ବେପାର ପାଇଁ ଲାଇସେନ୍ସ ମିଳୁଛି, ଆଦାୟ ହେଉନି ଫି’

ବର୍ଷକରେ ଖୋର୍ଦ୍ଧା ପୌର ପରିଷଦରେ ଫି’ ଆଦାୟରେ ୫୦ ଲକ୍ଷ ଟଙ୍କାର ଅନିୟମିତତା

ଖୋର୍ଦ୍ଧା: ପୌରାଂଚଳରେ ବ୍ୟବସାୟ ପାଇଁ ପୌର ପରିଷଦ ଲାଇସେନ୍ସ ବା ସ୍ୱୀକୃତିପତ୍ର ପ୍ରଦାନ କରି ଏ ବାବଦ ଅର୍ଥ ସେମାନଙ୍କଠାରୁ ଆଦାୟ କରିବା ନିୟମ ରହିଛି। ଅନେକ ସ୍ଥାନରେ ସରକାରୀ ଜାଗା, ନାଳ ଆଦି ଉପରେ ଜବରଦଖଲ କରି ନୂଆନୂଆ ଦୋକାନ ଗଢ଼ି ଉଠୁଛି । ଏଥିପାଇଁ ବି ପୌର ପରିଷଦ ଆଶ୍ଚର୍ଯ୍ୟଜନକ ଭାବେ ଲାଇସେନ୍ସ ପ୍ରଦାନ କରୁଛି । କିନ୍ତୁ ଏହାଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ସେମାନଙ୍କଠାରୁ ଏ ବାବଦ କୌଣସି କର (ଫି’) ଆଦାୟ କରାଯାଇନାହିଁ। ଖୋଦ୍ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି ।

ଲୋକଙ୍କ ସୁବିଧା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟବସାୟ ପାଇଁ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥା କରାଯାଇଛି । ଇଚ୍ଛୁକ ବ୍ୟକ୍ତି ଅନଲାଇନରେ ଆବେଦନ କରିବେ ଓ ଲାଇସେନ୍ସ ପାଇବେ। ମଇ ୬ ତାରିଖ ସୁଦ୍ଧା ଖୋର୍ଦ୍ଧା ପୌର ପରିଷଦ ପାଇଁ ୧୫୪୩ ବ୍ୟବସାୟ ଲାଇସେନ୍ସ ଆବେଦନ ହୋଇଥିଲା। ୧୩୪୫ଟି ଆବେଦନକୁ ସ୍ୱୀକୃତି ମିଳିଛି। ୩୦ଟି ନାକଚ କରାଯାଇଛି। ଜଟଣୀ ପୌର ପରିଷଦରେ ୨୯୦୮ଟି ଆବେଦନରୁ ୨୫୯୬ଟିକୁ ସ୍ୱୀକୃତି ମିଳିଛି ଓ ୨୪ଟି ନାକଚ କରାଯାଇଛି । ବାଲୁଗାଁ ଏନ୍ଏସିରେ ୧୧୧୩ ଆବେଦନରୁ ୯୭୫କୁ ସ୍ୱୀକୃତି ଓ ୧୦ଟି ନାକଚ, ବାଣପୁର ଏନ୍ଏସିରେ ୧୩୪ଟି ଆବେଦନରୁ ୧୨୯କୁ ସ୍ୱୀକୃତି ଓ ଗୋଟିଏ ନାକଚ କରାଯାଇଛି । ଖୋର୍ଦ୍ଧା ପୌର ପରିଷଦରେ ହାରାହାରି ୫ ଦିନରେ ଲାଇସେନ୍ସ ଆବେଦନ ଉପରେ ସ୍ୱୀକୃତି ପ୍ରଦାନ କରାଯାଉଥିବା ବେଳେ ଜଟଣୀରେ ୬ ଦିନ, ବାଲୁଗାଁରେ ୧୧ଦିନ ଓ ବାଣପୁରରେ ୩ ଦିନରେ ଲାଇସେନ୍ସ ମିଳୁଛି । କିନ୍ତୁ ଏବାବଦରେ ଟଙ୍କାଟିଏ ମଧ୍ୟ ଲାଇସେନ୍ ଫି’ ଆଦାୟ କରାଯାଇନାହିଁ । ତଥ୍ୟାନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରୁ କୌଣସି ଫି’ ଆଦାୟ କରାଯାଇନାହିଁ, କିନ୍ତୁ ଲାଇସେନ୍ ପ୍ରଦାନ କରାଯାଇଛି ।

