ଘରେ ପଶି ବ୍ୟବସାୟୀଙ୍କୁ ହତ୍ୟା

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସର୍ଗିଗୁଡ଼ା ରେଳ ଫାଟକ ନିକଟରେ ରହୁଥିବା ବ୍ୟବସାୟୀ କିଶନ ଅଗ୍ରଓ୍ଵାଲ(୫୪)ଙ୍କୁ ସୋମବାର ରାତିରେ ହତ୍ୟା କରାଯାଇଛି। ସେ ଏକାକୀ ଥିବା ବେଳେ ଘରେ ପଶି କିଛି ଦୁର୍ବୃତ୍ତ ତାଙ୍କୁ କରିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ କିଶନ ଅଗ୍ରଓ୍ଵାଲଙ୍କ ପୁଅ ଭୁବନେଶ୍ୱରରେ ପଢ଼ୁଛନ୍ତି। ସ୍ତ୍ରୀ ଓ ଝିଅ ଘରୋଇ କାର୍ଯ୍ୟରେ ସମ୍ବଲପୁରକୁ ଯାଇ ଥିଲା ବେଳେ ସୋମବାର ସେ ଘରେ ଏକାକୀ ଥିଲେ। ମଙ୍ଗଳବାର ସକାଳ ୭ଟାରେ ଶ୍ରୀ ଅଗ୍ରଓ୍ଵାଲଙ୍କ ଡ୍ରାଇଭର ଘର ଆଗରେ ପହଞ୍ଚି ଫୋନ କରିଥିଲେ ହେଁ ଉଠାଇନଥିଲେ। ଫଳରେ ଡ୍ରାଇଭର ଜଣକ ବାଡ଼ ଡେଇଁ ଘର ଭିତରକୁ ପଶି ଦେଖିଲା ବେଳକୁ ଶ୍ରୀ କିଶନଙ୍କ ରକ୍ତାକ୍ତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଡ୍ରାଇଭରଙ୍କଠାରୁ ଖବର ପାଇ ଶ୍ରୀ ଅଗ୍ରଓ୍ଵାଲଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ନର୍ଲା ପୁଲିସକୁ ସୂଚନା ଦିଆଯାଇଥିଲା। ଏସ୍‌ଡିପିଓ ଚିତ୍ତରଂଜନ ମହନ୍ତ ଓ ନର୍ଲା ଆଇଆଇସି ଉଲ୍ଲାସ ମାଝୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ପରେ ପରେ ଭବାନୀପାଟଣାରୁ ଅତିରିକ୍ତ ଏସ୍‌ପି ଅକ୍ଷୟ ଦାସ, ଭାରପ୍ରାପ୍ତ ଏସଡିପିଓ ଅନନ୍ତ ମାଝୀଙ୍କ ସହିତ ଡ୍ରଗ ସ୍କ୍ଵାଡ ଏବଂ ସାଇନଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ଘରୁ ବାହାରି ରେଳ ଧାରଣା ପର୍ଯ୍ୟନ୍ତ ଯାଇ ଫେରିଥିଲା। ଶ୍ରୀ ଅଗ୍ରଓ୍ଵାଲଙ୍କ ସ୍ତ୍ରୀ ଓ ଝିଅ ଆସିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ମଦନପୁର ରାମପୁର ଡାକ୍ତରଖାନାକୁ ପଠାଇଥିଲା। ପୁଲିସ ଏ ନେଇ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି। ଶ୍ରୀ ଅଗ୍ରଓ୍ଵାଲଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିବା ସହିତ ଦୋଷୀକୁ ତୁରନ୍ତ ଗିରଫ କରିବା ପାଇଁ ଜନସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର