ଜଳେଶ୍ୱର: ରାଜ୍ୟରେ ହାତୀ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ‘ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନ୍‌ ଟ୍ରଷ୍ଟ’ ଚଳିତବର୍ଷ ସୁନ୍ଦରଗଡ଼ ଜିଲ୍ଲା ବଣେଇ ଡିଭିଜନ୍‌ର ବିଭିନ୍ନ ଜଙ୍ଗଲରେ ହାତୀଙ୍କ ଖାଦ୍ୟାଭାବ ଦୂର କରିବା ପାଇଁ ଶାଳିଆ ବାଉଁଶ ଚାଷ କରିବ। ସେଠାରେ ଶାଳିଆ ବାଉଁଶ ମଞ୍ଜିକୁ ନେଇ ପ୍ରସ୍ତୁତ ସିଡ୍‌ ବଲ୍‌ ବୁଣିବା ପାଇଁ ପ୍ରଥମ ଥର ଡ୍ରୋନ୍‌ ବ୍ୟବହାର ହେବ।

Advertisment

ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ପିସିସିଏଫ୍‌ ଡ. ଦେବବ୍ରତ ସ୍ବାଇଁ ଏବଂ ବାଲେଶ୍ୱର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶ୍ବିନୀ କୁମାର ଦାସଙ୍କ ତତ୍ତ୍ବାବଧାନରେ ବାଲେଶ୍ବର ଜିଲ୍ଲା ଜଳେଶ୍ୱରର ରଙ୍ଗାମାଟିଆ ଜଙ୍ଗଲରେ ୧୦ ହଜାର ସିଡ୍‌ବଲ୍‌ ପ୍ରସ୍ତୁତ ହେଉଛି। ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ସିଡ୍‌ବଲ୍‌ ପ୍ରସ୍ତୁତ କାମରେ ୫ ଜଣ ଶ୍ରମିକ ନିୟୋଜିତ ଅଛନ୍ତି। ଯାହା ଜଣାପଡ଼ିଛି, ଆସନ୍ତା ୨୦ ତାରିଖ ଦିନ ସିଡ୍‌ବଲ୍‌ଗୁଡ଼ିକ ବଣେଇ ଯିବ।

ଉଲ୍ଲେଖ ଥାଉକି ହାତୀ ରହୁଥିବା ଜଙ୍ଗଲଗୁଡ଼ିକରେ ଶାଳିଆ ବାଉଁଶ ଚାଷ କରାଯିବ। ଯାହାଫଳରେ ସେମାନଙ୍କ ପରିସଂସ୍ଥାନ ସୁରକ୍ଷିତ ରହିବା ସହ ଖାଦ୍ୟ ସୁନିଶ୍ଚିତ ହୋଇପାରିବ। ହାତୀମାନେ ଆଉ ଜନବସତିମୁହାଁ ହେବେନି। ପ୍ରଥମକରି ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଲୁହାପଡ଼ା ଜଙ୍ଗଲ ଓ ପଶ୍ଚିମବଙ୍ଗର କେଶରେଖା ହାତୀଟପ ଜଙ୍ଗଲରେ ଶାଳିଆ ବାଉଁଶ ଚାଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବଣେଇରେ ହେବାକୁ ଯାଉଛି।