ନଗର ଉନ୍ନୟନ ବିଭାଗର ତଥ୍ୟରେ କାଳେ ତ୍ରୁଟି ରହିଥିବ ଭାବି ପ୍ରମାଣ ପାଇଁ ଖୋର୍ଦ୍ଧା ପୌର ପାଳିକାର ନିକଟରେ ଶେଷ ହୋଇଥିବା ଅଡିଟ୍ ରିପୋର୍ଟ ଅନୁଧ୍ୟାନ କରିବାରେ ଏହା ସ୍ପଷ୍ଟ ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ୧୬୦ଟଙ୍କା ଆଦାୟ ହୋଇଛି । ୨୦୧୮-୧୯ରେ ବିପଦ୍ଜନକ ସାମଗ୍ରୀର ବ୍ୟବସାୟ ପାଇଁ ୧୧ଲକ୍ଷ ୧୩ହଜାର ୩୦ଟଙ୍କା ଓ ୨୦୧୯-୨୦ରେ ୧୨ଲକ୍ଷ ୧୩ହଜାର ୭୫୮ଟଙ୍କା ଆଦାୟ କରାଯାଇଥିଲା । ଏହି ଲାଇସେନ୍ସ ଫି’ ସହର ମଧ୍ୟରେ କୌଣସି ଦୋକାନ ନୁହେଁ ବରଂ ପ୍ରାୟ ସମସ୍ତ ବ୍ୟବସାୟ ଅନୁଷ୍ଠାନ ଖୋର୍ଦ୍ଧା ଶିଳ୍ପାଂଚଳରେ ରହିଛି । ଯଦି ସହର ମଧ୍ୟରେ ଥିବା ଦୋକାନଗୁଡ଼ିକର ଲାଇସେନ୍ସ ଫି’ କଥା ଦେଖାଯାଏ ତେବେ ୨୦୧୮-୧୯ରେ ୪ଲକ୍ଷ ୬୮ହଜାର ୨୫ଟଙ୍କା ଆଦାୟ କରାଯାଇଥିଲା । ଏହାପରଠାରୁ ଖୋର୍ଦ୍ଧା ସହରରେ କୌଣସି ଦୋକାନ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରୁ ଏହି ବାବଦରେ ଫି’ ଆଦାୟ କରାଯାଇନାହିଁ । ଏପରିକି ଅଡିଟ୍ ରିପୋର୍ଟରେ ଏହାର ଆଉ ଏକ ପ୍ରମାଣ ରହିଛି ଏମ୍ଆର୍ ୨୯୨୨୭ରେ ବ୍ୟବସାୟ ଲାଇସେନ୍ସ ବାବଦରେ ଜନୈକ କର୍ମଚାରୀ ୨୯ ଫେବ୍ରୁଆରୀ ୨୦୨୦ରେ ୧ହଜାର ଟଙ୍କା ଆଦାୟ କରିଥିଲେ ମଧ୍ୟ ଏହା ପୌର ପରିଷଦର ହିସାବ ଖାତାକୁ ଯାଇନାହିଁ । ଅନୁସନ୍ଧାନରୁ ଜଣାଯାଇଛି ୨୦୧୯-୨୦ ଆର୍ଥିକ ବର୍ଷରେ ୩୧ଲକ୍ଷ ୬୫ ହଜାର ବଜାର ଭଡ଼ା ଓ ୧୩ ଲକ୍ଷ ୮୦ ହଜାର ଲାଇସେନ୍ସ ଫି’ ଆଦାୟ ହୋଇନାହିଁ । ଫଳରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର