କରୋନା ପ୍ରଭାବ: ଆମିଷ-କପଡ଼ା ବେପାର ଠପ୍‌, ମୁଣ୍ଡରେ ହାତ ଦେଇ ବସିଲେ ଖୁଚୁରା ବେପାରୀ

କୁକୁଡା ମାଂସ କିଲୋ ପ୍ରତି ୬୦ରୁ ୭୦ ଟଙ୍କା, ଅଣ୍ଡା ସାଢେ ୩ଟଙ୍କା

ରାଉରକେଲା: ବ୍ୟବସାୟ ଉପରେ କରୋନାର ସିଧାସଳଖ ପ୍ରଭାବ ପଡିଛି। ଲୋକେ ଅଧିକରୁ ଅଧିକ ଖାଦ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖିବାକୁ ଚାହୁଥିବାରୁ ରାସନ୍‌ ଦୋକାନଗୁଡ଼ିକରେ ବେପାର ଆଶାତୀତ ଭାବେ ବଢ଼ି ଯାଇଛି। କିନ୍ତୁ ଆମିଷ ଓ କପଡା ବଜାର ବେପାର ପୂରା ଠପ୍‌ ହୋଇ ଯାଇଛି। ରାଉରକେଲା ସହରରେ ଆମିଷ ଓ କପଡା ବେପାର ଉଜୁଡିବାକୁ ବସିଛି। କରୋନା କର୍ଫ୍ୟୁ ଦୋହଲାଇ ଦେଇଛି ଉଭୟଙ୍କର ମେରୁଦଣ୍ଡ। ପ୍ରାୟ ଦୁଇ ସପ୍ତାହ ତଳୁ ଏହି ରୀତି ଚାଲିଛି। କାରବାର ପୂରା ଥମି ଯାଇଥିବାରୁ ବ୍ୟବସାୟୀ ମୁଣ୍ଡରେ ହାତ ଦେଲେଣି। ସେମାନଙ୍କ ଭିତରୁ ଅନେକ କ୍ଷତି ସହିବା ଅପେକ୍ଷା କିଛି ଦିନ ପାଇଁ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ମାଛ, କୁକୁଡା ଓ ଅଣ୍ଡା ବ୍ୟବସାୟୀଙ୍କୁ ଦୈନିକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡୁଛି।

ଗତ ଦୁଇ ସପ୍ତାହ ମଧ୍ୟରେ ମାଛ ହୋଲେ୍‌ସେଲରମାନଙ୍କୁ ୪୦ ଲକ୍ଷରୁ ଅଧିକ କ୍ଷତି ସହିବାକୁ ପଡିଛି ବୋଲି କହନ୍ତି, ହୋଲେ୍‌ସଲ୍‌ ବେପାରୀ ମହମ୍ମଦ ନଦିମ୍‌। ଦୈନନ୍ଦିନ ଗହଳଚହଳି ଲାଗୁଥିବ ଆମିଷ ବଜାର ଏବେ ଖାଁ ଖାଁ। ଯେଉଁ କେତେଜଣ ଗ୍ରାହକ ଆମିଷ ବଜାରକୁ ଆସୁଛନ୍ତି, ଦେଶୀ ମାଛ ହିଁ କିଣୁଛନ୍ତି। ଆନ୍ଧ୍ର ମାଛର ବିକ୍ରି ପୂରା କମି ଯାଇଛି। ମାଛ ବେପାର କରି ପରିବାର ପ୍ରତିପୋଷ କରୁଥିବା ଖୁଚୁରା ବେପାରୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମାତ୍ର ଦୁଇ ଦିନ, ଅର୍ଥାତ ବୁଧବାର ଓ ରବିବାର ଯେଉଁ ଦି’ ପଇସା ରୋଜଗାର ହେଉଛି, ସେଥିରେ ସେମାନଙ୍କ ପରିବାର ଚଳୁଛି।

ଉଲ୍ଲେଖନୀୟ ଯେ ଇସ୍ପାତ ସହରରେ ମୋଟ୍‌ ୨୦ ହୋଲେ୍‌ସଲ୍‌ ଓ ୩୦୦ରୁ ଅଧିକ ଖୁଚୁରା ମାଛ ବେପାରୀ ଅଛନ୍ତି। ଆନ୍ଧ୍ର, ବାଲୁଗାଁ, ରାୟପୁର, ପାରାଦୀପ ଓ ହାୱଡାରୁ ସହରକୁ ଦୈନିକ ୧୦ ଟନ୍‌ ମାଛ ଆସିଥାଏ। ସ୍ଥାନୀୟ ଅଞ୍ଚଳରୁ ମଧ୍ୟ କିଛି ଦେଶୀମାଛ ଆସେ। ସକାଳ ୭ ସୁଦ୍ଧା ଖୁଚୁରା ବେପାରୀ ମାଛ କିଣି ନିଅନ୍ତି। କିନ୍ତୁ କରୋନା ଭୟ ଯୋଗୁଁ ବେପାର ସମ୍ପୂର୍ଣ୍ଣ ମାନ୍ଦା। ଖୁଚୁରା ବେପାରୀ ଯଥେଷ୍ଟ ସଂଖ୍ୟାରେ ଆସୁ ନଥିବାରୁ ଦୈନିକ ୨ ଟନ୍‌ ମାଛ ବିକିବା ମୁସ୍କିଲ ହୋଇ ଯାଉଛି ବୋଲି କହନ୍ତି ନଦିମ୍‌।

