ କିମ୍ବା ରେଡ୍‌ ଜୋନ୍‌ ଥିବ, ତେବେ ସେହି ରୁଟ୍‌ରେ ବସ୍‌ ଚଳାଇବାକୁ ଅନୁମତି ମିଳିବ ନାହିଁ। ଯେହେତୁ ଗ୍ରିନ୍‌ ଜୋନ୍‌ରେ ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି, ତେଣୁ ଲୋକଙ୍କ ଯାତାୟତ ସହଜ କରିବାକୁ ବସ୍‌ ଚଳାଚଳକୁ ଅନୁମତି ଦିଆଗଲା। କିନ୍ତୁ ସରକାରଙ୍କ ଏହି ବିଜ୍ଞପ୍ତିରେ ବସ୍‌ ମାଲିକମାନେ ରାଜି ହୋଇ ନ ଥିଲେ। ବସ୍‌ ମାଲିକ ସଂଘ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ୫୦% ଯାତ୍ରୀରେ ବସ୍‌ ଚଳାଇବା ଆଦୌ ସମ୍ଭବ ନୁହେଁ। ଏଥିରେ ତେଲ ପଇସା ବି ଉଠିବ ନାହିଁ। ପୁଣି ଅରେଞ୍ଜ୍ ଓ ରେଡ୍‌ ଜୋନ୍‌ର ଜିଲ୍ଲାଗୁଡ଼ିକ ମଝିରେ ମଝିରେ ରହୁଥିବାରୁ ରୁଟ୍‌ ଠିକ୍ ହେ‌ାଇପାରିବ ନାହିଁ।

ସରକାର ଏବେ ବସ୍‌ ଭଡ଼ା ଦୁଇ ଗୁଣା କରି ମାଲିକମାନଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି। ଆଜି ସକାଳେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ପରିବହନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଯେହେତୁ ବସ୍‌ ମାଲିକମାନେ ଅଧା ଯାତ୍ରୀ ନେବେ, ତେଣୁ ଭଡ଼ା ଦୁଇ ଗୁଣ କରାଇଲେ ସେମାନେ ଆଉ ଆର୍ଥିକ କ୍ଷତି ସହିବେ ନାହିଁ। ଜରୁରୀ କାମ ଥିବା ଲୋକ ଦୁଇ ଗୁଣା ଭଡ଼ା ଦେବାକୁ ପଛାଇବେ ନାହିଁ। ମନ୍ତ୍ରୀଙ୍କ ଘୋଷଣା ପରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ବସ୍‌ରେ କ୍ଷମତା ଠାରୁ ୫୦ ପ୍ରତିଶତ କମ୍ ଯାତ୍ରୀ ଯିବେ। କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ବସ୍‌ରେ ସାମାଜିକ ଦୂରତ୍ବ ଓ ବି‌େଶାଧନକୁ ନିଶ୍ଚିତ କରାଯିବ। ଯେହେତୁ ଅଧା ଯାତ୍ରୀ ଯିବେ, ତେଣୁ ବସ୍‌ ଭଡ଼ା ଦୁଇ ଗୁଣ କରାଯାଇଛି। ସାମାଜିକ ଦୂରତ୍ବ ପାଳନ ହେଉଛି କି ନାହିଁ, ତାହାକୁ ଅତର୍କିତ ଭାବେ ଯାଞ୍ଚ୍ କରାଯିବ। ଏହି ନୂଆ ବ୍ୟବସ୍ଥା ୧୭ ତାରିଖ ଯାଏ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି।

ସରକାର ଭଡ଼ା ବୃଦ୍ଧି କରିଥିଲେ ବି ବସ୍‌ ଚଳାଚଳ ନେଇ ସନ୍ଦେହ ରହିଛି। କାରଣ ଦୁଇ ଗୁଣ ଭଡ଼ା ଦେଇ ଲୋକମାନେ ବସ୍‌ରେ ଯିବେ ବୋଲି ମାଲିକମାନେ ନିଶ୍ଚିତ ହୋଇପାରୁ ନାହାନ୍ତି। ଏହା ଦ୍ବାରା ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେବାର ଆଶଙ୍କା ରହିଛି। ଆହୁରି ମଧ୍ୟ ରାଜ୍ୟରେ ଗ୍ରିନ୍ ଜୋନ୍‌ରେ ଥିବା ଜିଲ୍ଲା ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ୪ ତାରିଖରେ ଏସ୍‌ଆର୍‌ସି ବିଜ୍ଞପ୍ତି ଜାରି କଲା ସମୟରେ ଓଡ଼ିଶାରେ ଗ୍ରିନ୍‌ ଜୋନ୍‌ରେ ୧୬ଟି ଜିଲ୍ଲା ଥିଲା। ୮ ଦିନ ପରେ ଏହା କମି କମି ୯ରେ ପହଞ୍ଚିସାରିଲାଣି। ଯେଉଁ ଜିଲ୍ଲାରେ ଗୋଟିଏ ବି କରୋନା ପଜିଟିଭ୍ ବାହାରୁଛି, ତାହା ଆପେ ଆପେ ଅରେଞ୍ଜ୍ ଜୋନ୍‌କୁ ଆସିଯାଉଛି। ଏବେ ମାତ୍ର ୯ଟି ଜିଲ୍ଲାରେ ବସ୍‌ କିପରି ଗଡ଼ିବ ଓ ରୁଟ୍‌ କିପରି ଚୂଡ଼ାନ୍ତ ହେବ ବୋଲି ବସ୍‌ ମାଲିକ ସଂଘ ପ୍ରଶ୍ନ କରିଛି। ତେଣୁ ଗ୍ରିନ୍ ଜୋନ୍‌ରେ ବସ୍‌ ଚଳାଚଳକୁ ସ୍ବାଭାବିକ ହେବା ନେଇ ସନ୍ଦେହ ଦେଖାଦେଇଛି। ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ଆମେ ଆଞ୍ଚଳିକ ସଂଘଗୁଡ଼ିକ ସହ ଆଲୋଚନା କରିବୁ। ତାହା ପରେ ବସ୍‌ ଚଲାଇବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର