ବନ୍ଦ ବେଳେ ସାମ୍ନାକୁ ଆସିଲା ବେଧଡକ ବେପାର କରିବାର ଦୃଶ୍ୟ

ଭୁବନେଶ୍ୱର: ବନ୍ଦ ବେଳେ ବେପାର ! ଏପଟେ ଚାଲିଥାଏ ଜୋରଦାର ଆନ୍ଦୋଳନ ଆଉ ଅନ୍ୟପଟେ ଚାଲିଥାଏ ବେପାର । କଥାଟା ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ନିରାଟ ସତ୍ୟ । ୧୨ ଦଫା ଦାବି ନେଇ ଆଜି ଦେଶବ୍ୟାପି ବନ୍ଦ ପାଳନ କରାଯାଉଥିବା ବେଳେ ଓଡିଶାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଭାରତ ବନ୍ଦ ପ୍ରଭାବରେ ଆଜି ଗାଡିମଟର ସେବା ବନ୍ଦ ରହିଥିବା ବେଳେ କିଛି ଯୁବକମାନେ କିନ୍ତୁ ଏହାର ଭରପୂର ମାତ୍ରାରେ ଫାଇଦା ଉଠାଇଛନ୍ତି । ବନ୍ଦ ବେଳେ ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ବାଇକ୍ ସେବା ।

ବିମାନବନ୍ଦରରୁ କିଛି ପିଲା ନିଜ ବାଇକରେ ଲୋକଙ୍କୁ ନେବା ଆଣିବା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଆଉ ଅଟୋ ଟାକ୍ସି ଯାହା ଭଡା ନେଉଥିଲେ, ଏମାନେ ମଧ୍ୟ ସେତିକି ଟଙ୍କା ଯାତ୍ରୀଙ୍କଠାରୁ ନେଉଥିଲେ । ତେବେ ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଚିତ୍ର । ବାଇକ ଠେଲିବାକୁ ନେଉଥିଲେ ୨୦ ଟଙ୍କା ପାରିଶ୍ରମିକ । ରାଉରକେଲାରେ ଶ୍ରମିକ ସଂଗଠନ ଓ ବାମ ଦଳ ମୁଖ୍ୟ ଛକ ଓ ରାସ୍ତା ଗୁଡିକ ଅବରୋଧ କରି ପିକେଟିଂ କରୁଥିବା ବେଳେ ତାହାର ଫାଇଦା ଉଠାଇଛନ୍ତି କିଛି ଯୁବଗୋଷ୍ଠୀ ।

ଏକ ଉଠାଣିଆ ଛୋଟ ଗଳି ରାସ୍ତା ଦେଇ ଗାଡି ବାହାର କରିବା ପାଇଁ ଆରୋହୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ କିଛି ଯୁବକ | ହେଲେ ମାଗଣାରେ ନୁହେଁ ବରଂ ଗୋଟିଏ ବାଇକ ଠେଲି ଠେଲି ଉଠାଣି ପାର କରିବା ପାଇଁ ୨୦ ଟଙ୍କା ନେଉଥିବା ଖବର ସାମ୍ନାକୁ ଆସିଛି । ସେପଟେ ଯେଉଁ ଯୁବକ ମାନେ ନିଜସ୍ୱ ବାଇକରେ ନେଇ ଯାତ୍ରୀଙ୍କୁ ଛାଡୁଛନ୍ତି ଓ ଭଡା ନେଉଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।

ସମ୍ବନ୍ଧିତ ଖବର