ଭୁବନେଶ୍ବର : ସୋମବାରଠାରୁ ସାରା ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ ହେବ। ନିଖିଳ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୧୦ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଶନିବାର ଦିନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବସ୍ ମାଲିକ ସଂଘର ସମସ୍ତ ଦାବି ଉପରେ ଆଲୋଚନା ହେବା ପରେ ଏହାକୁ ଧୀରେ ଧୀରେ ପୂରଣ କରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି। ଏହାପରେ ବସ୍ ମାଲିକ ସଂଘ ବସ୍ ଚଳାଇବାକୁ ରାଜି ହୋଇଛି। ତେଣୁ ଏବେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ୍ ଚଳାଚଳ କରିବ। ପ୍ରତି ବସ୍ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ। ବିନା ମାସ୍କରେ କାହାକୁ ନିଆଯିବନି। ବସ୍କୁ ପ୍ରତିଦିନ ବିଶୋଧନ କରାଯିବ।
ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ କହିବାନୁଯାୟୀ, ରାଜ୍ୟ ସରକାର ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ରୋଡ୍ ଟିକସ ଛାଡ଼ କରିବାକୁ ରାଜି ହୋଇଛନ୍ତି। ଚାରି ମାସ ହେଲା ବସ୍ ଚଳାଚଳ ହୋଇନଥିବାରୁ ଆମେ ସରକାରଙ୍କୁ ବସ୍ ପିଛା ୧ଲକ୍ଷ ଟଙ୍କାର ସହାୟତା ମାଗିଥିଲୁ। ଏନେଇ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ବସ୍ ମାଲିକଙ୍କ ସହ ଅନୁବନ୍ଧିତ କରିବେ ବୋଲି କହିଛନ୍ତି। ବ୍ୟାଙ୍କରୁ ବସ୍ ପିଛା ୧ଲକ୍ଷ ଟଙ୍କା ଋଣ ଆଣି ବସ୍ ଚଳାଇବୁ। ଏଥିପାଇଁ ଆମେ ପ୍ରତି ମାସରେ ୧୫ତାରିଖ ସୁଦ୍ଧା ଟିକସ ଦେବୁ ଏବଂ ବ୍ୟାଙ୍କରୁ ଆଣିଥିବା ଟଙ୍କାର କିସ୍ତି ୩୦ତାରିଖ ଭିତରେ ଦେଉଛୁ ବୋଲି ଆର୍ଟିଓଙ୍କୁ ଜଣାଇବୁ।
ସେହିପରି ବାହାର ରାଜ୍ୟକୁ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ଆମ ରାଜ୍ୟରେ ବାହାର ରାଜ୍ୟରୁ ଆସୁଥିବା ବସ୍ ଉପରେ ଟିକସ ଛାଡ଼ ହୋଇଥିବାବେଳେ ସେମାନଙ୍କ ରାଜ୍ୟରେ ବି ଆମ ବସ୍ ଉପରୁ ଟିକସ ଛାଡ଼ କରିବା ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି। ୪ମାସ ହେଲା ବସ୍ ଚାଲିନଥିବାରୁ ବୀମା ଅବଧି ଆଉ ୪ମାସ ବଢ଼ାଇବାକୁ କୁହାଯାଇଛି। ଏନେଇ ରାଜ୍ୟ ସରକାର ଆଇଆର୍ଡିଏ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
ଆଜିର ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢୀ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ପ୍ରମୁଖ ଆମର ସବୁ ଦାବି ଶୁଣିବା ସହ ଏହାକୁ ନିଶ୍ଚିତ ପୂରଣ କରିବେ ବୋଲି କହିଥିବାରୁ ଆମେ ସୋମବାରଠାରୁ ସବୁ ରୁଟ୍ରେ ବସ୍ ଚଳାଇବୁ ବୋଲି ବସ୍ ମାଲିକ ସଂଘ କହିଛି। ଏହି ବୈଠକରେ ବସ୍ ମାଲିକ ସଂଘ ପକ୍ଷରୁ ସଂଘର ସଭାପତି ଲୋକପାଥ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଅାଚାର୍ଯ୍ୟ, ମୁଖପାତ୍ର ଦେବାଶିଷ ନାୟକ ଏବଂ ବିଭିନ୍ନ ଜିଲ୍ଲାର ବସ୍ ମାଲିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।