କୁକୁଡା ବେପାରରେ ମଧ୍ୟ ସେହି ସମାନ ସ୍ଥିତି ଦେଖାଦେଇଛି। ଅଧିକାଂଶ ହୋଟେଲ, ରେସ୍ତୋରାଁ ଓ ଫାଷ୍ଟଫୁଡ୍‌ ଦୋକାନ ମେନ୍ୟୁରୁ ଚିକେନ୍‌ ଗାୟବ ହୋଇଯାଇଛି। ସହରରେ ଦୈନିକ ୭୮ ଟନ୍‌ରୁ ଅଧିକ କୁକୁଡା ମାଂସ ବିକ୍ରି ହୋଇଥାଏ। ଛତିଶଗଡ, କଟକ, ଭୁବନେଶ୍ୱର, ଚୌଦ୍ଵାର, ଢେଙ୍କାନାଳ ଓ ଆନ୍ଧ୍ରପ୍ରଦେଶରୁ ଦୈନିକ ୧୩ଟି ପିକ୍‌ ଅପ୍‌ଭ୍ୟାନ୍‌ରେ କୁକୁଡା ଆସିଥାଏ। ଏବେ ଏହି ବ୍ରଏଲର କୁକୁଡା ମାଂସ ବେପାର ୭୦% କମି ଯାଇଛି। ପୂର୍ବରୁ କିଲୋ ପ୍ରତି ୧୭୦ରୁ ୧୮୦ ଟଙ୍କା ବିକ୍ରି ହେଉଥିଲା, ଏବେ କିଲୋ ପ୍ରତି ୬୦ରୁ ୭୦ ଟଙ୍କାରେ ବିକ୍ରି ହେଲେ ମଧ୍ୟ ବିଶେଷ ଗ୍ରାହକ ଆସୁ ନାହାନ୍ତି ବୋଲି କହନ୍ତି କୁକୁଡା ବ୍ୟବସାୟୀ ପ୍ରକାଶ ବାରିକ। ସେ କହିଛନ୍ତି, ସରକାରଙ୍କ ପକ୍ଷରୁ ସଚେତନ କରାଯିବା ସତ୍ତ୍ୱେ ଲୋକମାନେ କୁକୁଡା ମାଂସ ବଜାରକୁ ଆସୁ ନାହାନ୍ତି।

ଅଣ୍ଡା ବ୍ୟବସାୟୀଙ୍କୁ ମଧ୍ୟ ସମାନ କ୍ଷତି ସହିବାକୁ ପଡିଛି। ସହରକୁ ଦେନିକ ୨ ଟ୍ରକ୍‌, ଅର୍ଥାତ ୪ ହଜାର ପେଟି ଅଣ୍ଡା ଆସିଥାଏ। ଏବେ କିନ୍ତୁ ଆସୁଛି ୧ ହଜାର ପେଟି। ତାହା ବି ବିକ୍ରି ହୋଇ ପାରୁନାହିଁ। ପୂର୍ବରୁ ଅଣ୍ଡା ଗୋଟା ପିଛା ଖୁଚୁରା ଦର ୬ ଟଙ୍କା ଥିଲାବେଳେ ଏବେ ବିକ୍ରି ହେଉଛି ମାତ୍ର ସାଢେ ୩ଟଙ୍କାରେ। ତେବେ ଦେଶୀ କୁକୁଡ଼ାର ଚାହିଦା ବିଶେଷ କମିନାହିଁ।

ବେଶି କ୍ଷତି ସହିବାକୁ ପଡିଛି ସହରର କପଡା ବ୍ୟବସାୟୀମାନଙ୍କୁ। ସହରର ବଡ ବଡ କପଡା ସୋ’ରୁମ୍‌ ମାଲିକଙ୍କ ବେପାର ୬୦% ଖସି ଆସିଛି। ଦୈନିକ ୫ରୁ ୧୦ ଲକ୍ଷ ଟଙ୍କା କାରବାର ପରିବର୍ତ୍ତେ ହେଉଛି ମାତ୍ର ୧ରୁ ୨ ଲକ୍ଷ। ପାୱାର ହାଉସ୍‌ ରୋଡସ୍ଥିତ ବୋଥ୍ରା ସୋ’ରୁମ୍ର ମାଲିକ ବିକ୍ରମ ବୋଥ୍ରା ଓ ରାଉରକେଲା ମୁଖ୍ୟ ମାର୍କେଟର ଭୀମସେନ ଅଗ୍ରୱାଲ କହିଛନ୍ତି, କରୋନା ପାଇଁ ସୋ’ରୁମରେ ଗ୍ରାହକଙ୍କ ସଂଖ୍ୟା ରେ ହ୍ରାସ ପାଇଛି। ଦୈନିକ ବ୍ୟବସାୟ ୫୦ରୁ ୬୦% ହ୍ରାସ ପାଇଛି। ସ୍ଥିତି ଏପରି ହୋଇଛି ଯେ କର୍ମଚାରୀଙ୍କ ମାସିକ ଦରମା ଟଙ୍କା ମଧ୍ୟ ରୋଜଗାର ହୋଇ ପାରୁନାହିଁ। ସହରର ସେକ୍ଟର-୧୯ ଇସ୍ପାତ ମାର୍କେଟ, ଡେଲିମାର୍କେଟ, ବାସନ୍ତି କଲୋନି, ପାନପୋଷ, ଉଦିତନଗର, ଫର୍ଟିଲାଇଜ, ବେଦବ୍ୟାସ ଆଦି ମାର୍କେଟରେ ଉଭୟ ଆମିଷ ଓ କପଡା ବଜାର ସମ୍ପୂର୍ଣ୍ଣ ମାନ୍ଦା ରହିଛି।

ସମ୍ବନ୍ଧିତ ଖବର