ଭୁବନେଶ୍ବର : ଏଣିକି ପୌରାଞ୍ଚଳରେ ଦୋକାନ ଘର ଲାଇସେନ୍‌ସ୍‌ ପାଇଁ ବର୍ଷାଧିକ କାଳ ଅପେକ୍ଷା କରିବାକୁ ପଡ଼ିବନି। ଗୋଟିଏ ଦିନରେ ମିଳିପାରିବ ବ୍ୟାବସାୟିକ ଲାଇସେନ୍‌ସ୍‌। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏପରି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବିଧାନସଭା ଚାଲୁଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇନି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବ ଅନୁଯାୟୀ ସହରରେ ବସ୍ତିବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ପ୍ରତିବର୍ଷ ପୌରସଂସ୍ଥାମାନଙ୍କ ବଜେଟ୍‌ରେ ବ୍ୟୟ ବରାଦ ହେଉଥିବା ଅର୍ଥରୁ ୨୫% ଖର୍ଚ୍ଚ କରାଯିବ। ଏଥିପାଇଁ ଓଡ଼ିଶା ପୌର ଆଇନ, ୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଆଇନ ୨୦୦୩ରେ ଆବଶ୍ୟକ ସଂଶୋଧନ କରାଯିବ। ଅନ୍ୟ ନିଷ୍ପତ୍ତି ଅନୁଯାୟୀ କରୋନାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବା ସହିତ ମୋଟ ୨ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ଲାଭ କରିଛି।

Advertisment

ପଞ୍ଚାୟତକୁ କ୍ଷମତା ପ୍ରଦାନ କରିବା ପରେ ଏବେ ରାଜ୍ୟ ସରକାର ପୌରସଂସ୍ଥାମାନଙ୍କୁ ଅଧିକ କ୍ଷମତା ଦେଇ କ୍ରିୟାଶୀଳ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ପୌରସଂସ୍ଥାମାନଙ୍କୁ ଆର୍ଥିକ ସ୍ତରରେ ସ୍ବୟଂଶାସିତ କ୍ଷମତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ୫'ଟି' ବ୍ୟବସ୍ଥା ଅନୁଯାୟୀ ବ୍ୟାବସାୟିକ ଲାଇସେନ୍‌ସ୍‌ ପ୍ରଦାନରେ ସ୍ବଚ୍ଛତା ଆଣିବା ପାଇଁ ସରକାର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସହରରେ ଜଣେ ବ୍ୟବସାୟ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଆବଶ୍ୟକ କାଗଜ ପତ୍ର ଦାଖଲ କରିବା ଦିନ ହିଁ ପ୍ରୋଭିଜନାଲ ଲାଇସେନ୍‌ସ୍‌ ପାଇପାରିବେ। ଏହି ପ୍ରୋଭିଜନାଲ୍‌ ଲାଇସେନ୍‌ସ୍‌ର ଅବଧି ୫ ବର୍ଷ ରହିବ।